ଏ ଯୁଗରେ ବି ଅନ୍ଧବିଶ୍ବାସ ! ସାପ କାମୁଡ଼ା ଚିକିତ୍ସା ପାଇଁ ଶରୀର ଉପରେ ପକାଯାଉଛି ଏସିଡ୍‌

ଭୁବନେଶ୍ୱର : ସାପ କାମୁଡ଼ା ଚିକିତ୍ସା ପାଇଁ ଚିକିତ୍ସା ବିଜ୍ଞାନ ଆଣ୍ଟିଭେନମ ଭେଟିଦେଇଛି। ମାତ୍ର ଏବେ ବି କିଛି ଲୋକ ଅନ୍ଧବିଶ୍ବାସର ବଶବର୍ତୀ ହୋଇ ଗୁଣିଆ ପାଖକୁ ଦୌଡ଼ୁଛନ୍ତି। ଶଠ ବଇଦଙ୍କ ହାବୁଡ଼ରେ ପଡ଼ିବାରୁ ଲୋକଙ୍କ ଜୀବନ ଆହୁରି ବିପଦକୁ ଠେଲି ହୋଇଯାଉଛି। ଆଶ୍ଚର୍ଯ୍ୟର କଥା; ସାପ କାମୁଡ଼ା ସ୍ଥାନରେ ଏସିଡ୍‌ର ପ୍ରଲେପ ଦେଇ ଚିକିତ୍ସା କରାଯାଉଥିବା ଭଳି ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏହି ପ୍ରଲେପ ଦ୍ବାରା ବିଷ ନଷ୍ଟ ହୋଇଯାଉଥିବା କହି ଚିକିତ୍ସା କରାଯାଉଛି। ଢେଙ୍କାନାଳ ମୃଦଙ୍ଗପଲ୍ଲୀ ଗ୍ରାମରେ ଏହିଭଳି ପଦ୍ଧତିରେ ଚିକିତ୍ସା ହେଉଛି। ଯଦିଓ ଏପରି ପ୍ରଲେପ କରୁଥିବା ବ୍ୟକ୍ତି ତାହା ଏସିଡ୍‌ ବୋଲି ମାନୁନାହାନ୍ତି କିନ୍ତୁ ପ୍ରଲେପ ସ୍ଥାନରେ ସୃଷ୍ଟି ହୋଇଥିବା କ୍ଷତରୁ ଏହା ଏସିଡ୍‌ରୁ ସୃଷ୍ଟି ହୋଇଥିବା କ୍ଷତ ଚିହ୍ନ ବୋଲି ଡାକ୍ତର କହିଛନ୍ତି।

ଅଗଷ୍ଟ ୧୭ ତାରିଖରେ ନିକଟସ୍ଥ ଗ୍ରାମର ସରିତା ମହାପାତ୍ର ନାମକ ଯୁବତୀଙ୍କୁ ରାତି ସାଢ଼େ ୧୧ଟାରେ କିଛି ଗୋଟେ କାମୁଡ଼ି ଦେଇଥିଲା। ଅନ୍ଧାରରେ ଯଦିଓ ସେ ଠିକ୍‌ ଜାଣିପାରିଲେନି କିନ୍ତୁ ସାପ କାମୁଡ଼ି ଦେବା ଭାବି ସମ୍ପୃକ୍ତ ତଥାକଥିତ ବଇଦଙ୍କ ପାଖକୁ ପରିବାର ଲୋକଙ୍କ ସହାୟତାରେ ଗଲେ। ସରିତା ପହଞ୍ଚିବା ପରେ ତାଙ୍କ ପାଦରୁ ଜଙ୍ଘ ପର୍ଯ୍ୟନ୍ତ ବ୍ରସ ସାହାଯ୍ୟରେ ତରଳ ପଦାର୍ଥର ଲେପ ଦିଆଗଲା। ସନ୍ଦେହ ହେବାରୁ ସରିତା ପଚାରିଲେ, ଏହା ଏସିଡ୍‌ କି? ସମ୍ପୃକ୍ତ ବ୍ୟକ୍ତିଜଣକ କହିଥିଲେ, ଏସିଡ୍‌ ନୁହେଁ, କିନ୍ତୁ ଏସିଡ୍‌ ଭଳିଆ। ବୋଳା ସରିବା ପରେ ତାଙ୍କ ଗୋଡ଼ ଜଳା ପୋଡ଼ା ଆରମ୍ଭ ହେଲା। ରାତିଯାକ ଯନ୍ତ୍ରଣାରେ ଛଟପଟ ହୋଇ ଶୋଇପାରିଲେନି। ସକାଳୁ ଲେପ ଦିଆଯାଇଥିବା ସ୍ଥାନ ସିଝି ଯାଇଥିଲା। ଠାଏ ଠାଏ ଫୋଟକା ହୋଇ ଲସା ବାହାରୁଥିଲା।

ସେଠାରୁ ଏ ଖବର ପାଇବା ପରେ ସ୍ନେକ୍‌ ହେଲ୍‌ପଲାଇନ୍‌ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଲଳିତ ମୋହନ ପଣ୍ଡା, ଆଶିଷ ବେହେରାଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ସତ୍ୟାସତ୍ୟ ଜାଣି ତାଜୁବ ହୋଇଯାଇଥିଲେ। ପରେ ସେଠାରେ ଚିକିତ୍ସା ହୋଇଥିବା ଆଉ କିଛି ଲୋକଙ୍କ ସନ୍ଧାନରେ ଲାଗିପଡ଼ିଲେ। ୪୫ ବର୍ଷୀୟା ମହିଳା ଶୁଭଶ୍ରୀ ମହାପାତ୍ରଙ୍କୁ କଙ୍କଡ଼ା ବିଛା କାମୁଡ଼ି ଦେଇଥିବା ବ‌େଳେ ତାଙ୍କ ଗୋଡ଼ରେ ବି ସେହିପରି ଲେପ ଦିଆଯାଇଥିଲା। ମୁଣ୍ଡ ବୁଲାଉଥିବାରୁ ମଥାରେ ବି ସେଇ ଲେପ ଦିଆଗଲା। ଘା ଓ ଫୋଟକା ହୋଇଯିବାରୁ ପରେ ଡାକ୍ତରଖାନା ଯାଇ ମେଡିସିନ ଖାଇ ସୁସ୍ଥ ହୋଇଥିଲେ। ହେଲେ ମୁଣ୍ଡରୁ ଏଯାଏ କଳାଦାଗ ଲିଭିନାହିଁ। ସେହିଭଳି ଗତ ଅଗଷ୍ଟ ୧୫ରେ ନିରଂଜନ ବେହେରା (୩୦)ଙ୍କ ମୁଣ୍ଡ ଉପରେ ଚାଳରୁ ଏକ ସାପ ଖସି ପଡ଼ିଥିଲା। ନିରଂଜନ ଡାହାଣ ହାତରେ ଛାଟିଦେବାରୁ ତାହା ପଳେଇଲା। ସାପଟି କାମୁଡ଼ିଥିଲା କି ନାହିଁ ସେ ଜାଣିନଥିଲେ ବି ସନ୍ଦେହରେ ଚିକିତ୍ସା ପାଇଁ ଯାଇ ସେଠାରେ ପହଞ୍ଚିବା ପରେ ତାଙ୍କ ବେକ ପଛ ପାର୍ଶ୍ବ, କାନ୍ଧ ଓ ହାତରେ ସେଇ ଲେପ ଦିଆଗଲା। ପ୍ରଲେପ ସ୍ଥାନ ସିଝି ଫାଟି ଯାଇଥିବା ବ‌େଳେ ଏବେ ସେ ସାର୍ଟ ପିନ୍ଧିପାରୁନାହାନ୍ତି। ବିଡ଼ମ୍ବନା ଏହି ଯେ ମଡେଲ୍‌ ପଏଜନ ଆଣ୍ଡ୍‌ ସେଲ୍‌ସ ରୁଲ୍‌ସ ୨୦୧୩ ମୁତାବକ ଏସିଡ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି କିପରି ‌ଏସିଡ୍‌ ସ୍ବଚ୍ଛନ୍ଦରେ କିଣି ଚିକିତ୍ସା କରୁଛନ୍ତି ତାହା ପ୍ରଶ୍ନବାଚୀ।

ଏନେଇ ଏମ୍‌ସର ଫୋରେନ୍‌ସିକ୍‌ ମେଡିସିନ୍‌ ଓ ‌ଟକ୍ସିକୋଲୋଜିର ଆଡିସନାଲ୍‌ ପ୍ରଫେସର ସୁଦୀପ୍ତ କୁମାର ସିଂହ ଫଟୋରେ ଏହି ପୋଡ଼ା ଦାଗ ଦେଖି କହିଛନ୍ତି, ଏସିଡ୍‌ ପ୍ରଲେପରୁ ହିଁ ଏପରି କ୍ଷତ ହୋଇଛି। ଚିକିତ୍ସା ବିଜ୍ଞାନରେ ଏପରି କେବେ ବି ନଥିଲା। ଏହା ଅତ୍ୟନ୍ତ ବିରଳ କଥା। ମେଡିକାଲ ଚିକିତ୍ସାର ନିର୍ଦିଷ୍ଟ ଗାଇଡ୍‌ଲାଇନ୍‌ ରହିଛି। କିନ୍ତୁ ଲୋକେ ନବୁଝି ଚିକିତ୍ସା କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏବେ ବି ଅନ୍ଧବିଶ୍ବାସ ଯୋଗୁଁ ସାଧାରଣ ଲୋକେ ସ୍ଥାନୀୟ ଗୁଣିଆ ଓ ଶଠ ବଇଦଙ୍କ ଶିକାର ପାଲଟୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏସିଡ୍‌ ଶରୀର ଉପରେ ପଡ଼ିଲେ ସେ ସ୍ଥାନ ବିକୃତ ହୋଇଯାଏ। ଯଦି ଭଲ ନହୁଏ ତେବେ ସଂକ୍ରମଣର ବି ଆଶଙ୍କା ଥାଏ। ଏହାକୁ ଚିକିତ୍ସା କରିବା ଭାରି ବିଳମ୍ବ ହୁଏ। ଯଦିଓ ସରକାରୀ ସ୍ତରରେ ଏନେଇ ସଚେତନ କରିବା ପାଇଁ ବହୁ ଯୋଜନା ହେଉଛି କିନ୍ତୁ ଏବେ ବି କିଛି ବ୍ୟକ୍ତିଙ୍କ ଅନ୍ଧ ବିଶ୍ବାସ ଉପରୁ ପରଦା ଉଠିପାରିନାହିଁ।

ଶ୍ରୀ ମଲ୍ଲିକ କହିଛନ୍ତି, ଅନ୍ଧବିଶ୍ବାସକୁ ପ୍ରଶ୍ରୟ ଦେଉଥିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଏହାର ନକଲ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ, ରାଜ୍ୟ ପୁଲିସ ମହାନିର୍ଦେଶକ, ଢେଙ୍କାନାଳ ଜିଲ୍ଲା ଏସ୍‌ପି, ଢେଙ୍କାନାଳ ସିଡିଏମ୍‌ଓଙ୍କୁ ମେଲ୍‌ ଜରିଆରେ ପଠାଇଛନ୍ତି।

ସମ୍ବନ୍ଧିତ ଖବର