ଫୁଟବଲ ଖେଳ ଦେଖି ଫେରିଲାବେଳେ ଦୁଇଟି ସ୍ଥାନରେ ଦୁର୍ଘଟଣା: ଜଣେ ମୃତ, ୭ ଆହତ

ହରିଚନ୍ଦନପୁ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ପଞ୍ଚାୟତ ଜାମୁଦା ଗ୍ରାମରୁ ଫୁଟବଲ ଖେଳ ଦେଖି ଆଜି ସନ୍ଧ୍ୟାରେ ନିଜ ଘରକୁ ଫେରିଲାବେଳେ ରତ୍ନାନାଳ ଓ ଆଳୁଘାଟି ନିକଟରେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି।

ଖବରରୁ ପ୍ରକାଶ, ଗଣ୍ଡଡ଼ିହା ଗ୍ରାମର ବିପିନ ବିହାରୀ ନାଏକ (୪୦) ଓ କିରଣ ନାଏକ(୪୫) ଚାଲିଚାଲି ଆସୁଥିବାବେଳେ ଗୁରୁଚରଣ ମହାନ୍ତ (୪୦) ସାଇକେଲରେ ଘରକୁ ଅସୁଥିଲେ। ରତ୍ନାନାଳ ନିକଟରେ ପଛ ପଟୁ ଆସୁଥିବା ଏକ ଛୋଟ ଗାଡ଼ି ପ୍ରଥମେ ଚାଲି ଚାଲି ଆସୁଥିବା ଦୁଇଜଣଙ୍କୁ ଧକ୍କା ଦେବାପରେ ସାଇକେଲରେ ଆସୁଥିବା ଶ୍ରୀ ମହାନ୍ତଙ୍କୁ ଧକ୍କା ଦେଇ ୨୫ ମିଟର ଘୋଷାଡ଼ି ନେଇଯାଇଥିଲା । ଧକ୍କା ଦେବାପରେ ଗାଡ଼ିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଗୁରୁତର ଥିବା ୩ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣା ଯାଇଥିଲେ ମଧ୍ୟ ଶ୍ରୀ ମହନ୍ତଙ୍କ ମୃତ୍ୟୁ ଘଟିଥିଲା ।

ସେହିପରି ଖେଳ ଦେଖିସାରି ଭଗାମୁଣ୍ଡା ଗ୍ରାମର ନବଘନ ଦେହୁରୀ (୩୫) ସାଇକେଲରେ ଘରକୁ ଫେରୁଥିଲେ । ପଛପଟୁ ଏକ ଅଟୋରିକ୍ସା ଆସି ଆଳୁଘାଟି ନିକଟରେ ଶ୍ରୀ ଦେହୁରୀଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଫଳରେ ଅଟୋରିକ୍ସାର ଡ୍ରାଇଭର ଗୌଣିଘସା ଗ୍ରାମର ଚକ୍ରଧର ମହାନ୍ତ (୪୫)ଙ୍କ ସମେତ ଅଟୋରିକ୍ସାରେ ବସିଥିବା ଗୌଣିଘସା ଗ୍ରାମର ଶୁକଦେବ ଦେହୁରୀ (୩୫) , ପ୍ରଦୀପ ଦେହୁରୀ (୩୨) ଓ ଚିଲିକିଧରା ଗ୍ରାମର ବିଳାସ ଦେହୁରୀ (୩୦) ଏବଂ ସାଇକେଲ ଆରୋହୀ ଶ୍ରୀ ଦେହୁରୀ ଗୁରୁତର ଆହତ ହୋଇଛନ୍ତି।

ହରିଚନ୍ଦନପୁର ଦମକଳ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ୫ ଜଣଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଥାନାର ଏସଆଇ ସୁରେଶ କୁମାର ମାଝିଙ୍କ ସମେତ ପୁଲିସ ଘଟଣାସ୍ଥଳକୁ ଯାଇ ସାଇକେଲ ଓ ଅଟୋରିକ୍ସା ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର