ଭୁବନେଶ୍ବର: ସେ ଦିନ କଥା ପଚାରନ୍ତୁନି। ଦେହ କ’ଣ ହୋଇ ଯାଉଛି। ସ୍ବପ୍ନ ଥିଲା ଶିକ୍ଷୟିତ୍ରୀ ହୋଇ ଥାଆନ୍ତି। ହେଲେ ଯୁକ୍ତ ତିନି ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ଗାଁର ମଦ ଦୋକାନୀ ଜିତେନ୍ଦ୍ର ସର ମୁଣ୍ଡ ଉପରେ ଏସିଡ୍‌ ଢାଳିଦେଲା। ଦେହର ୬୦ ପ୍ରତିଶତ ଜଳି ଯାଇଥିଲା। ତୁରନ୍ତ ପ୍ରଥମେ ଢେଙ୍କାନାଳ ଜିଲ୍ଲା ରାସୋଳ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଏସସିବି ଡାକ୍ତରଖାନାରେ ଚିକିତ୍ସା ହେଲା। ମୁଣ୍ଡ, ଆଖି, କାନ, ପିଠି ସମେତ ଶରୀରର ବିଭିନ୍ନ ଅଂଶକୁ ମିଶାଇ ୧୫ ଥର ଅସ୍ତ୍ରୋପଚାର କରାଯାଇଛି। ଜମି, ଗହଣା ବନ୍ଧା ପକାଇ କେବଳ ଚିକିତ୍ସା ପାଇଁ ୯ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ବାପା ଭାଇ ସର୍ବସ୍ବାନ୍ତ ହୋଇଗଲେ। ଅଭଯୁକ୍ତକୁ ପୁଲିସ ଗିରଫ କଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଟଙ୍କା ମିଳିଲା ନାହିଁ। ୨୦୧୨ ମସିହା ପୂର୍ବର ଏସିଡ୍‌ ଆକ୍ରମଣ ଶିକାରଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା ନଥିବା କହି ଫେରାଇ ଦେଉଛନ୍ତି। ଏହା କହିଛନ୍ତି ୨୦୦୫ ମସିହାରେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଢେଙ୍କାନାଳ ଜିଲ୍ଲା ରାସୋଳର ମମତା ବେହେରା।

Advertisment

ଏତେ ବଡ଼ ଘଟଣା ପରେବି ମମତା ହାରି ନାହାନ୍ତି ବରଂ ଆଜି ବିବାହ କରି ଗୋଟିଏ ସନ୍ତାନର ମା’। ଏଥିସହିତ ଢେଙ୍କାନାଳରେ ଡାକ୍ତରଖାନା ଆଟେଣ୍ଡାଣ୍ଟ୍‌ ଭାବରେ କାର୍ଯ୍ୟରତ ଅଛନ୍ତି। ଚାକିରିର ୧୫ ବର୍ଷ ପରେ ମଧ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଚାକିରିକୁ ନିୟମିତ କରାଯାଉ ନାହିଁ। ଠିକା ସଂସ୍ଥା ଜରିଆରେ ୭ ହଜାର ଟଙ୍କାର ନାମମାତ୍ର ବେତନ ମିଳୁଛି। ତାହା ମଧ୍ୟ ନିୟମିତ ନୁହେଁ। ଏସିଡ୍‌ ପୀଡ଼ିତାଙ୍କ ପାଇଁ ସଂରକ୍ଷଣ ସୁବିଧାରୁ ତାଙ୍କୁ ବଞ୍ଚିତ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ବି ସେ ପାଇ ନାହାନ୍ତି। ଏହାକୁ ନେଇ ସେ ସ୍ବାସ୍ଥ୍ୟ ସଚିବଙ୍କ ଠାରୁ ଢେଙ୍କାନାଳ ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କୌଣସି ଲାଭ ହୋଇନାହିଁ।

କେବଳ ମମତା ଏହାର ଏକମାତ୍ର ଉଦାହରଣ ନୁହନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପାଟଳିପଙ୍କର ହିମାଂଶୁ ବାରିକ(୩୦)ଙ୍କ ଜୀବନ ଆହୁରି ଭୟଙ୍କର ଏବଂ ଲୋମହର୍ଷକ। ୨୦୧୮ ଅକ୍ଟୋବର ୯ରେ ରାତିରେ ଗର୍ଭବତୀ ସ୍ତ୍ରୀ ଏବଂ ୫ ଏବଂ ୩ ବର୍ଷୀୟ ଦୁଇ ଝିଅଙ୍କ ସହ ଶୋଇଥିଲେ ହିମାଂଶୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଚୋରା ମଦ ବ୍ୟବସାୟୀ ଭବାନୀ ଶଙ୍କର ଓଝା, ସତ୍ୟରଞ୍ଜନ ସେଠୀ ସମ୍ପୂର୍ଣ୍ଣ ପରିବାର ଉପରେ ଏସିଡ୍‌ ଢାଳି ଦେଇଥିଲେ। ଏଥିଯୋଗୁଁ ହିମାଂଶୁ ଦୃଷ୍ଟିହୀନ ହୋଇ ଯାଇଛନ୍ତି। କାନ ମଧ୍ୟ ଛିଡ଼ି ଯାଇଛି। ବାପା ବୈଷ୍ଣବ ବାରିକଙ୍କ କହିବା ଅନୁସାରେ, ଏସିଡ୍‌ ମାଡ଼ର ଆଂଶିକ ପ୍ରଭାବରୁ ହିମାଂଶୁଙ୍କ ଦୁଇ ଶିଶୁ କନ୍ୟା ଏବଂ ସ୍ତ୍ରୀ ମଧ୍ୟ ବର୍ତ୍ତି ପାରିନଥିଲେ। ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇବାକୁ ପଡ଼ିଥିଲା। ହିମାଂଶୁଙ୍କ ଅବସ୍ଥା ସେତେବେଳେ ଏତେ ଜଟିଳ ଥିଲା ଯେ ଏସ୍‌ସିବି ମଧ୍ୟ ରେଫର୍‌ କରାଇ ଦେଇଥିଲେ। ଭୁବନେଶ୍ବର ସହିତ ଚେନ୍ନାଇ, ବେଙ୍ଗାଲୁରୁର ବିଭିନ୍ନ ଘରୋଇ ଡାକ୍ତରଖାନାରେ ବର୍ତ୍ତମାନ ବି ଚିକିତ୍ସା ଜାରି ରହିଛି। ଚିକିତ୍ସା ବାବଦରେ ପ୍ରାୟ ୪୦ ଲକ୍ଷରୁ ଊର୍ଧ୍ବ ଟଙ୍କା ଖର୍ଚ୍ଚ ହେଲାଣି। କିନ୍ତୁ ଏହି ଘଟଣାର ଅଭିଯୁକ୍ତ ୨ ମାସ ପରେ ଜାମିନ ପାଇ ଯାଇଥିଲା। ଏବେ ମଧ୍ୟ ଅଭିଯୁକ୍ତ ସେମାନଙ୍କ ପରିବାରକୁ ଧମକ ଦେଉଛି। ଏହାକୁ ନେଇ ହିମାଂଶୁ ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଡିଜି ପର୍ଯ୍ୟନ୍ତ ଦ୍ବାରସ୍ଥ ହୋଇଛନ୍ତି। କିନ୍ତୁ କୌଣସି ଲାଭ ହୋଇନାହିଁ। ଏଣେ ଅଦାଲତର ରାୟ ଆସିବାରେ ବିଳମ୍ବିତ ହେଉଥିବାରୁ କ୍ଷତିପୂରଣ ବାବଦରେ ମିଳିବାକୁ ଥିବା ଦେଢ଼ଲକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ।

ରାଜଧାନୀର ଲୋୟର ପିଏମଜିରେ ଏକାଠି ହୋଇଥିବା କେନ୍ଦ୍ରାପଡ଼ା, ବାଲେଶ୍ବର, ଢେଙ୍କାନାଳ, ଜଗତସିଂହପୁର ଏବଂ କଟକର ଏସିଡ୍‌ ଆକ୍ରମଣର ଶିକାର ବ୍ୟକ୍ତିମାନେ ଏହା କହିଛନ୍ତି। କିଛି ଦିନ ପୂର୍ବରୁ ନୋଏଡାରେ ମହିଳାଙ୍କ ଉପରେ ସ୍ବାମୀଙ୍କ ଏସିଡ୍‌ ଆକ୍ରମଣ ଘଟଣାର ପ୍ରତିବାଦ ସହିତ ରାଜ୍ୟର ସମସ୍ତ ଏସିଡ୍‌ ଆକ୍ରମଣର ଶିକାର ବ୍ୟକ୍ତିଙ୍କୁ ନ୍ୟାୟ ଦାବି ନେଇ ଛାଓଁ ଫାଉଣ୍ଡେସନ ଷ୍ଟପ୍‌ ଏସିଡ୍‌ ଆଟାକ ପକ୍ଷରୁ ମୌନ ପ୍ରତିବାଦ ହୋଇଥିଲା। ଏହି ଫାଉଣ୍ଡେସନର ପ୍ରମୋଦିନୀ ରାଉଳ କହିଛନ୍ତି, ସରକାରୀ ନିୟମ ଅନୁଯାୟୀ, ଏସିଡ୍‌ ଆକ୍ରମଣର ୩ ମାସ ମଧ୍ୟରେ ପୀଡ଼ିତଙ୍କୁ ୫ ଲକ୍ଷ ସମେତ ସମୁଦାୟ ୮ ଲକ୍ଷ ଆର୍ଥିକ ସହାୟତା, ଉଭୟ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା, ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ୨୦୧୨ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୯ ବ୍ୟକ୍ତିଙ୍କ ଉପରେ ଏସିଡ୍‌ ଆକ୍ରମଣ ହୋଇଛି। ତାଙ୍କ ଫାଉଣ୍ଡେସନ ପକ୍ଷରୁ ଏଭଳି ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି।

ଯାହାଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ଆର୍ଥିକ ସହାୟତା ମିଳିନାହିଁ। ଏଦିଗରେ ଜିଲ୍ଲା ଲିଗାଲ ଫୋରମ ଯେଉଁଭଳି କାର୍ଯ୍ୟ କରିବା କଥା ତାହା କରୁ ନାହାନ୍ତି। ବାଲେଶ୍ବରର ନମିତା ଜିଙ୍କ ମାମଲାକୁ ତଦନ୍ତ ପୂର୍ବରୁ ବନ୍ଦ କରି ଦିଆଯାଇଛି। ରାଜ୍ୟରେ ଏସିଡ୍‌ ଆକ୍ରମଣ ଶିକାର ବ୍ୟକ୍ତିଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ବିଶେଷ ଚିକିତ୍ସା ସୁବିଧା ନାହିଁ। ନିୟମ ସତ୍ତ୍ବେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସୁବିଧାଜନକ କିମ୍ବା ମାଗଣା ହୋଇ ପାରୁ ନାହିଁ। ଏଥିସହିତ ସେ କହନ୍ତି, ଏସିଡ୍‌ ଆକ୍ରମଣରେ ଚେହେରା ବିଗିଡ଼ିଯିବା ପରେ କୌଣସି ବ୍ୟକ୍ତିଙ୍କ ଜୀବନ ସହଜ ହୋଇ ରହେନାହିଁ। ଶାରୀରିକ କଷ୍ଟ ସହିତ ମାନସିକ ଅବସାଦ ବଳି ପଡ଼େ। ସେଥିରେ ପୁଣି ଲୋକଙ୍କ ଟାହିଟାପରାର କଷ୍ଟ ରହିଛି। ଏସବୁ ମଧ୍ୟରେ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିବାକୁ ଚାହୁଥିବା ଏସିଡ୍‌ ପୀଡ଼ିତଙ୍କୁ ସର୍ବନିମ୍ନ ସରକାରୀ ସୁବିଧା ଏବଂ ନ୍ୟାୟ ନମିଳିଲେ ଆମେ ବଞ୍ଚିବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି।