୭୬୧ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଆବାସ ଯୋଜନାରେ ଅନିୟମିତତା

ଭୁବନେଶ୍ୱର: ବିଭିନ୍ନ ଆବାସ ଯୋଜନାରେ ଗରିବ ପରିବାରଙ୍କୁ ଘର ଦିଆଯାଉଛି। ଘର ନିର୍ମାଣ ସଂଖ୍ୟା ବଢ଼ୁଛି, ସେହି ତୁଳନାରେ ଅନିୟମିତତା ବି କିଛି କମ୍‌ ନୁହେଁ। ଅନିୟମିତତା ଅଭିଯୋଗରେ ଏ ପର୍ଯ୍ୟନ୍ତ ଧରାପଡ଼ିଛନ୍ତି ୭୬୧ କର୍ମଚାରୀ। ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଧାନସଭାରେ ବିଧାୟକ ଚନ୍ଦ୍ରଶେଖର ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ସର୍ବାଧିକ ଅଭିଯୁକ୍ତ କର୍ମଚାରୀ ଅଛନ୍ତି ଯାଜପୁରରେ। ଏଠାରେ ମୋଟ୍‌ ୧୬୨ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଲିକାର ଦ୍ୱିତୀୟରେ ଅଛି ନୂଆପଡ଼ା(୮୧ ଅଭିଯୁକ୍ତ) ଓ ତୃତୀୟରେ ଅଛି ଭଦ୍ରକ(୬୧ ଅଭିଯୁକ୍ତ)। ଝାରସୁଗୁଡ଼ା, ମାଲକାନଗିରି ଓ ରାୟଗଡ଼ାରେ କୌଣସି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ଏସ୍‌ଇସିସି-୨୦୧୧ ସର୍ଭେ ଅନୁଯାୟୀ ରାଜ୍ୟରେ ଗ୍ରାମାଞ୍ଚଳରେ ୮୬,୭୭,୬୧୫ ପରିବାର ଓ ସହରାଞ୍ଚଳରେ ୧୨,୬୪,୪୮୬ ପରିବାର ରହୁଛନ୍ତି। ୨୦୧୫-୧୬ ପର୍ଯ୍ୟନ୍ତ ଇନ୍ଦିରା ଆବାସ ଯୋଜନାରେ କେବଳ ବିପିଏଲ୍‌ ହିତାଧିକାରୀଙ୍କୁ ଗୃହ ଯୋଗାଇଦିଆଯାଉଥିଲା। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ମୋ କୁଡ଼ିଆ ଓ ବିଜୁ ପକ୍କା ଘର ଯୋଜନାରେ ଉଭୟ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଓ ତାଲିକାରେ ନ ଥିବା ପ୍ରକୃତ ପରିବାରଙ୍କୁ ଗୃହ ଯୋଗାଇ ଦିଆଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷ ଠାରୁ ଏସ୍‌ଇସିସି ତାଲିକା-୨୦୧୧ରେ କଚ୍ଚା ଘର ଶ୍ରେଣୀ ତାଲିକାଭୁକ୍ତ ଦୁଇ ବା ତା’ଠାରୁ କମ୍‌ ସଂଖ୍ୟକ କୋଠରୀ ବିଶିଷ୍ଟ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ଏହି ଶ୍ରେଣୀଭୁକ୍ତ ପରିବାର ସହ ଅନ୍ୟ ଯୋଗ୍ୟ ଗରିିବ ପରିବାରଙ୍କୁ ବିଜୁ ପକ୍କା ଘର ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉଛି। ୨୦୦୦-୦୧ ଠାରୁ ୨୦୧୫-୧୬ ପର୍ଯ୍ୟନ୍ତ ୧୪,୯୬,୩୨୭ ସଂଖ୍ୟକ ଇନ୍ଦିରା ଆବାସ ଗୃହ ଏବଂ ୧,୮୩,୨୯୩ ସଂଖ୍ୟକ ବିଜୁ ପକ୍କା ଘର, ଏହିପରି ମୋଟ୍‌ ୧୬,୭୯,୬୨୦ ପରିବାରଙ୍କ ଗୃହ ନିର୍ମାଣ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରୁ ବର୍ତ୍ତମାନ ସୁଦ୍ଧା ଇନ୍ଦିରା ଆବାସ ଯୋଜନାରେ ୧,୪୩,୭୬୮, ବିଜୁ ପକ୍କା ଘର ଯୋଜନାରେ ୭୫,୭୫୦, ବିଜୁ ପକ୍କା ଘର(ଖଣି) ଯୋଜନାରେ ୭,୯୩୮, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ୧୬୮୨ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୧,୬୨,୩୯୪ ଗୃହ ନିର୍ମିତ ହୋଇଛି।

ଚଳିତ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩,୪୦,୪୯୮ ପକ୍କା ଘର, ବିଜୁ ପକ୍କା ଘର ଯୋଜନାରେ ୧୨,୨୦୯ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ୨୨୪୬ଟି ପକ୍କା ଘର, ଏହିପରି ମୋଟ୍‌ ୩,୫୪,୯୫୩ ଗୃହ ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର