ସ୍ମାର୍ଟସିଟି ପ୍ରଶାସନିକ ବିଲ୍‌ଡିଂ ଛାତ ଭୁଶୁଡିବା ଘଟଣା: ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ରାଉରକେଲା: ପାନପୋଷ ସରକାରୀ ସ୍ବୟଂଶାସିତ କଲେଜ ପଛପାର୍ଶ୍ବରେ ନିର୍ମାଣ ଚାଲିଛି ସ୍ମାର୍ଟସିଟିର ପ୍ରଶାସନିକ ବିଲ୍‌ଡିଂ। ଏଥିସହ ଟ୍ରାଇବାଲ ମ୍ୟୁଜିୟମ୍‌ ଓ ଲାଇବ୍ରେରୀ ବିଲ୍‌ଡିଂ। ଠିକାସଂସ୍ଥାର ନିମ୍ନମାନର କାମ ଯୋଗୁ ଗତକାଲି ରାତିରେ ଅଘଟଣ ଘଟିଛି। ଗତକାଲିରେ ପ୍ରଶାସନିକ ବିଲ୍‌ଡିଂର ସିଣ୍ଟରିଂ ଚାଲିଥିବାବେଳେ ହଠାତ୍‌ ଛାତ ଭୁଶୁଡି ପଡିଥିଲା। ପ୍ରାୟ ୩ ହଜାର ବର୍ଗଫୁଟ ଛାତ ଭୁଶୁଡି ପଡ଼ିବା, ଠିକାସଂସ୍ଥାର ନିମ୍ନମାନର କାମକୁ ଦର୍ଶାଯାଉଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବିଜେପିର ବରିଷ୍ଠ ନେତା ନିହାର ରାୟ, ମୁଖପାତ୍ର ଭବବାନ ରାଉତ, ସୁଶାନ୍ତ ବିଶ୍ବାଳ, ଜୟନ୍ତ ମଙ୍ଗରାଜ, ଗୌରବ ସିଂ, ଗୁରିନ୍ଦର ସିଂ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଠିକାସଂସ୍ଥାକୁ ବିଲ୍‌ଡିଂ କାମରୁ ଅନ୍ତର କରି ନୂଆ ଠିକାସଂସ୍ଥାକୁ ଦେବାକୁ ଦାବି କରିଥିଲେ। ଶ୍ରୀ ରାୟ କାର୍ଯ୍ୟରତ କର୍ମଚାରୀଙ୍କୁ କେଉଁ ପରିସ୍ଥିତିରେ ଏମିତି ଅଘଟଣା ଘଟିଲା ବୋଲି ପଚାରିଥିଲେ। ମାତ୍ର କେହି କିଛି ଉତ୍ତର ନ ରହି ଚୁପ୍‌ ରହିଥିଲେ। ସ୍ମାର୍ଟସିଟିର ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ଭିତିରି ସଲାସୁତୁରା ଜନାସାଧାରଣ ଅର୍ଥକୁ ଏପରି ମିଳିମିଶି ହରିଲୁଟ୍‌ କରାଯାଉଛି ବୋଲି ଶ୍ରୀ ରାୟ ଅଭିଯୋଗ କରିଛନ୍ତି।

ସ୍ମାର୍ଟସିଟିର ଏକ ଗୋଟିଏ ଘଟଣା ନୁହେଁ ପୂର୍ବରୁ ପାନପୋଷ-ଉଦିତନଗର ରାସ୍ତା ସମ୍ପ୍ରସାରଣ ସମାନ ଦୁର୍ନୀତି ହୋଇଥିଲା। ରଘୁନାଥପାଲୀ ଥାନା ନିକଟରେ ରାସ୍ତା ଦବି ଯିବା ସହ ବଡ ଗର୍ତ୍ତ ହୋଇଥିବାରୁ ତତ୍କାଳୀନ ସ୍ମାର୍ଟସିଟି ସିଇଓ ତଥା ଅତିରିକ୍ତ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ପ୍ରଶାସନିକ ବିଲ୍‌ଡିଂ ଛାତ ଭୁଶୁଡିବା ଘଟଣାରେ କାହିଁକି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଶ୍ରୀ ରାୟ ଓ ଅନ୍ୟମାନେ ଅତିରିକ୍ତ ଜିଲ୍ଲାପାଳ ତଥା ସ୍ମାର୍ଟସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ସିଇଓଙ୍କ ସହ ନିର୍ମାଣଧୀନ ପ୍ରକଳ୍ପଗୁଡ଼ିକ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ। ସିଇଓ ଡାକ୍ତର ମହାପାତ୍ର ଦୁଃଖ ପ୍ରକାଶ କରିବା ସହ ଏପରି ଘଟଣାର ପୁନରାବୃତ୍ତି ନ ‌‌ହେବାକୁ ବିଜେପି ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର