ଏକରଏକର ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜାରେ

ବ୍ୟାସନଗର: ବ୍ୟାସନଗର ସହର ଓ ଆଖପାଖ ଅଞ୍ଚଳରେ ଥିବା ଶହଶହ ଏକର ସରକାରୀ ଜମି ମାଫିଆଙ୍କ କବ୍‌ଜାରେ। ସାଧାରଣ ଲୋକମାନେ ଯେତେ ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୨୦୦୬ ମସିହାରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବହୁ କଳକାରଖାନା ଗଢ଼ି ଉଠିବା ପରେ ବ୍ୟାସନଗର ଓ ଏହାର ଆଖପାଖରେ ଥିବା ସରକାରୀ ଜମି ଉପରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ସହରରେ ପ୍ରତିଦିନ ନୂଆ ନୂଆ କୋଠାବାଡ଼ି ନିର୍ମାଣ ଚାଲିଛି।

ଦୁଇରୁ ୩ ମାସ ଭିତରେ ୧୦ ଫୁଟ ଖାଲକୁ ପୋତି ଦୁଇମହଲା କୋଠା ଠିଆହୋଇଯାଉଛି। ଅତ୍ୟଧିକ ଘରଭଡ଼ା ହେତୁ କାରଖାନାରେ କାର୍ଯ୍ୟକରୁଥିବା ଅଧିକାରୀ ଓ କର୍ମଚାରୀ ନିଜସ୍ବ ଘରଖଣ୍ଡେ କରିବା ସକାଶେ ବ୍ୟାକୁଳ ହେଉଛନ୍ତି। ଏହାର ସୁଯୋଗ ନେଇ ଜମି ମାଫିଆ ଓ ବିଲଡରମାନେ ସହରର ଜମି ନିଜ ଦଖଲକୁ ନେଇ ମୂଲ୍ୟ ଆକାଶଛୁଆଁ କରିଦେଇଛନ୍ତି। ଏପରିକି ଏହି ଜମି ମାଫିଆଙ୍କ କବଳରୁ ସରକାରୀ, ଅନାବାଦୀ, ଗୋଚର ଜମି ବାଦ୍‌ ପଡୁନାହିଁ। ସରକାରୀ ଜମି, ଖେଳପଡ଼ିଆକୁ ଦଖଲ କରି  ଲକ୍ଷାଧିକ ଟଙ୍କାରେ ବିକ୍ରି କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। ଅନେକ ବିଲଡର ଜମି ମାଲିକଙ୍କଠାରୁ କମ ଟଙ୍କାରେ ଜମି କିଣି ସରକାରୀ ଜମିକୁ ଜବରଦଖଲ କରି ରାସ୍ତା ବନାଇ ୪ ଗୁଣା ଅଧିକ ଦାମରେ ବିକ୍ରି କରି କୋଟିକୋଟି ଟଙ୍କାର ମୁନାଫା କରୁଥିବା ବେଳେ ସରକାର ରାଜସ୍ଵ ହରାଉଛନ୍ତି।

ବ୍ୟାସନଗର ତହସିଲ ତଥା ପୌରସଂସ୍ଥା ଅଧୀନରେ ଥିବା ମଙ୍ଗଳାସାହି ପଦ୍ମପୁର ମୌଜାର ୟୁନିଟ-୩ ରକବା ୧.୧୪ ଏକର ପୋଖରୀ ଆଡ଼ି ରହିଛି। ଏହାକୁ ଜମି ମାଫିଆମାନେ ଜବରଦଖଲ କରିଥିବାରୁ ଗତ ୯ ତାରିଖରେ ଗ୍ରାମବାସୀ ପୌର ନିର୍ବାହୀ ଅଧିକାରୀ ଓ ବ୍ୟାସନଗର ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି କରିଥିଲେ। ୧୯୯୧ ରୁ ପୌରସଂସ୍ଥା ପକ୍ଷରୁ ପ୍ରତିବର୍ଷ ଏହି ପୋଖରୀ ନିଲାମ କରାଯାଉଛି। ଜମି ମାଫିଆ ପୋଖରୀ ହୁଡ଼ାକୁ ଲାଗିଥିବା ଜମିକୁ ରାସ୍ତା ନେବା ପାଇଁ ମାଟି ପକାଇବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସେହିପରି ମୁଣ୍ଡମାଳ ମୌଜା ଖାତା ନମ୍ବର ୪୦ ରେ ଏକର ଏକର ସରକାରୀ ଜମିକୁ ତାରବାଡ଼ ବୁଲାଇ ଆବଦ୍ଧ କରିବା ଶହ ୫୦ ଫୁଟର ଏକ ସରକାରୀ ଜାଗାରେ ରାସ୍ତା ନିର୍ମାଣ କରିବାକୁ ନେଇ ସ୍ଥାନୀୟ ଯୁବକମାନେ ଗତ ଜାନୁଆରି ମାସରେ ତହସିଲଦାର ଓ ଯାଜପୁର ରୋଡ୍‌ ଥାନାରେ ଅଭିଯୋଗ କରିଥିଲେ। ହେଲେ ଜମି ମାଫିଆଙ୍କ ବିରୋଧରେ ପ୍ରାଶାସନିକ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ସହରରେ ଚାନ୍ଦମା, ଖଣ୍ଡାହତା, ବୀରମଣିପୁର, କୋପଣ୍ଡ, ସାପଗଡ଼ିଆ, ପଦ୍ମପୁର, ରମ୍ପସ, ଚୋରଦା, ନଟପଡ଼ା, ଝାଟିଆସାହି, ଶୋବରା, ଉମାପଦା, ଆଦି ମୌଜାରେ ସରକାରୀ ଜମି ଜବରଦଖଲ ହେଉଥିବା ନେଇ ବରମ୍ବାର ଅଭିଯୋଗ ହେଉଥିଲେ ବି ଏ ଦିଗରେ ଆଦୌ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏଥିପ୍ରତି ପ୍ରାଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର