ବୁର୍ଲା : ଫୁଟବଲ୍ ଖେଳକୁ କେନ୍ଦ୍ରକରି ଜଣେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍) କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଶୃଙ୍ଖଳା କମିଟିର ରିପୋର୍ଟ ମିଳିବା ପରେ ଘଟଣାରେ ସଂପୃକ୍ତ ୪ ଜଣ ଶେଷବର୍ଷର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ଗତ ଶନିବାର ଦିନ ବିଳମ୍ବିତ ରାତିରେ ପୁଲହ ଛାତ୍ରାବାସରେ ରହୁଥିବା ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ସନ୍ଦୀପ ସିଂହ ନାମକ ଜଣେ ଛାତ୍ରଙ୍କୁ ଅନ୍ୟ ବିଭାଗର ୫ ଜଣ ଛାତ୍ର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଫୁଟବଲ୍ ଖେଳକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ବେଳେ ସନ୍ଦିପଙ୍କୁ ଗୁରୁତର ଅବସ୍ଥାରେ ଭିମ୍‌ସାର୍‌ରେ ଭର୍ତ୍ତି କରାଯାଇଥିଲା। ଶୃଙ୍ଖଳା କମିଟି ଉଭୟ ପକ୍ଷ ସହିତ ଆଲୋଚନା କରିବା ପରେ ଆଜି ଭିସୁଟ୍‌ କୁଳପତି ବଂଶୀଧର ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

ଶୃଙ୍ଖଳା କମିଟି ରିପୋର୍ଟ ଅନୁସାରେ, ସନ୍ଦିପଙ୍କ ଅଭିଯୋଗ ଆଣିଥିବା ୫ ଜଣ ଛାତ୍ରଙ୍କ ମଧ୍ୟରୁ ୪ ଜଣ ସଂପୃକ୍ତ ଥିବା ପ୍ରମାଣିତ ହୋଇଥିଲା। ଜଣେ ଛାତ୍ରଙ୍କ ବିରୋଧରେ ପ୍ରମାଣ ମିଳିପାରିନଥିଲା। ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ୨ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସ ପରିସରରୁ ବହିଷ୍କାର କରିବା ସହିତ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି। ‌ସେମାନେ ହେଲେ, ଆଇଟି ବିଭାଗ ଛାତ୍ର ଶେଷବର୍ଷର ଛାତ୍ର ପ୍ରତ୍ୟୁଷ ରଞ୍ଜନ ମହାନ୍ତି ଓ ତୁଷାର ଦାଶ। ଜାନୁଆରିରୁ ଏପ୍ରିଲ୍‌ ମାସ ମଧ୍ୟରେ ହେବାକୁ ଥିବା ସେମାନଙ୍କ ସେମିଷ୍ଟର ପରୀକ୍ଷା ପଞ୍ଜୀକରଣ ମଧ୍ୟ ବାତିଲ୍‌ କରାଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଛାତ୍ରାବାସର ଉନ୍ନୟନ ପାଣ୍ଠିରେ ଜୋରିମାନା ଅର୍ଥ ବାବଦ ୨୫ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଗଣ୍ଡଗୋଳ ଘଟଣାରେ ପରୋକ୍ଷ ଭାବେ ସଂପୃକ୍ତ ଥିବା ଆଇଟି ବିଭାଗର ଅଭିଜିତ ସାମଲ ଓ ଏମ୍ଏସ୍‌ସି ପଦାର୍ଥ ବିଜ୍ଞାନ ବିଭାଗର ମୃତ୍ୟୁଞ୍ଜୟ ସାହୁଙ୍କୁ କେବଳ ୨୫ ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ ଆସନ୍ତା ୨୦ ତାରିଖ ସୁଦ୍ଧା ଛାତ୍ରାବାସର ଉନ୍ନୟନ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯଦି ଜୋରିମାନା ପଇଠ ନକରନ୍ତି, ସେମାନେ ଆଗକୁ ଥିବା ସେମିଷ୍ଟର ପରୀକ୍ଷା ଦେଇପାରିବେ ନାହିଁ । ସେମାନଙ୍କ ପଞ୍ଜୀକରଣ ମଧ୍ୟ ବାତିଲ୍‌ କରାଯିବ ବୋଲି ଏହି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି। ଏଥିସହିତ, ବାରମ୍ବାର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଭିସୁଟ୍ ଛାତ୍ରମାନେ ଅମାନିଆ ହେଉଥିବାରୁ କୁଳପତି ପ୍ରଫେସର ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି।