ଏଣିକି ସମ୍ବେଦନଶୀଳ ଥାନା ଦାୟିତ୍ବ ନେବେ ଏସିପି

ପ୍ରଥମ ପର୍ଯ୍ୟାୟରେ କମିସନରେଟ୍‌ ପୁଲିସ୍‌ର ୯ ଥାନା ଚିହ୍ନଟ

କଟକ : ସମ୍ବେଦନଶୀଳ ଥାନା ଗୁଡ଼ିକରେ ଆଉ ରହିବନି ଆଇଆଇସି ପଦବି। ଏସିପି ବା ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦାୟିତ୍ବରେ ସେଭଳି ଥାନା ରହିବ। ରାଜ୍ୟରେ କମିସନରେଟ୍ ପୁଲିସରେ ପ୍ରଥମ ପର୍ଯ୍ୟାୟରେ ୯ଟି ଥାନାରେ ଏସିପିଙ୍କୁ ଥାନା ଦାୟିତ୍ବ ଦିଆଯିବ। ଏଥିପାଇଁ କମିସନରେଟ୍ ପୁଲିସ ଦକ୍ଷ ପୁଲିସ ଅଧିକାରୀଙ୍କୁ ଚୟନ କରି ନିୟୋଜିତ କରିବାକୁ ଯାଉଛି। କମିସନରେଟ୍ ପୁଲିସରେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଲାଗୁ କରାଯିବ। ପରେ ରାଜ୍ୟରେ ଅନ୍ୟ ସମ୍ବେଦନଶୀଳ ଥାନା ଦାୟିତ୍ବରେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ।

ସୂଚନା ଅନୁଯାୟୀ, ରାଜ୍ୟରେ ଥାନା ଦାୟିତ୍ବରେ ଥିବା ଓଆଇସି(ଅଫିସର ଇନଚାର୍ଜ) ପଦବି ଉଚ୍ଛେଦ ପରେ ଆଇଆଇସି ପଦବି ସୃଷ୍ଟି ହେଲା। ଏସ୍‌ଆଇଙ୍କ ହାତରୁ ଥାନା ଦାୟିତ୍ବ ଅପସାରଣ କରି ଇନ୍‌ସ୍ପେକ୍ଟରଙ୍କୁ ହସ୍ତାନ୍ତର କରାଗଲା। ଏବେ ରାଜ୍ୟରେ ଗ୍ରାମାଞ୍ଚଳ ଥାନାମାନଙ୍କରେ ଅଳ୍ପ ସଂଖ୍ୟକ ଓଆଇସି ପଦବି ଥିବାବେଳେ ଅର୍ଦ୍ଧାଧିକ ଥାନାରେ ଆଇଆଇସି ଥାନା ଦାୟିତ୍ବରେ ଅଛନ୍ତି। କିନ୍ତୁ କମିସନରେଟ୍ ପୁଲିସ ଆଉ ପାଦେ ଆଗେଇ ଇନସ୍ପେକ୍ଟରରୁ ଏସିପି ପାହ୍ୟାକୁ ପଦୋନ୍ନତି ପାଇଥିବା ଦକ୍ଷ ପୁଲିସ ଅଫିସରଙ୍କୁ ଥାନା ଦାୟିତ୍ବ ଦେବ। କମିସନରେଟ୍ ପୁଲିସରେ ସମ୍ବେଦନଶୀଳ ଥାନା ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ମୂଳକ ଭାବେ ଆଇଆଇସି ପଦବି ଉଚ୍ଛେଦ କରି ଏସିପି ଇନଚାର୍ଜ ପଦବି କାର୍ଯ୍ୟକାରୀ ହେବାକୁ ଯାଉଛି। ଭୁବନେଶ୍ବରରେ କ୍ୟାପିଟାଲ ଥାନା ସମେତ ଖାରବେଳ ନଗର, ସହିଦ ନଗର, ନୟାପଲ୍ଲୀ, ଖଣ୍ଡଗିରି ଥାନା ଏବଂ କଟକରେ ବାଦାମବାଡ଼ି ସମେତ ମଙ୍ଗଳାବାଗ, ଲାଲବାଗ, ଚାଉଳିଆଗଞ୍ଜ ଥାନାରେ ଏସିପି ଇନଚାର୍ଜ ଦାୟିତ୍ବରେ ରହିବେ। ଏହି ଏସିପି ପାହ୍ୟାର ଅଧିକାରୀ ଥାନା ଦାୟିତ୍ବରେ ରହିଲେ ସୁଦ୍ଧା ଏସିପି ସ୍କେଲର ଦରମା ପାଇବେ। କମିସନରେଟ୍ ପୁଲିସରେ ଯେଉଁ ଥାନାରେ ବାର୍ଷିକ ୫୦୦ରୁ ଉର୍ଦ୍ଧ୍ବ ମାମଲା ରୁଜୁ ହେଉଥିବ, ସେହି ଥାନା ଦାୟିତ୍ବରେ ଏସିପି ରହିବେ। ମାମଲା ସଂଖ୍ୟା ସହିତ ଥାନା ଅଧୀନରେ ଆଇନଶୃଙ୍ଖଳା ପରିସ୍ଥିତି ଅଧିକ ସୃଷ୍ଟି ହେଉଥିଲେ ଏହାକୁ ବି ବିଚାରକୁ ନିଆଯିବ।

୨୦୧୫ ପୂର୍ବରୁ ୧୦ ବର୍ଷ ଏସଆଇ ଭାବ୍ୟ କାର୍ଯ୍ୟ କଲେ ଜଣେ ପୁଲିସ ଅଫିସର ଇନସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ପାଉଥିଲେ। କିନ୍ତୁ ପରେ ଇନସ୍ପେକ୍ଟର ପଦବି ଖାଲି ପଡ଼ିବାରୁ ୧୦ବର୍ଷିଆ ସର୍ତ୍ତକୁ ୭ ବର୍ଷ ଯାଏ ହ୍ରାସ କରି ଦିଆଗଲା। ତେଣୁ ଗୁରୁତ୍ବପୂର୍ଣ୍ଣ ଥାନା ଗୁଡ଼ିକୁ ଦକ୍ଷ ଅଫିସର ମିଳିପାରିଲେ ନାହିଁ। ଏହି ସମସ୍ୟା ଅଧିକ କମିସନରେଟ୍ ପୁଲିସରେ ଦେଖା ଦେଇଛି। ଚଳିତବର୍ଷ ଦକ୍ଷ ପୁଲିସ ଅଫିସରଙ୍କ ଅଭାବ ରହିବାରୁ କଟକ କମିସନରେଟରେ ପୁରୀଘାଟ, ଚାଉଳିଆଗଞ୍ଜ ଭଳି ଥାନାରେ ଆଇଆଇସି ପଦବି କରୋନା ସମୟରେ ଖାଲି ପଡ଼ିଥିଲା। ୨୦୨୧ ଡିସେମ୍ବର ୨୮ ତାରିଖରେ ଗୃହ ବିଭାଗ ରାଜ୍ୟରେ ମୋଟ ୫୯ ଜଣ ଇନସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦେଇଛି। ଏହି ଅଫିସର ପଦୋନ୍ନତି ପାଇବା ପରେ ଏବେ ବି ଅଧିକାଂଶ ଥାନା ଦାୟିତ୍ବରେ ଅଛନ୍ତି। କମିସନରେଟ୍ ପୁଲିସର ଉପରୋକ୍ତ ୯ଟି ଥାନାରେ ଏହି ଅଫିସରଙ୍କୁ ଦକ୍ଷତା ଭିତ୍ତିରେ ଏସିପି ଭାବେ ଥାନାରେ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର