ସୁଧ ଟଙ୍କାକୁ ନେଇ ମହିଳାଙ୍କୁ ଏସିଡ୍‌ ମାଡ଼

କଟକ/ତିଗିରିଆ : ସୁଧ ଓ ଧାର ଟଙ୍କା ପାଇଁ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଏକ ବର୍ବର କାଣ୍ଡ ଘଟିଛି। ସୁଧ ଟଙ୍କା ଦେଇ ପାରୁ ନଥିବା ଜଣେ ମହିଳାଙ୍କ ଘରୁ ପୂର୍ବରୁ ଲୁଟପାଟ୍ ହୋଇଥିବା ବେଳେ ଆଜି ତାଙ୍କ ଉପରକୁ ଏସିଡ୍ ଫିଙ୍ଗାଯାଇଛି। ଫଳରେ, ତାଙ୍କ ପିଠି, ଛାତିର ପ୍ରାୟ ୫୦ ଭାଗ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୁଲିସ ଘଟଣାସ୍ଥଳର ସିସିଟିଭି ଫୁଟେଜ୍‌ର ଜବତ କରିବା ସହ ତାହାର ଯାଞ୍ଚ ଆରମ୍ଭ କରିଛି।

ମହିଳା ଜଣକ ହେଲେ, ଜେମାଦେଈପୁର ପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ପେଟ୍ରୋଲ୍‌ ପମ୍ପ ନିକଟରେ ରହୁଥିବା ରୀନା ସାହୁ। ରୀନାଙ୍କ ଅଭିଯୋଗ ଅନୁଯାୟୀ, ସେ ଆଜି ସକାଳ ପ୍ରାୟ ୪ଟାରେ ଘରଭଡ଼ା ଦେବାକୁ ଜଣେ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସେଥିପାଇଁ ସେ ଘର ଓଳାଉଥିବାବେଳେ ହଠାତ୍‌ କଳାମୁଖା ପିନ୍ଧି ପଛପଟୁ ଆସି କେହି ଜ‌ଣେ ତାଙ୍କ ଉପରେ ଏସିଡ୍‌ ମାଡ଼କରିଥିଲେ। ଏହାପରେ ସେଠାରୁ ଦୌଡ଼ି ପଳାଇଥିଲେ। ପ୍ରାଣ ବିକଳରେ ରୀନା ରାସ୍ତାରେ ଦୌଡ଼ି ନିକଟସ୍ଥ ଜଳଖିଆ ଦୋକାନକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ। ତାଙ୍କ ପିଠିରୁ ଧୂଆଁ ବାହାରୁଥିବା ଦେଖି ଜଳଖିଆ ଦୋକାନୀ ସଙ୍ଗେ ସଙ୍ଗେ ମହିଳାଙ୍କ ଉପରେ ପାଣି ଢାଳି ଦେଇଥିଲେ। ଖବର ପାଇ ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା ପହଞ୍ଚି ରୀନାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସର୍ଜରି ବିଭାଗକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶି, ଆଇଆଇସି ଶ୍ରୀମତୀ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉକ୍ତ ଜଳଖିଆ ଦୋକାନୀଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ପୁଲିସ ପଚରାଉଚରା କରିଛି। ଏଥିସହ ନିକଟରେ ଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ଉଦ୍ଧାର କରି ତଦନ୍ତ କରାଯାଉଥିବା ପୁଲିସ ସୂତ୍ରରୁ ପ୍ରକାଶ। ଅପରପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ପୁରୀରେ ଥିବା ରୀନାଙ୍କ ସ୍ୱାମୀ କଟକ ବଡ଼ ଡାକ୍ତରଖାନାକୁ ଆସିଥିବା ସୂଚନା ମିଳିଛି। ତେବେ ସଂଧ୍ୟା ସୁଦ୍ଧା ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରୀନା ଓ ତାଙ୍କ ସ୍ୱାମୀ ଅଞ୍ଚଳର ଅନେକ ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଧାରକରଜ କରିଥିଲେ। ଧାର୍‌ ଦେଇଥିବା ଲୋକମାନେ ରୀନା ଓ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର ଟଙ୍କା ଶୁଝିବା ପାଇଁ ତାଗିଦ୍‌ କରୁଥିଲେ। ଏହାପରେ ରୀନା ଓ ତାଙ୍କ ପରିବାର ବାହାରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ରୀନା ଏକୁଟିଆ ପଙ୍କାଳସ୍ଥିତ ଘରକୁ ଆସିଥିଲେ। ଆଜି ସକାଳେ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ରୀନା କହିଛନ୍ତି ଯେ, ସେ ଦିନକୁ ୧୦/୨୦ ପଇସା ସୁଧରେ ୧୫ ଦିନିଆ ଟଙ୍କା ଧାର ନେଇଛନ୍ତି। ସବୁ ମାସରେ କିନ୍ତୁ ସେ ସୁଧ ଟଙ୍କା ଦେଉଛନ୍ତି। ହେଲେ ଏହି ମାସରେ ଦେଇ ପାରିଲେନି ବୋଲି ତାଙ୍କୁ ଟଙ୍କା ଦେଉଥିବା ଲୋକ ଧମକ ଦେଉଥିଲେ। କୋଟିଏ ଟଙ୍କାର ଘରକୁ ସେମାନେ ୪୦ ଲକ୍ଷରେ ନେବାକୁ ଚାପ ପକାଉଥିଲେ। ଏପରିକି ଘରର ଅନେକ ସାମଗ୍ରୀ ସହ ସୁନା, ଗହଣା ମଧ୍ୟ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ସେ ଏହି ଘଟଣାରେ ଅନେକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ଅଭିଯୋଗ କରୁଥିବାବେଳେ ପୁଲିସ ପାଖକୁ ଅଭିଯୋଗ ନେଇ ଯାଇଥିଲେ ବି ପୁଲିସ ଶୁଣି ନଥିବା ରୀନା କହିଛନ୍ତି। ଏଥିସହିତ ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର