ଭୁବନେଶ୍ବର/ଭଞ୍ଜନଗର : ରାଜଧାନୀରେ ଫ୍ଲାଟ୍‌ ଉପରେ ଫ୍ଲାଟ୍‌। ପ୍ଲଟ୍‌ ସାଙ୍ଗକୁ ଆଲିସାନ୍‌ ଘର। ବ୍ୟାଙ୍କରେ ବିପୁଳ ଟଙ୍କା, ପୁଳାପୁଳା ସୁନା ଗହଣା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଅତିରିକ୍ତ ସିଭିଲ୍‌ ସପ୍ଲାଏ ଅଫିସର ସଞ୍ଜୟ କୁମାର ସାହୁଙ୍କ ଘରେ ଚଢ଼ଉ ବେଳେ କୋଟିକୋଟି ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଖୋସି ହୋଇଯାଇଛି। ତେବେ ସଞ୍ଜୟଙ୍କ ନାମରେ ବାରମ୍ବାର ଅଭିଯୋଗ ଆସିବା ପରେ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୭ଟି ଟିମ୍‌ ରାଜଧାନୀଠାରୁ ଆରମ୍ଭ କରି ଖୋର୍ଦ୍ଧା, ଗଞ୍ଜାମ ଏବଂ ମୟୂରଭଂଜ ଆଦି ୭ଟି ସ୍ଥାନରେ ଚଢ଼ଉ କରିଛି। ଗଞ୍ଜାମରେ ଥିବା ସାହୁଙ୍କ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ, ମୟୂରଭଂଜ ଜିଲ୍ଲା ରରୁଆଁ ଥାନା ପଣ୍ଡାରସିଲାସ୍ଥିତ ପୈତୃକ ବାସଭବନ ସମେତ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି।

Advertisment

ଚଢ଼ଉ ବେଳେ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାରରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌ ଓ ପଟିଆ କ୍ଷେତ୍ରବାସୀ ରେସିଡେନ୍ସି କେ-ପ୍ଲାଜାରେ ୩ ବିଏଚ୍‌କେ ଫ୍ଲାଟ୍‌ ଠାବ କରାଯାଇଛି। ୨ଟି ଫ୍ଲାଟ୍‌ର ମୂଲ୍ୟ ୨କୋଟିରୁ ଊର୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିରେ ଆଲିସାନ୍‌ ଘର ରହିଛି। ଯାହାର ମୂଲ୍ୟ ଦେଢ଼ କୋଟିରୁ ଊର୍ଧ୍ବ ହେବ। ତେବେ ଶୈଳଶ୍ରୀବିହାର ଫ୍ଲାଟ୍‌ରେ ନିଜେ ରହୁଥିବା ବେଳେ ଅନ୍ୟ ଦୁଇଟିକୁ ଭଡ଼ା ସୂତ୍ରରେ ଦିଆଯାଇଥିବା ଜଣାପଡ଼ିଛି। ସେହିପରି ନହରକଣ୍ଟା ଅଞ୍ଚଳରେ ଦୁଇଟି ଓ ଖୋର୍ଦ୍ଧା ସରଦେଇପୁର ମୌଜାରେ‌ ଗୋଟିଏ ଏମିତି ୩ଟି ପ୍ଲଟ୍‌ ରହିଛି। ଯାହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ।

ଏହାଛଡ଼ା ରାଜଧାନୀ, ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଆକାଉଣ୍ଟକୁ ଠାବ କରାଯାଇଛି।‌ ସେଥିରେ ଲକ୍ଷାଧିକ ଟଙ୍କା ଜମା ଥିବା ଜଣାପଡ଼ିଛି। ଘରୁ ନଗଦ ଟଙ୍କା, ୨ଶହ ଗ୍ରାମର ସୁନାଗହଣା, ଦାମୀ ଆସବାବପତ୍ର, ପାଖାପାଖି ୧୭ଲକ୍ଷ ଟଙ୍କାର ଇନ୍‌ସ୍ୟୁରାନ୍ସ ବଣ୍ଡ ଡିପୋଜିଟ୍‌ ଠାବ କରାଯାଇଛି। ଗୋଟିଏ ଚାରିଚକିଆ, ୨ଟି ଦୁଇ ଚକିଆ ଗାଡ଼ି ମଧ୍ୟ ଠା‌ବ ହୋଇଛି। ଠାବ ହୋଇଥିବା ସ୍ଥାବର ଅବସ୍ଥାବର ସମ୍ପତ୍ତିର ମୂଲ୍ୟ ୫କୋଟିରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଭିଜିଲାନ୍ସ ଅଧିକାରୀ ଚଢ଼ଉ ଜାରି ରଖିବା ସହ ସମ୍ପତ୍ତି, ଗହଣା, ବ୍ୟାଙ୍କ ଡିପୋଜିଟ୍‌ ଆଦିର ହିସାବ କରୁଛନ୍ତି। ତେଣୁ ଆୟବହିର୍ଭୂତ ସମ୍ପତ୍ତି ଢେର ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଭିଜିଲାନ୍ସ ବିଭାଗର ୫ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ୧୨ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ଅଛନ୍ତି। ତେବେ ସଞ୍ଜୟ ଏତେ ଟଙ୍କା କେଉଁଠୁ ଆଣିଲେ? ତାଙ୍କୁ କେଉଁମାନେ ସହଯୋଗ କରୁଥିଲେ? ସେଦିଗରେ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ ଚଳାଇଛି।