କଟକ : ହାତୀଙ୍କ ସହ ଯଦି କୌଣସି ବ୍ୟକ୍ତି ସେଲ୍‌ଫି ନେଉଥିବାବେଳେ ଧରାପଡ଼ନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ଆଜି ଏହି ମର୍ମରେ ସବୁ ରେଂଜରଙ୍କୁ ଚିଠି ଲେଖିଛନ୍ତି। ଜନବସତିକୁ ଚାଲି ଆସୁଥିବା ହାତୀପଲଙ୍କ ସୁରକ୍ଷା  ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ହାତୀଙ୍କ ସହ ଯିଏ ସେଲ୍‌ଫି ନେବ ଓ ସେମାନଙ୍କୁ ଉତ୍ତେଜିତ କଲା ଭଳି କାର୍ଯ୍ୟ କରିବ, ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Advertisment

ଆଠଗଡ଼ ବନଖଣ୍ଡରେ ସବୁବେଳେ ହାତୀପଲ ଜନବସତିକୁ ଚାଲିଆସିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। କେତେବେଳେ ରାଜରାସ୍ତାରେ ତ କେତେବେଳେ ଜନବସତିରେ ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଅତିଷ୍ଠ ହୋଇପଡୁଛନ୍ତି। ତେବେ ହାତୀଙ୍କ ସହ ସେଲ୍‌ଫି ଉଠାଇ ତାକୁ ସୋସିଆଲ ମିଡିଆରେ ଛାଡିବା ଘଟଣା ଏବେ ବଢିବାରେ ଲାଗିଛି। ଏପରିକି କିଛି ଯୁବକ ହାତୀଙ୍କ ଶୁଣ୍ଡ ଓ ଦେହକୁ ବାଡ଼ିରେ ଆଘାତ କରି ଉତ୍ତେଜିତ କରିବା ସହ ସେଭଳି ଦୃଶ୍ୟର ଭିଡିଓ ଅପଲୋଡ୍‌ କରୁଛନ୍ତି।  ଏହାକୁ ନେଇ ଅଘଟଣ ଘଟିବାର ଆଶଙ୍କା ରହୁଥିବାରୁ ଡିଏଫଓ ଏଭଳି ଚିଠି ଲେଖିବା ସହ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ରେଞ୍ଜରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଭାରତୀୟ ବନ୍ୟପ୍ରାଣୀ ଆଇନ ୧୯୭୨ଅନୁସାରେ ହାତୀଙ୍କ ଗତିରୋଧ କରିବା, ସେମାନଙ୍କୁ ଉତକ୍ଷିପ୍ତ କରିବା ଓ ସେଲ୍‌ଫି ନେବା ଦଣ୍ଡନୀୟ ଅପରାଧ। ତେଣୁ ଏଭଳି କାର୍ଯ୍ୟରେ ଯିଏ ବି ସଂପୃକ୍ତ ରହିବ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ଶ୍ରୀମତୀ ଲେଙ୍କା କହିଛନ୍ତି।