ବାଲେଶ୍ୱରରେ ଯୁବତୀଙ୍କୁ ଏସିଡ୍‌ ମାଡ଼!

ବାଲେଶ୍ୱର : ବାଲେଶ୍ୱର ସହରରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ ହେବା ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ଯୁବତୀଙ୍କ ପରିବାରବର୍ଗ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ଯୁବତୀଜଣକ ହେଉଛନ୍ତି ଗୋପାଳ ଗାଁର ଲିପି ଓରଫ୍‌ ମଧୁସ୍ମିତା ମହାପାତ୍ର(୨୪)। ତାଙ୍କ ମୁହଁ ଓ ହାତ ଜଳିଯାଇଥିବାବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ, ଏହା ଏସିଡ଼୍‍ ମାଡ଼ ନା ଆଉ କିଛି- ତାହାକୁ ନେଇ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ବେଳେ ମଧୁସ୍ମିତା ନିଜ ସ୍କୁଟିରେ ଚାଉଳିଆସାହିର ତାଙ୍କ ସାଙ୍ଗ ହରପ୍ରିୟା ସହ ମାଂସ କିଣିବାକୁ ଶୋଭାରାମପୁରକୁ ଯାଉଥିଲେ। ଏହି ସମୟରେ ରେଳେଓ୍ଵ କ୍ରସିଂ ଗେଟ୍‌ ନିକଟରେ ମୁହଁରେ କପଡ଼ା ବାନ୍ଧିଥିବା ଦୁଇ ଜଣ ଅଜଣା ଯୁବକ ଏକ ବାଇକ୍‌ରେ ବିପରୀତ ଦିଗରୁ ଆସି ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମଧୁସ୍ମିତାଙ୍କ ମୁହଁକୁ ଏସିଡ୍‌ ଫୋପାଡ଼ିବା ପରେ ଦୁହେଁ ଦ୍ରୁତ ଗତିରେ ସେଠାରୁ ଫେରାର ହୋଇ ଯାଇଥିଲେ। ଦୁବୃର୍ତ୍ତଦ୍ୱୟ ଆସିଥିବା ବାଇକ୍‌ ନମ୍ବରରେ ମଧ୍ୟ କପଡ଼ା ବନ୍ଧା ହୋଇଥିଲା। ତେବେ ଏସିଡ୍‌ ମାଡ଼ ପଛର କୌଣସି ନିର୍ଦ୍ଦିଷ୍ଟ କାରଣ ଶ୍ରୀ ମହାପାତ୍ର ଏତଲାରେ ଦର୍ଶାଇ ନାହାନ୍ତି। ଏ ନେଇ ଥାନାରେ ୧୭୮/୧୮ ନମ୍ବରରେ ଏକ ମାମଲା ରୁଜୁ ହୋଇଛି।

ଅନ୍ୟପକ୍ଷରେ, ଆଜି ସକାଳ ୭ଟା ୧୫ ମିନିଟ୍‌ ବେଳେ ସହଦେବଖୁଣ୍ଟା ଅଞ୍ଚଳରେ ଏକ ଭଡ଼ାଘରେ ଖୋଲା ଯାଇଥିବା ‘ଡିଲ ମନି’ ନାମକ କର୍ପୋରେଟ୍‌ ଇନ୍‌ସ୍ୟୁରାନ୍ସ ବ୍ରୋକର କମ୍ପାନି ଅଫିସ୍‌ରେ ୨/୩ ଜଣ ଅଜଣା ଯୁବତୀ ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ନିଆଁ ଲଗାଉଥିବା ବେଳେ ସେହି ନିଆଁ ଧାସରେ ସମ୍ପୃକ୍ତ ଯୁବତୀଙ୍କ ମୁହଁ ଓ ହାତ ପୋଡ଼ି ଯାଇଥିଲା। ଏପରିକି ଯୁବତୀ ଜଣକ ନିକଟରେ ରହୁଥିବା ଏକ ଘରର ଲୋକଙ୍କୁ ପାଣି ମାଗି ମୁହଁ ଧୋଇଥିଲେ ଏବଂ କେହି କିଛି ପଚାରିବା ଆଗରୁ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲେ। ବନ୍ଦ ଥିବା କମ୍ପାନି ଅଫିସ୍‌ରୁ ପ୍ରବଳ ଧୂଆଁ ଓ ନିଆଁ ଧାସ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଘର ମାଲିକ ଓ ଅଫିସର ପିଅନଙ୍କୁ ଫୋନ୍‌ କରିଥିଲେ। ସେମାନେ ସେଠାରେ ପହଞ୍ଚି ଅଫିସ୍‌ର ପଛପଟ ତାଲା ଖୋଲି ପାଣି ପକାଇ ନିଆଁ ଲିଭାଇଥିଲେ। ଏନେଇ ଅଫିସ୍‌ର ପିଅନ ହରେକୃଷ୍ଣ ଜେନା ସହଦେବଖୁଣ୍ଟା ଥାନାରେ ଏତଲା ଦେବା ପରେ ପୁଲିସ୍‌ ଏହି ଅଭିଯୋଗ ଆଧାରରେ ୧୭୮/୧୮ରେ ମାମଲା ରୁଜୁ କରିଛି। ତେବେ ଉପରୋକ୍ତ ଦୁଇଟି ମାମଲା ପରସ୍ପର ସହିତ ସଂପୃକ୍ତ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ କିଏ ସତ କହୁଛି ଜାଣିବା ଲାଗି ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର