ବଞ୍ଚୋ ବାଲିଘାଟରେ ୧୪୪ ଧାରା ଜାରି

ହାଟଡିହି : ହାଟଡିହି ତହସିଲ ଅଧୀନ ବଞ୍ଚୋ ବାଲିଘାଟରେ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତରଭା ବାଲିଘାଟ ବନ୍ଦ ହେବା ପରେ ଏହି ଘାଟରୁ ନିୟମିତ ବାଲି ଚାଲାଣ ହେଉଥିଲା। ଏନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯିବା ପରେ ମଧ୍ୟ ମାଫିଆମାନେ ଖାତିର କରିନଥି‌ଲେ। ଉପଜିଲ୍ଲାପାଳଙ୍କ ନିର୍ଦେଶ ସଂଖ୍ୟା- ୨୧୦/୨୦୨୨ ମେମୋ ନମ୍ବର-୭୫୬୪ ତା ୧୧/୧୧/୨୦୨୨ ଅନୁସାରେ ତହସିଲଦାରଙ୍କ ଚିଠି ନମ୍ବର-୩୯୩୧ ତା ୧୧/୧୧/୨୦୨୨ ଅନୁଯାୟୀ, ଆଜି ବଞ୍ଚୋ ବାଲିଘାଟର ଖାତା ନମ୍ବର-୧୦୩୮ ପ୍ଲଟ୍‌ ନମ୍ବର ୫୨୨୪/ ୫୪୪୪ରେ ତହସିଲଦାରଙ୍କ ଉପସ୍ଥିତିରେ ୧୪୪ଧାରା ଜାରି କରାଯାଇଛି। ବାଲିଘାଟ ରାସ୍ତାରେ ନାଲି ପତାକା ମରାଯାଇଛି।

ତହସିଲଦାର ଦିଲୀପ କୁମାର ସାହୁ, ସୁପରଭାଇଜର ପୀତାମ୍ବର ଜେନା, ବଞ୍ଚୋ ରାଜସ୍ୱ ନିରୀକ୍ଷକ ଭକ୍ତିଲତା ଖମାରୀ, ଅନିଲ କୁମାର ସାହୁ, ଆନନ୍ଦପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବାଲିଘାଟ ରାସ୍ତାର ଉଭୟ ପାର୍ଶ୍ବରେ ଟ୍ରେଞ୍ଚ ଖୋଳାଯାଇଛି। ଏନେଇ ଡାକବାଜି ଯନ୍ତ୍ର ସହାର୍ଯ୍ୟରେ ସମସ୍ତଙ୍କୁ ଅବଗତ କରାଯାଇଛି। ଏହି ଘାଟକୁ ପୂର୍ବରୁ ନିଲାମ ଦିଆଯାଇଥିଲା। ପୂର୍ବତନ ଲିଜ୍‌ଧାରୀ  କାଙ୍ଗାଳି ଚରଣ ବରାଳ ଲିଜ୍‌ ଅନୁଯାୟୀ ବାଲି ଉଠାଣ ହୋଇନଥିବା ନେଇ ହାଇକୋର୍ଟରେ ଡବ୍ଲୁପିସି କେସ୍‌ ନମ୍ବର ୧୧୧୫୫/୨୦୨୧, ଡବ୍ଲୁପିସି କେସ୍‌ ନମ୍ବର- ୨୨୦୨୬/୨୦୨୨ରେ ମାମଲା ରୁଜୁ କରିଥିଲେ। ଏହା ଏବେ ବିଚାରାଧୀନ ଅଛି। ସେହିପରି ସମ୍ବଲପୁର ଆର୍‌ଡିସିଙ୍କ ନିକଟରେ ଆଇଏ ୧୧୭୬୭/୨୦୨୨ରେ ମଧ୍ୟ ଅନ୍ୟ ଏକ ମାମଲା ବିଚାରାଧୀନ ରହିଛି।  ଗତବର୍ଷ ବାଲି ଚୋରା ଚାଲାଣ ରୋକିବା ପାଇଁ ରାସ୍ତାରେ ଟ୍ରେଞ୍ଚ ଖୋଳା ଯାଇଥିଲା। ବର୍ଷା ଓ ବନ୍ୟାଜଳରେ ଏହା ପୋତି ହୋଇଯିବାରୁ ମାଫିଆମାନେ ପୁଣି ବାଲି ଚାଲାଣ ଆରମ୍ଭ କରିଦେଲେ। ତେଣୁ ପୁଣି ପ୍ରଶାସନ ପକ୍ଷରୁ ବାଲିଘାଟରେ ୧୪୪ ଧାରା ଜାରି କରାଗଲା ବୋଲି ତହସିଲଦାର କହିଛନ୍ତି।

ସମ୍ବନ୍ଧିତ ଖବର