କେହି ପାସ୍‌ କରି ନଥିବା କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୬ଟି କଲେଜରେ ତାଲା

ଭୁବନେଶ୍ୱର : ଭିତ୍ତିଭୂମି ନ ଥିବା ୪ଟି ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)କୁ ୨୦୧୯-୨୦ ଶିକ୍ଷା ବର୍ଷରେ ବନ୍ଦ କରାଯାଇଛି। ୯୧ଟି କଲେଜରେ ନାମଲେଖା ଉପରେ କଟକଣା ଜାରି ହୋଇଛି। ଏହାପରେ ବି କଠୋର୍‌ ଆଭିମୁଖ୍ୟରୁ ଓହରିନି ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେର୍ଶାଳୟ। ୨୦୧୯ ବିଜ୍ଞାନ ବିଭାଗରେ କେହି ପାସ୍‌ କରି ନଥିବା ୯ଟି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ୬ଟି କଲେଜ ବନ୍ଦ କରିବାକୁ ନିଦେର୍ଶ ଦିଆଯାଇଛି। ଏଥିସହ ୩ଟି କଲେଜକୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେର୍ଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବଡ଼ କଥା ହେଉଛି ଯେ ଯେଉଁ କଲେଜ ବନ୍ଦ କରିବାକୁ ନିଦେର୍ଶ ଦିଆଯାଇଛି, ସେଥିମଧ୍ୟରୁ ଇତି ମଧ୍ୟରେ ୪ଟି କଲେଜ ବନ୍ଦ ହୋଇଯାଇଛି। ଗତବର୍ଷଠାରୁ ଉକ୍ତ କଲେଜଗୁଡ଼ିକରେ ତାଲା ପଡ଼ିଛି। ସେଠାରେ ନାମଲେଖା ହେଉନି କି ପିଲା ପଢ଼ୁନାହାନ୍ତି। ସେଥିମଧ୍ୟରୁ ଭୁବନେଶ୍ୱରର ଗୋଟିଏ କଲେଜ ରହିଛି। ସହିଦନଗର ଠିକଣାରେ କଲେଜର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ପଳାସୁଣୀରେ ଉକ୍ତ ସେଲ୍ଫ ଫାଇନାନ୍ସିଂ କଲେଜଟି ଚାଲୁଥିଲା। ଲଗାତାର ତିନି ବର୍ଷ ଧରି ପିଲା ନ ହେବାରୁ ଉକ୍ତ କଲେଜଟି ଦୁର୍ବଳିଆ ହୋଇଯାଇଥିଲା। ଗତବର୍ଷ ତାଲା ପଡ଼ିଥିଲା। ଯେଉଁଠି କଲେଜ ରହିଥିଲା, ସେହି ଘର ଏବେ ଭଡ଼ା ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟ ତିନୋଟି କଲେଜ ଅବସ୍ଥା ବି ସମାନ। ପିଲା ଅଭାବରୁ ଦୁଇ ବର୍ଷ ହେଲା କଲେଜଗୁଡ଼ିକ ଭିତ୍ତିଭୂମି ସୁଦୃଢ଼ କରିପାରିନଥିଲେ। ଫଳରେ ଗତବର୍ଷଠାରୁ ଉକ୍ତ କଲେଜଗୁଡ଼ିକ ବନ୍ଦ ହୋଇଯାଇଛି।

ଅନ୍ୟପକ୍ଷରେ ଚଳିତବର୍ଷ ‘ଜିରୋ’ ପରୀକ୍ଷା ଫଳ କରିଥିବା ଆଉ ଦୁଇଟି କଲେଜକୁ ବନ୍ଦ କରିବାକୁ ନିଦେର୍ଶ ଦିଆଯାଇଛି। ଉକ୍ତ କଲେଜଗୁଡ଼ିକରେ ବହୁତ କମ୍‌ ଛାତ୍ରଛାତ୍ରୀ ପଢ଼ୁଥିଲେ। ଚଳିତବର୍ଷ ମାତ୍ର ଦୁଇ ଜଣ ଲେଖାଏଁ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗ ପରୀକ୍ଷା ଦେଇଥିଲେ। ଆଉ ସମସ୍ତ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି। ସମ୍ପୃକ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବି ଅଭାବ ରହିଛି। ତେଣୁ ସେହି କଲେଜଗୁଡ଼ିକରେ ଚଳିତବର୍ଷ ନାମଲେଖା ନ କରିବାକୁ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ନିଦେର୍ଶାଳୟ। ଏହାକୁ ମିଶାଇଲେ ୨୦୧୯-୨୦ ଶିକ୍ଷାବର୍ଷରେ ମୋଟ ୬ଟି କଲେଜରେ ନାମଲେଖା ନ କରିବାକୁ ନିଦେର୍ଶାଳୟ ପକ୍ଷରୁ କୁହାଯାଇଛି।

ବାକି ୩ଟି କଲେଜ କର୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। କେଉଁ କାରଣ ଲାଗି ଜଣେ ବି ହେଲେ ଛାତ୍ରଛାତ୍ରୀ ପାସ୍‌ କରିପାରିଲେ ନାହିଁ? କେଉଁଠି ଅସୁବିଧା ରହିଲା? ପାଠପଢ଼ା ଠିକ୍‌ ହେଉଥିଲା କି ନାହିଁ? ଭିତ୍ତିଭୂମି ଠିକ୍‌ ଅଛି କି ନାହିଁ? ଲାଇବ୍ରେରି, ଲାବରେଟୋରି, ଅଧ୍ୟାପକଙ୍କ ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ଜଣାଇବାକୁ କୁହାଯାଇଛି। ୭ ଦିନ ଭିତରେ ଏନେଇ ରିପୋର୍ଟ ଦେବାକୁ ନିଦେର୍ଶ ଦିଆଯାଇଛି। ଯଦି ନିଦ୍ଧାରିତ ସମୟରେ ରିପୋର୍ଟ ନ ମିଳେ, ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର