ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୧୧ ମାମଲାରେ ଜବତ ହୋଇଛି ୨୧ କୋଟି ଟଙ୍କାର ସମ୍ପତ୍ତି

ଏବେ ଆଇନ ବଦଳିବାର ନାହିଁ : ମନ୍ତ୍ରୀ

ଭୁବନେଶ୍ବର : ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଶା ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଅବଧିରେ ୧୧ଟି ମାମଲା‌ରେ ନିଶା ବେପାରୀଙ୍କ ୨୧ କୋଟି ୯ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ଓ ବାଜ୍ୟାପ୍ତି କରାଯାଇଛି। ଶନିବାର ଦିନ ଗୃହରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହି ସୂଚନା ଦେଇଛନ୍ତି। ନିଶାଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ଦଣ୍ଡବ୍ୟବସ୍ଥା ଅଧିକ କରିବାକୁ ଅବକାରୀ ଆଇନ ସଂଶୋଧନର ଯୋଜନା ଅଛି କି ନାହିଁ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ଏବେ ଏଭଳି କୌଣସି ଯୋଜନା ନାହିଁ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ପୁଲିସ୍‌ ବିଭାଗ ଦ୍ବାରା ୨୦୧୯-୨୦ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ୪୦୨ ମାମଲା ରୁଜୁ ହୋଇଥିବା ବେଳେ ୪୪୦ ଜଣ ଗିରଫ ହୋଇଥିଲେ। ୮୫ କ୍ବିଣ୍ଟାଲ ୨୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୨ କେଜି ୯୬୩ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୩୮୧ ମାମଲା ରୁଜୁ ହୋଇଥିବା ବେଳେ ୩୯୬ଜଣ ଗିରଫ ହୋଇଥିଲେ। ୧୭୦ କ୍ବିଣ୍ଟାଲ ୨୨କେଜି ଗଞ୍ଜେଇ ଜବତ ହୋଇଥିବା ବେଳ‌େ ୩ କେଜି ୮୩୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୬୮୬ମାମଲାରେ ୭୬୯ ଜଣ ଗିରଫ ହୋଇଛନ୍ତି। ୩୦୧ କ୍ବିଣ୍ଟାଲ୍‌ ୩୬ କେଜି ଗଞ୍ଜେଇ ଓ ୧୧କେଜି ୬୬୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଚଳିତ ଆର୍ଥିକ ବର୍ଷର ମେ’ ମାସ ପର୍ଯ୍ୟନ୍ତ ୩୩୦ ମାମଲାରେ ୩୩୪ଜଣ ଗିରଫ ହୋଇଛନ୍ତି। ୮୨ କ୍ବିଣ୍ଟାଲ୍‌୯ କେଜି ଗଞ୍ଜେଇ ଓ ୨କେଜି ୪୭୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି।

ସେହିଭଳି ଅବକାରୀ ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୪ ହଜାର ୪୨୬ ମାମଲା ରୁଜୁ ହୋଇଥିବା ବେଳେ ୨୦୮୬୩ ଜଣ ଗିରଫ ହୋଇଥିଲେ। ୨୪୧୪ କୋଟି ୮ ଲକ୍ଷ ୫୭ ହଜାର ୫୭୦ ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨୫୦୬୨ ମାମଲା ରୁଜୁ ହୋଇଥିବା ବେଳେ ୧୯୩୫୨ଜଣ ଗିରଫ ହୋଇଥିଲେ। ୧୮୦୯ କୋଟି ୯୦ ଲକ୍ଷ ୮୭ ହଜାର ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୩୯୭୩୬ ମାମଲାରେ ୩୨୭୬୬ ଜଣ ଗିରଫ ହୋଇଛନ୍ତି। ୨୨୮୧ କୋଟି ୭୩ ଲକ୍ଷ ୭୨ ହଜାର ୬୭୮ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି। ଚଳିତ ବର୍ଷ ମେ’ ସୁଦ୍ଧା ୮୬୬୩ ମାମଲାରେ ୭୧୭୦ଜଣ ଗିରଫ ହୋଇଛନ୍ତି। ୨୬ କୋଟି ୨ ଲକ୍ଷ ୯୪ ହଜାର ୯୯୫ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି।

ସମ୍ବନ୍ଧିତ ଖବର