ପୂର୍ବ ବିବାଦକୁ ନେଇ ଯୁବକଙ୍କୁ ଏସିଡ୍‌ ମାଡ଼

ହାଟଡିହି: ପୂର୍ବ ବିବାଦକୁ ନେଇ ଜଣେ ଯୁବକକୁ ଏସିଡ୍‌ ମାଡ଼ କରାଯାଇଛି। ଏସିଡ୍‌ ମାଡ଼ରେ ଗୁରୁତର ହୋଇଥିବା ଯୁବକ ହେଲେ ଭଦ୍ରକ ଜିଲ୍ଲା ବନ୍ତ ଥାନା ସିଲନ୍ଦୀ ଗ୍ରାମର ପାର୍ଥସାରଥି ଜେନା। ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପାର୍ଥ ଓ ପଡ଼ୋଶୀ ଚନ୍ଦ୍ରକାନ୍ତ ଜେନାଙ୍କ ମଧ୍ୟରେ ଜମିବାଡ଼ି ସମସ୍ୟାକୁ ନେଇ ପୂର୍ବରୁ ବିବାଦ ଲାଗି ରହିଛି। ଗତକାଲି ରାତିରେ ପାର୍ଥ ତାଙ୍କ ବାପାଙ୍କ ପାଇଁ ଔଧେ ଆଣିବାକୁ ଛେନାପଦିଛକକୁ ଆସିଥିଲେ। ସେ ଘରକୁ ଫେରିବା ବାଟରେ ଚନ୍ଦ୍ରକାନ୍ତ ଓ ତାଙ୍କର ଆଉ ଦୁଇ ସହଯୋଗୀ ହାଟଡିହି ନିକଟରେ ଅଟକାଇ ଏକ ନିକାଞ୍ଚନ ସ୍ଥାନକୁ ନେଇଯାଇ ମାଡ଼ ମାରିବା ସହିତ ତା’ ଉପରେ ଏସିଡ୍‌ ଢାଳି ଦେଇଥିଲେ।  ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାରୁ ଆକ୍ରମଣକାରୀ  ସେଠାରୁ ଚମ୍ପଟ ମାରିଥିଲେ ବୋଲି ପାର୍ଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଦ୍ରକ ଡାକ୍ତରଖାନା ପଠାଇଥିଲେ।  ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ପାର୍ଥ ଥାନାରେ କୌଣସି ଅଭିଯୋଗ କରି ନଥିବା ଜଣାଯାଇଛି ।

ଅନ୍ୟପଟେ ଚନ୍ଦ୍ରକାନ୍ତଙ୍କ ପତ୍ନୀ ନନ୍ଦିପଦା ଥାନାରେ ପାର୍ଥଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ସେ ବାପଘର ହାଟଡିହିକୁ ଆସିଥିବାବେଳେ ଦିନ ଦୁଇଟା ସମୟରେ ପାର୍ଥ ଓ ଅନ୍ୟ ଜଣେ ଯୁବକ ତାଙ୍କ ଘରକୁ ଆସି ତାଙ୍କୁ ଏକୁଟିଆ ପାଇ  ଦୁର୍ବ୍ୟବହାର  କରିଥିଲେ। ସେ ଚିତ୍କାର କରିବାରୁ ସାଙ୍ଗରେ ଆସିଥିବା ଯୁବକ ଜଣକ ତା’ ପାଟିକୁ ଚାପି ଧରି ଏକ ଏସିଡ୍‌ ବୋତଲ ଦେଖାଇ ଜୀବନରେ ମାରି ଦେବାକୁ ଧମକ ଚମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ଗଗନ ବିହାରୀ ବିଶ୍ୱାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର