ହୀରାକୁଦ ଜଳଭଣ୍ଡାର ନିର୍ମାଣ ବେଳେ ବିସ୍ଥାପିତ ପରିବାରଙ୍କ ଥଇଥାନ ସଂକ୍ରାନ୍ତରେ ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଲେ ‘ଏନ୍ଏଚ୍‌ଆର୍‌ସି’

ନୂଆଦିଲ୍ଲୀ: ହୀରାକୁଦ ଜଳଭଣ୍ଡାର ନିର୍ମାଣ ସମୟରେ ବିସ୍ଥାପିତ ହୋଇଥିବା ୨୬,୦୦୦ରୁ ଅଧିକ ପରିବାରଙ୍କ ଥଇଥାନ ଏବଂ ପୁନଃବସତି କ୍ଷେତ୍ରରେ ସରକାରଙ୍କ ବିଫଳତା ମାମଲାରେ ଜାତୀୟ ମାନବ ଅଧିକାର କମିସନ୍ (ଏନ୍ଏଚ୍ଆର୍‌ସି) ଓଡ଼ିଶାର ମୁଖ୍ୟ ସଚିବଙ୍କୁ ସବିସ୍ତୃତ ବା ‘କମ୍ପ୍ରେହେନ୍‌ସିଭ୍ ରିପୋର୍ଟ’ ମାଗିଛନ୍ତି।

ସୁପ୍ରିମ୍ କୋର୍ଟ ଓକିଲ ତଥା ଅଧିକାରକର୍ମୀ ରାଧାକାନ୍ତ ତ୍ରିପାଠୀ ରୁଜୁ କରିଥିବା ମାମଲାର ବିଚାର କରି ଏବର୍ଷ ଡିସେମ୍ବର ୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ‘ଏନ୍ଏଚ୍ଆର୍‌ସି’ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ଉପଯୁକ୍ତ ଥଇଥାନ ଏବଂ ଅନୁକମ୍ପା ଅର୍ଥରାଶି ପାଇ ନ ଥିବା ବିସ୍ଥାପିତମାନଙ୍କ ଦୁର୍ଦ୍ଦଶା ପ୍ରସଙ୍ଗ ଶ୍ରୀ ତ୍ରିପାଠୀ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ। ହୀରାକୁଦ ଜଳଭଣ୍ଡାର ନିର୍ମାଣ ଯୋଗୁଁ ୩୬୦ ଗାଁ ସମ୍ବଳିତ ପ୍ରାୟ ୧୨୩, ୦୦୦ ଏକର ଜମି ଜଳମଗ୍ନ ହୋଇଥିଲା।

ସମ୍ପୃକ୍ତ ଅଞ୍ଚଳରୁ ଏକ ଲକ୍ଷରୁ ଊର୍ଦ୍ଧ୍ବ ଜନତା ବିସ୍ଥାପିତ ହୋଇଥିଲେ। ନଦୀବନ୍ଧ ନିର୍ମାଣ ହେବା ଠାରୁ ପ୍ରାୟ ୭୦ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ବି ପୀଡ଼ିତମାନଙ୍କର ତୃତୀୟ ପିଢ଼ି ଦୁର୍ନୀତିଗ୍ରସ୍ତ ଏବଂ ଆଳସ୍ୟପରାୟଣ ଅମଲାମାନଙ୍କ ଯୋଗୁଁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି।

Image Courtesy of Deccan Herald

‘ଏନ୍‌ଏଚ୍ଆର୍‌ସି’ଙ୍କ ନିର୍ଦେଶ ମତେ, ଓଡ଼ିଶାର ଉତ୍ତର ମଣ୍ଡଳ ‘ରେଭିନ୍ୟୁ ଡିଭିଜିନାଲ୍‌ କମିସନର୍‌’ (ଆର୍‌ଡିସି) ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ୧୯୫୨-୫୩ ମସିହାରେ ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କରାଯାଇଥିଲା। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଏବଂ ସୁବର୍ଣ୍ଣପୁର ଅଞ୍ଚଳର ଏହି ବିସ୍ଥାପିତ ପରିବାରମାନଙ୍କ ଅଭିଯୋଗର ମୀମାଂସା ନିମନ୍ତେ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ, କେତେକ ସମ୍ପ୍ରଦାୟର ଜନତାଙ୍କୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ଅନୁକମ୍ପା ରାଶି ମିଳିନାହିଁ କି, ସେମାନେ ଥଇଥାନ ହୋଇପାରି ନାହାନ୍ତି।

ଏହି ମାମଲାର ସବିଶେଷ ତଦନ୍ତ ନିମନ୍ତେ ‘ଏନ୍‌ଏଚ୍‌ଆର୍‌ସି’ ସ୍ବତନ୍ତ୍ର ପ୍ରତିନିଧି ମୁତୟନ କରିଥିଲେ। ବହୁସଂଖ୍ୟକ ଜନତା ଅନୁକମ୍ପା ରାଶି ପାଇ ନାହାନ୍ତି ଏବଂ ଥଇଥାନ ମଧ୍ୟ ହୋଇ ନାହାନ୍ତି ବୋଲି ସ୍ବତନ୍ତ୍ର ପ୍ରତିନିଧି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ। ସମୁଦାୟ କେତେ ସଂଖ୍ୟକ ଗାଁକୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯିବ ବୋଲି ଉକ୍ତ ରିପୋର୍ଟ ଆଧାରରେ ‘ଏନ୍‌ଏଚ୍ଆର୍‌ସି’ ରାଜ୍ୟ ସରକାରଙ୍କୁ ପଚାରିଥିଲେ। ଏହାଛଡ଼ା, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର  ୬୩୨ ଫୁଟ୍‌ରୁ ୬୩୦ ଫୁଟ୍‌କୁ ହ୍ରାସ ପାଇଥିବାରୁ କେତେ ଜମି ଫେରସ୍ତ ଦିଆଯିବ, ତାହା ମଧ୍ୟ ଉଲ୍ଲେଖ କରିବାକୁ ‘ଏନ୍‌ଏଚ୍‌ଆର୍‌ସି’ ରାଜ୍ୟ ସରକାରଙ୍କୁ ଜଣାଇବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର