ସେସୁ ହସ୍ତାନ୍ତର ପ୍ରସଂଗ : ନିଖିଳ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ମାମଲାରେ ଓଇଆର୍‌ସି ପକ୍ଷରୁ ଜବାବ ଦାଖଲ

କଟକ : ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ ଟାଟା ପାୱାର କମ୍ପାନିକୁ ବିକ୍ରି ପ୍ରସଂଗ ସଂପର୍କିତ ମାମଲାରେ ଆଜି ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରି କମିସନ (ଓଇଆରସି) ପକ୍ଷରୁ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଖିଳ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୯ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ସେପ୍ଟେମ୍ବର ୧୬ରେ ସେସୁକୁ କିଣିବାକୁ ଆଗ୍ରହୀ ସଂସ୍ଥାଗୁଡିକ ନିକଟରୁ ଆବେଦନ ଆହ୍ବାନ କରାଯାଇଥିଲା। ଏହି ବିଜ୍ଞପ୍ତି ଆଧାରରେ ଟାଟା ପାୱାର ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲା। ଟାଟା ପାୱାର ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। ଓଇଆରସି ୨୦୧୯ ଡିସେମ୍ବର ୨୦‌ରେ ଟାଟା ପାୱାର୍‌ ସପକ୍ଷରେ ଏକ ଲେଟର ଅଫ୍ ଇ‌ଣ୍ଟେଟ୍(ଏଲଓଆଇ) ଜାରି କରିଥିଲା। ଏପରି ପଦକ୍ଷେପ ଫଳରେ ସେସୁର ବୃହତ ଅଂଶଧନ ଟାଟା ପାୱାରକୁ ଟ୍ରାନ୍ସଫର କରାଯିବ ବୋଲି ସ୍ପଷ୍ଟ ହୋଇଥିଲା। ସେସୁରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ କର୍ମଚାରୀ ସଂଘର ସଂସ୍ଥାରେ ଅଂଶଧନ ରହିଥିବାବେଳେ ଏଭଳି ନିଷ୍ପତ୍ତି ପୂର୍ବରୁ ଏଭଳି ଅଂଶୀଦାରଙ୍କ ସହିତ କୌଣସି ଆଲୋଚନା କରାଯାଇ ନଥିଲା। କର୍ମଚାରୀଙ୍କ ଭବିଷ୍ୟତ ସଂକ୍ରାନ୍ତରେ କିଛି ସ୍ପଷ୍ଟ ନ କରି ଟାଟା ହାତକୁ ସେସୁକୁ ଟେକି ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ଆବେଦନକାରୀ ମହାସଂଘ ଓ ଅନ୍ୟ କେତେକ ସଂଘ ପକ୍ଷରୁ ୨୦୧୯ ଡିସେମ୍ବର ୨୦ର ଏଲ୍‌ଓଆଇକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ସେସୁରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭବିଷ୍ୟତ କଣ ହେବ ଓ ସେମାନେ ପୂର୍ବ ସର୍ତ୍ତ ଅନୁସାରେ ଟାଟା ଅଧୀନରେ କାମ କରି ପାରିବେ ବା ନାହିଁ ସେ‌ ନେଇ ସ୍ପଷ୍ଟ ହେବା ଆବଶ୍ୟକ। ଏଥିସହିତ ବହୁ କର୍ମଚାରୀ ସେସୁ ଅଧୀନରେ କାର୍ଯ୍ୟ କରି ଅବସର ନେଇଥିବା ବେଳେ ଏବେ ବି ସେମାନଙ୍କ ସମସ୍ତ ବକେୟା ପ୍ରାପ୍ୟ ମିଳିପାରି ନାହିଁ। ଏଭଳି କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରସଂଗରେ ନିଷ୍ପତ୍ତି ପୂର୍ବରୁ ଚିନ୍ତା କରାଯିବା ଉଚିତ ଥିଲା। ଦୀର୍ଘବର୍ଷ ନିଷ୍ଠାର ସହିତ ସେସୁ ଅଧୀନରେ ଚାକିରି କରୁଥିବା କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଶକ୍ତି ବିଭାଗ, ସେସୁ, ଗ୍ରିଡ୍‌କୋ, ଓଇଆର୍‌ସି ଓ ଟାଟା ପାୱାର କମ୍ପାନିକୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରସାଦ ମିଶ୍ର, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଓଇଆରସି ତରଫରୁ ଆଇନଜୀବୀ ବି‌.କେ. ନାୟକ, ସେସୁ ପକ୍ଷରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଥିବା ବେଳ ଆଇନଜୀବୀ ସ୍ମୃତିରଂଜନ ଦାଶ ଓ ରାଜଭୂଷଣ ଦାଶ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର