ବିଶ୍ବବିଦ୍ୟାଳୟରୁ କୁକୁର ଉଦ୍ଧାର ଘଟଣା: କୁଳପତିଙ୍କ ନିର୍ଦ୍ଦେଶରେ ୩ ଜଣିଆ ଟିମ୍‌ ଗଠିତ, ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଛାତ୍ରୀନିବାସ ମଧ୍ୟରୁ ଗୋଡ଼ ଓ ପାଟିକୁ ବନ୍ଧା ଯାଇଥିବା ୧୨ଟି କୁକୁର ଉଦ୍ଧାର କରାଯିବା ଘଟଣାରେ କୁଳପତି ଗୀତାଞ୍ଜଳି ଦାଶ ତଦନ୍ତ ଆଦେଶ ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ଜଣେ ଡେପୁଟି ୱାର୍ଡେନ ଓ ୨ ଜଣ ସୁପରିଟେଣ୍ଡେଣ୍ଟକୁ ନେଇ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଘଟଣାର ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦାଖଲ କରିବ। ଏହି ଘଟଣାରେ ଯେଉଁମାନେ ଦୋଷୀ ଜଣାପଡ଼ିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି ଶ୍ରୀମତୀ ଦାଶ କହିଛନ୍ତି।

ସେହିପରି ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌ କହିଛନ୍ତି, ନାକ ଟିମ୍‌ ଆସନ୍ତା ନଭେମ୍ବର ମାସରେ ବ୍ରହ୍ମପୁର ବିଶ୍ବବଦ୍ୟାଳୟକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଏଣୁ ବିଶ୍ବବିଦ୍ୟାଳୟର ସୌନ୍ଦର୍ଯ୍ୟୀକରଣ ପାଇଁ କାମ ଚାଲିଛି। ବିଶ୍ବବିଦ୍ୟାଳୟ ପରିସରରେ ବୁଲା କୁକୁରମାନଙ୍କର ଆଡ୍ଡା ଜମିଥିବାରୁ, ସେମାନଙ୍କୁ  ବାହାର କରିବା ପାଇଁ ପୂର୍ବରୁ କୁଳପତି ପରାମର୍ଶ ଦେଇଥିଲେ। କିନ୍ତୁ କୁକୁର ବାନ୍ଧିବା ନେଇ କୁଳପତି ଅନୁମତି ଦେଇନାହାନ୍ତି। ମାତ୍ର ଜୀବ ସୁରକ୍ଷା ସଂଗଠନ ପକ୍ଷରୁ କୁକୁରଙ୍କ ପାଟି ଓ ଗୋଡ଼ ବନ୍ଧାଯାଇଛି।

ସୂଚନାଯୋଗ୍ୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀନିବାସ ମଧ୍ୟରୁ କୁକୁରମାନଙ୍କୁ ଗୋଡ଼ ଓ ପାଟିକୁ ବନ୍ଧା ନେଇ ଆଲୋଡ଼ନ ସୃଷ୍ଟି କରିଥିଲା। ଜୀବ ସୁରକ୍ଷା ସଂଗଠନ ପକ୍ଷରୁ ଗୋଡ଼ ଓ ପାଟି ବନ୍ଧା ହୋଇ ରହିଥିବା କୁକୁରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଏବଂ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିବା ଜଣାଯାଇଥିଲା। ଛାତ୍ରୀନିବାସ ମଧ୍ୟରେ କିଛି କୁକୁରଙ୍କ ଗୋଡ଼ ଓ ପାଟିକୁ ବାନ୍ଧି ରଖାଯାଇଥିବା ନେଇ କେହି ଜୀବ ସୁରକ୍ଷା ସଂଗଠନର ସଭାନେତ୍ରୀ ରୋନାଲି ପାଣିଗ୍ରାହୀଙ୍କୁ ଜଣାଇଥିଲା।

ଅପରାହ୍‌ଣ ପ୍ରାୟ ୪ଟା ବେଳେ ରୋନାଲି ଏବଂ ବଜରଙ୍ଗ ଦଳର ଜିଲ୍ଲା ସଭାପତି ବଳରାମ ମହାନ୍ତି, ସଂଗଠନର ସଭ୍ୟା ବିଷ୍ଣୁପ୍ରିୟା ପାତ୍ର ଭଞ୍ଜବିହାରରେ ପହଞ୍ଚି ଭଞ୍ଜବିହାର ଫାଣ୍ଡିକୁ ସୂଚନା ଦେବା ସହ ଫାଣ୍ଡି କର୍ମଚାରୀଙ୍କ ଉପସ୍ଥିତିରେ ଛାତ୍ରୀନିବାସକୁ ଯାଇ କୁକୁର ମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ହଷ୍ଟେଲ ୱାର୍ଡେନ ପ୍ରଫେସର ସୁଶାନ୍ତ ବରାଳ ଏବଂ କିଛି ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଥିଲେ। ଏ ନେଇ ମାମଲା ଗୋପାଳପୁର ଥାନାକୁ ଯାଇଥିବା ବେଳେ ସେଠାରେ ଆଲୋଚନା ପରେ ବି କୌଣସି ସମାଧାନ ହୋଇପାରିନଥିଲା। ଏ ନେଇ ଜୀବ ସୁରକ୍ଷା ସଂଗଠନର ସଭାନେତ୍ରୀ ସହ ଯୋଗାଯୋଗ କରାଯିବାରେ ଛାତ୍ରୀନିବାସ ମଧ୍ୟରୁ ୧୨ଟି ଗୋଡ଼ ଓ ପାଟିକୁ ବନ୍ଧା ହୋଇଥିବା କୁକୁରଙ୍କୁ ଉଦ୍ଧାର କରି ଛଡ଼ାଯାଇଛି ବୋଲି କହିଥିଲେ।

ଏନେଇ ହଷ୍ଟେଲ ୱାର୍ଡେନ ପ୍ରଫେସର ବରାଳଙ୍କ ସହ ଯୋଗାଯୋଗ କରାଯିବାରେ ଛାତ୍ରୀମାନେ କୁକୁର କାମୁଡ଼ିବା ଭୟ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଏମ୍‌ସିକୁ ଜଣା ଯାଇଥିଲା। ବିଏମ୍‌ସି କର୍ମଚାରୀ ଏବଂ ବିଶ୍ଵବିଦ୍ୟାଳୟ କର୍ମଚାରୀମାନେ କୁକୁରକୁ ବାନ୍ଧି ଅନ୍ୟତ୍ର ସ୍ଥାନରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର