ବନ୍ତ : ଭଦ୍ରକ ଜିଲ୍ଲା ବନ୍ତ ବାଳିକା ହାଇସ୍କୁଲର ଦୁଇଜଣ ଛାତ୍ରୀଙ୍କୁ ଆଜି ସକାଳ ସାଢ଼େ ୯ଟା ବେଳେ ଜଣେ ବ୍ୟକ୍ତି ଏସିଡ୍‌ ମାଡ଼ କରିବା ଫଳରେ ଛାତ୍ରୀ ଦୁଇଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆହତ ଛାତ୍ରୀଦ୍ବୟ ହେଲେ ବନ୍ତ ଥାନା ବାଙ୍ଗୋରପଦୀ ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ଝିଅ ସସ୍ମିତା ସାହୁ ଓ ବିନୋଦ ସାହୁଙ୍କ ଝିଅ ସ୍ମୃତିପ୍ରିୟା ସାହୁ। ସସ୍ମିତା ବନ୍ତ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବାବେଳେ ସ୍ମୃତିପ୍ରିୟା ନବମ ଶ୍ରେଣୀରେ ପଢୁଛନ୍ତି। ସହପାଠୀଙ୍କ ମଧ୍ୟରେ ମନୋମାଳିନ୍ୟକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଥିଲେ ମଧ୍ୟ ପୁଲିସ ଏଯାଏ କିଛି ସ୍ପଷ୍ଟ କରିନାହିଁ। ଖବର ଲେଖାଯିବା ପର୍ଯ୍ୟନ୍ତ ଉଭୟ ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାରୁ ପରିବାର ଲୋକେ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିପାରିନାହାନ୍ତି। ଅନ୍ୟପକ୍ଷରେ ଏସିଡ୍‌ ମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

Advertisment

publive-image

ସୂଚନା ମୁତାବକ, ସସ୍ମିତା ଓ ସ୍ମୃତିପ୍ରିୟା ସବୁଦିନ ଭଳି ଆଜି ନିଜ ନିଜ ସାଇକେଲରେ ବନ୍ତ ବଜାର ରାସ୍ତା ଦେଇ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ। ପୂର୍ବାହ୍‌ଣ ପ୍ରାୟ ସାଢେ ୯ଟା ବେଳକୁ ବନ୍ତ ଥାନା ଛକଠାରୁ ମାତ୍ର ୫୦ ମିଟର ଦୂରରେ କଣ୍ଟାପଡା ଗ୍ରାମର ନନ୍ଦକିଶୋର ଦାସ ବାଇକ୍‌ରେ ଆସି ଉଭୟଙ୍କ ଉପରକୁ ଏସିଡ୍‌ ଫିଙ୍ଗିଥିଲେ। ଦେହହାତ ପୋଡ଼ାଜଳା କରିବାରୁ ସସ୍ମିତା ଓ ସ୍ମୃତିପ୍ରିୟା ଚିତ୍କାର କରି ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରଥମେ ବନ୍ତ ଡାକ୍ତରଖାନା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେପଟେ ଅଭିଯୁକ୍ତ ନନ୍ଦକିଶୋର ଖସିଯିବାକୁ ଚେଷ୍ଟା କରିବାବେଳେ ପୁଲିସ ତାଙ୍କୁ ବାଟରୁ ଧରି ନେଇଥିଲା। ଆହତ ଛାତ୍ରୀଙ୍କ ପାଖରୁ ଘଟଣା ସମ୍ପର୍କରେ ପୁଲିସ ପଚାରି ବୁଝିଛି। ତେବେ ଦୁଇ ଛାତ୍ରୀଙ୍କ ପରିବାର ଲୋକଙ୍କ ସୂତ୍ରରୁ ଯାହା ଜଣାପଡ଼ିଛି, ସସ୍ମିତା ଗତ ୧୫ ତାରିଖ ସନ୍ଧ୍ୟାରେ ଟ୍ୟୁସନ୍‌ ସାରି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନନ୍ଦକିଶୋର ବାଙ୍ଗୋରପଦୀ ସ୍କୁଲ ନିକଟରେ ତାଙ୍କୁ ଅଟକାଇ ଏକ ବ୍ଲେଡ୍‌ରେ କାଟି ଆହତ କରିଥିଲା। ଏ ସଂପର୍କରେ ସସ୍ମିତାଙ୍କ ମା’ ବନ୍ତ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଉକ୍ତ ଘଟଣାର ସମାଧାନ କରାଯାଇଥିଲା। ପୂର୍ବ ରାଗ ରଖି ଆଜି ନନ୍ଦକିଶୋର ପୁଣି ସସ୍ମିତାଙ୍କୁ ଟାର୍ଗେଟ୍‌ କରି ଏସିଡ୍‌ ମାଡ଼ କରିବାବେଳେ ସାଙ୍ଗରେ ଥିବା ସ୍ମୃତିପ୍ରିୟା ଆହତ ହୋଇଥିଲେ। ସୂଚନାଯୋଗ୍ୟ, ନନ୍ଦକିଶୋରଙ୍କ ଝିଅ ଓ ସସ୍ମିତା ଗୋଟିଏ ଶ୍ରେଣୀରେ ପଢ଼ନ୍ତି। ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ କଥା ଏସିଡ୍‌ ମାଡ଼ ପର୍ଯ୍ୟନ୍ତ ଯାଇଛି ବୋଲି ଆଲୋଚନା ହେଉଛି।