‘ଛପାକ୍‌’ ଦେଖିଲେ ୫ ଏସିଡ୍‌ ପୀଡ଼ିତା, ନିଜ ସଂଘର୍ଷ କଥା ମନେ ପକାଇଲେ, ଆଖି ଲୁହରେ ଭିଜିଲେ

କଟକ : କଟକର ଆଇନକ୍ସରେ ୫ ଜଣ ଏସିଡ଼୍‌ ପୀଡ଼ିତା ଆଜି ଏକାଠି ବସି ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛପାକ୍‌’ ଦେଖିଛନ୍ତି। ସେମାନେ ହେଲେ, ପ୍ରମୋଦିନୀ, ମମତା, ରୋଜାଲିନ୍‌, ଶୁଚିସ୍ମିତା ଆଉ କାଏନାତ୍ ପରବିନ୍‌। ଚଳଚ୍ଚିତ୍ର ଦେଖୁଥିବା ସମୟରେ ସେମାନଙ୍କ ଆଖିରେ ଲୁହ ରହି ନଥିଲା। ଅତୀତର ସଂଘର୍ଷ କଥା ମନେ ପଡ଼ିଯାଇଥିଲା। ଏପରିକି, ସିନେମା ଦେଖିବାକୁ ଆସିଥିବା ଅନେକ ଦର୍ଶକ ବାଦ୍‌ ଯାଇନଥିଲେ, ସେମାନଙ୍କ ଆଖିରୁ ବି ଲୁହ ବାହାରି ଆସିଥିଲା।

ଏସିଡ୍‌ ପୀଡ଼ିତାଙ୍କ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଛପାକ’। ‘ଛପାକ’ ଆଜି ରିଲିଜ୍‌ ହେବାପରେ କଟକର ଚହଟାରେ ରହୁଥିବା ପ୍ରମୋଦିନୀ ରାଉଳଙ୍କ ଘରେ ଏକାଠି ହୋଇଥିଲେ ଭୁବନେଶ୍ବରେ ରହୁଥିବା ମମତା ବେହେରା, ଢେଙ୍କାନାଳର ରୋଜାଲିନ୍‌ ସାହୁ, ଯାଜପୁରର ଶୁଚିସ୍ମିତା ରାଉତ୍‌ ଓ କଟକର କାଇନାକ୍‌ ପରବିନ୍‌। ସେମାନଙ୍କ ସହିତ ପ୍ରମୋଦିନୀଙ୍କ ସ୍ବାମୀ ସରୋଜ ସାହୁ ଓ ମା’ କବିତା ରାଉଳଙ୍କ ସହିତ ସମସ୍ତେ ଚଳଚ୍ଚିତ୍ରକୁ ଦେଖିବାକୁ ଆସିଥିଲେ।

ଚଳଚ୍ଚିତ୍ରଟିକୁ ଦେଖିବାପରେ କାନ୍ଦି ପକାଇଥିଲେ ସବୁ ପୀଡ଼ିତା। ମନେ ପଡ଼ିଯାଇଥିଲା ସେମାନଙ୍କ ଜୀବନର ଅତୀତ ଆଉ ସଂଘର୍ଷ କାହାଣୀ। ଏହି ଚଳଚ୍ଚିତ୍ରରେ ପ୍ରତିଟି ପୀଡ଼ିତାଙ୍କ ସଂଘର୍ଷର କାହାଣୀକୁ ଅତି ଉଚ୍ଚକୋଟୀର ତଥା ନିଚ୍ଛକ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି ଚର୍ଚ୍ଚିତ ନାୟିକା ଦୀପିକା ପାଦୁକୋନ୍‌। ଏହି ଚଳଚ୍ଚିତ୍ରର ବାର୍ତ୍ତା ପ୍ରତି ଘରେ ପହଞ୍ଚିବା ଦରକାର ବୋଲି କହିଛନ୍ତି ରାଜ୍ୟ ଷ୍ଟପ୍‌ ଏସିଡ୍‌ ଆଟାକ୍‌, ଷ୍ଟପ୍‌ ଏସିଡ୍‌ ସେଲ୍‌ କ୍ୟାମ୍ପେନ୍‌ର ମୁଖ୍ୟ ତଥା ନିଜେ ଏକଦା ଏସିଡ୍‌ ମାଡ଼ର ଶିକାର ହୋଇଥିବା ପ୍ରମୋଦିନୀ ରାଉଳ।

ଚଳଚ୍ଚିତ୍ରର ନିର୍ଦ୍ଦେଶନା ଏବଂ ଦୀପିକାଙ୍କ ଅଭିନୟ ଅତ୍ୟନ୍ତ ବାସ୍ତବ ହୋଇଛି ବୋଲି କହିଛନ୍ତି ୫ ପୀଡ଼ିତା। ଅନ୍ୟପଟେ ପ୍ରମୋଦିନୀ ଓ ଓଡିଶାର ପୀଡ଼ିତାମାନଙ୍କୁ ନେଇ ମଧ୍ୟ ଏକ ଚଳଚ୍ଚିତ୍ର ହେବା ଦରକାର ବୋଲି ସେମାନେ ଏହି ଅବସରରେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର