୯ ବର୍ଷ ପରେ ୬ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବଣାଇଗଡ଼: ରାଜ୍ୟସରକାରଙ୍କ ଅଧୀନରେ ଚାକିରି କରୁଥିବା ଶିକ୍ଷକମାନଙ୍କ ପ୍ରମାଣପତ୍ର ସବୁ ଯାଞ୍ଚ କରାଯାଉଛି। ଏହା ଭିତରେ ବଣାଇ ଉପଖଣ୍ତର ୪ଟି ବ୍ଲକ୍‌ରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଶିକ୍ଷକଶିକ୍ଷୟତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଛି। ଗୁରୁଣ୍ତିଆ ଓ ବଣାଇଗଡ଼ ବ୍ଲକ୍‌ରେ ଲେଭେଲ–୫ ବର୍ଗରେ ଥିବା ଶିକ୍ଷାସହାୟକ ଓ ଗଣଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ହୋଇଥିବାବେଳେ ଲହୁଣିପଡ଼ା ଏବଂ କୋଇଡ଼ା ବ୍ଲକ୍‌ରେ ଲେଭେଲ୍‌-୫ ବର୍ଗର (କ ଓ ଖ ବର୍ଗର)ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଛି।

ତେବେ ଲେଭେଲ-୩ ଓ ଲେଭେଲ-୪ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ କୌଣସି ପ୍ରମାଣପତ୍ର ଯାଞ୍ଚ କରାଯାଇ ନାହିଁ। ତେବେ ବଣାଇ ଉପଖଣ୍ତର ବିଭିନ୍ନ ବିଦ୍ୟାଳୟରେ ଏବେ ବହୁ ଜାଲ ଶିକ୍ଷକଶିକ୍ଷୟିତ୍ରୀ ଚାକିରି କରୁଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ କୁଆଡ଼େ ଜଣେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକସଙ୍ଗରେ ସିଟି ଓ ଡିଆଇଟିରେ ପାଠପଢ଼ିବା ସହିତ ସେହି ସମୟରେ ବିଭିନ୍ନ ମହାବିଦ୍ୟାଳୟରେ ପାଠପଢ଼ି ଉଭୟ ବିଭାଗରେ ନିୟମିତ ଛାତ୍ରଛାତ୍ରୀ ଭାବେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରମାଣପତ୍ର ପାଇଛନ୍ତିା ଯାହାକି ସମ୍ପୂର୍ଣ୍ଣ ବେଆଇନ ତଥା ଏହା ଧର୍ତବ୍ୟ ଅପରାଧ। ଏହା ସହିତ ଓଟିଇଟି ଓ ବାହାର ରାଜ୍ୟରୁ ବିଇଡି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ବହୁ ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି। ମାତ୍ର ଏହି ସମସ୍ତ ପ୍ରମାଣପତ୍ରଗୁଡିକର ସରକାରୀଭାବେ ଯାଞ୍ଚ ହେଉ ନଥିବାରୁ ଏବେ ମାଳ ମାଳ ନକଲି ଶିକ୍ଷକଶିକ୍ଷୟିତ୍ରୀ ଏଠାରେ ଚାକିରି କରି କୋଟି କୋଟି ଟଙ୍କାର ଦରମା ନେଇଛନ୍ତି। ଏହାର ଏକ ସଦ୍ୟ ଉଦାହରଣ ଲହୁଣିପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଲହୁଣିପଡ଼ା ଓ କେବଲାଙ୍ଗ ଥାନାରେ ଜାଲ୍‌ ଶିକ୍ଷକଶିକ୍ଷୟିତ୍ରୀଙ୍କ ନାମରେ ଦେଇଥିବା ଏତଲାରୁ ସ୍ପଷ୍ଟ ହୋଇଯାଇଛି। ଲହୁଣିପଡା ଥାନାରେ ଦେଇଥିବା ଏତଲାରେ ଶିକ୍ଷକ ଡି. ମହାନ୍ତ, ମଦନ ସୁନ୍ଦର ମହାନ୍ତ, ଜଗଦୀଶ ଚନ୍ଦ୍ର ସାହୁ, ଶିକ୍ଷୟିତ୍ରୀ ଡାଳିମ୍ବ ମହାନ୍ତ ଏବଂ ଅନ୍ୟ ଜଣେ ଅବସର ଗ୍ରହଣ କରିଥିବା ଶୋଭାରାଣୀ ମହାନ୍ତଙ୍କ ନାମ ଥିବା ବେଳେ କେବଲାଙ୍ଗ ଥାନାରେ ଦିଆଯାଇଥିବା

ଏତଲାରେ ଶିକ୍ଷକ ଶବଚ୍ଚ କୁମାର ବେସନଙ୍କ ନାମରେ ଅଭିଯୋଗ ହୋଇଛି। ଏହାକୁ ଭିତ୍ତିକରି ଉଭୟ ଥାନାରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଥିବାବେଳେ ଖବର ପାଇ ଏହି ଅଭିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ଫେରାର ହୋଇଯାଇଥିବା ଜଣାପଡିଛି। ସେମାନେ ଉଚ୍ଚନ୍ୟାୟାଳୟରୁ ଆଗୁଆ ଜାମିନ ପାଇବା ପାଇଁ ପ୍ରୟାସ କରୁଥିବା ଜଣାପଡିଛି। ତେବେ ଏହି ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ ୨୦୧୩ ମସିହାରେ ଅଭିଯୋଗ କରାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ବିଭାଗୀୟ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଦୀର୍ଘ ୯ ବର୍ଷ ହେବ ଫାଇଲ ତଳେ ଚପାଇ ରଖିଦିଆଯାଇଥିଲା। ତେବେ ଚଳିତ ବର୍ଷ ଜାନୁଆରି ମାସରୁ ପୁନର୍ବାର ଲହୁଣିପଡ଼ା ଶିକ୍ଷା ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯିବା ପରେ ଏମାନଙ୍କ ପ୍ରମାଣପତ୍ର ଜାଲ ହୋଇଥିବା ଜଣାପଡ଼ବାରୁ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛିା ତେବେ ଏବେ ଲହୁଣିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ ସହିତ ବଣାଇ, ଗୁରୁଣ୍ତିଆ ଓ କୋଇଡ଼ାରେ ମଧ୍ୟ ବହୁସଂଖ୍ୟକ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବାବେଳେ ଏହାର ଯାଞ୍ଚ କରାଗଲେ ଆହୁରି ବହୁସଂଖ୍ୟାରେ ଜାଲଶିକ୍ଷକ ଧରାପଡ଼ିବେ ବୋଲି ସାଧରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର