ଯୁବତୀଙ୍କୁ ଏସିଡ୍‌ ମାଡ଼

କଲମପୁର : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଖଣ୍ଡିଡଙ୍ଗରିଗୁଡ଼ା ଗ୍ରାମର ଜଣେ ଯୁବତୀଙ୍କ ଉପରେ ଏସିଡ୍‌ ମାଡ଼ ହୋଇଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଗାଁର ଜଣେ ଯୁବକ ତାଙ୍କ ଉପରେ ଏସିଡ୍‌ ପକାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂଚନା ଅନୁସାରେ, ଖଣ୍ଡିଡଙ୍ଗରିଗୁଡ଼ା ଗ୍ରାମର ଦେବକୀ (୨୨, ଛଦ୍ମନାମ) ସୋମବାର ସକାଳ ୮ଟା ସମୟରେ ନିଜ ଗାଁରୁ କଲମପୁରକୁ କମ୍ପ୍ୟୁଟର କ୍ଲାସ କରିବାକୁ ଯାଉଥିଲେ। ଏତିକି ବେଳେ ନଦୀଘାଟ ନିକଟରେ ଲୁଚି ରହିଥିବା ପର୍ଶୁରାମ ମାଝୀ ତାଙ୍କ ମୁହଁ ଉପରକୁ ଏସିଡ୍‌ ମାଡ଼ କରିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପର୍ଶୁରାମ ଫେରାର ହୋଇଯାଇଛି। ଘଟଣାସ୍ଥଳରୁ ତଦନ୍ତକାରୀ ଅଧିକାରୀ ପୀଡ଼ିତାଙ୍କ ଓଢଣି, ହେୟାର କ୍ଲିପ ଓ ଏସିଡ୍‌ ଆଣିବା ପାଇଁ ବ୍ୟବହୃତ ହୋଇଥିବା କାଚ ବୋତଲର ଠିପି ଜବତ କରିଛନ୍ତି। ଏଥିସହ ମାଜିଷ୍ଟ୍ରେଟ୍‌ (କଲମପୁର ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର)ଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପର୍ଶୁରାମ ନାମରେ ପୂର୍ବରୁ ମଧ୍ୟ ପୁଲିସ ଠାରେ ଅଭିଯୋଗ ରହିଥିବା ଜଣାଯାଇଛି।

ଦେବନ୍ତିଙ୍କୁ ଅଭିଯୁକ୍ତ ପର୍ଶୁରାମ ଏକତରଫା ଭାବେ ପ୍ରେମ ନିବେଦନ କରିଆସୁଥିଲା। ହେଲେ ଯୁବତୀଜଣକ ତାହାକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଏସିଡ୍‌ ମାଡ଼ କରିଥିବା ଯୁବତୀ ତାଙ୍କ ବୟାନରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର