ଆଇନଜୀବୀ ଆନ୍ଦୋଳନ ନେଇ ଆକ୍ସନ୍‌ କମିଟି ବୈଠକ : ଅକ୍ଟୋବର ୨୬ରେ ପରବର୍ତୀ କାର୍ଯ୍ୟପନ୍ଥା ନିଷ୍ପତ୍ତି

କଟକ : ଅଗଷ୍ଟ ୨୯ରୁ ଚାଲିଥିବା ଆଇନଜୀବୀ ଆନ୍ଦୋଳନ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ହାଇକୋର୍ଟ ବାର୍ ଆସୋସିଏସନ୍ ହଲ୍‌ରେ ଅନୁଷ୍ଠିତ ଆକ୍ସନ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହାଇକୋର୍ଟ ବାର୍ ଆସୋସିଏସନ୍ ସଂପାଦକ ସତ୍ୟବ୍ରତ ମହାନ୍ତିଙ୍କ ଆବାହକତ୍ବରେ ଓ ପୂର୍ବତନ ଉପସଭାପତି ଦୁଷ୍ମନ୍ତ ବିଶ୍ବାଳ ଅଧ୍ୟକ୍ଷତାରେଅ ଅନୁଷ୍ଠିତ ‌ଏହି ବୈଠକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ମାମଲାରେ ଆଇନଗତ ପଦକ୍ଷେପ ଗ୍ରହଣ ସହିତ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନକୁ ଜାରି ରଖିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଯେଉଁମାନେ କେସ୍ ଦାୟର କରିଥିଲେ ସେମାନଙ୍କ ବିରୋଧରେ ଶୃଙ୍ଖାଳଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂପର୍କରେ ବୈଠକରେ ଆଲୋଚନା କରାଯିବା ସହ ଏ ସଂପର୍କରେ ରାଜ୍ୟ ଆଇନଜୀବୀ ପରିଷଦକୁ ଅବଗତ କରାଯିବ ବୋଲି ‌ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଦେଇଥିବା ପ୍ରସ୍ତାବ ସହିତ ନବୀନ ନିବାସ ଘେରାଉ ପ୍ରସ୍ତାବ ଉପରେ ଆସନ୍ତା ୨୬ତାରିଖ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ପରବର୍ତୀ କାର୍ଯ୍ୟପନ୍ଥା ସଂପର୍କରେ ପଦକ୍ଷେପ ନିଆଯିବ ବୋଲି କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ ସଭାପତି ଅକ୍ଷୟ କୁମାର ପତି ସୂଚନା ଦେଇଛନ୍ତି। ହାଇକୋର୍ଟ ବାର୍ ଯୁଗ୍ମ ସଂପାଦକ ରଂଜନ କୁମାର ନାୟକ, ସହକାରୀ ସଂପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସଂପାଦକ ସୁରେଶ ଜେନା, ପୂର୍ବତନ ସଂପାଦକ ବିଜୟ କୁମାର ରଗଡ, ବରିଷ୍ଠ ସଦସ୍ୟ କ୍ଷୀରୋଦ ରାଉତ, କଟକ ବାର‌୍‌ ଉପସଭାପତି କୃପାସିନ୍ଧୁ ସାହୁ, ପୂର୍ବତନ ସଂପାଦକ କ୍ଷେତ୍ରମୋହନ ଧଳ, ନିତ୍ୟାନନ୍ଦ ବେଉରା, କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସ˚ପାଦକ ପ୍ରଦୀପ ପରିଡା, ହେମନ୍ତ ମହାନ୍ତି, ରମେଶ ଚନ୍ଦ୍ର ବେହେରା, କାମଦେବ କାନୁନଗୋ, ବିଭୂପ୍ରସନ୍ନ ମହାପାତ୍ର, ବିଚିତ୍ରାନନ୍ଦ ମହାପାତ୍ର, କବିରାଜ ଜେନା, ରାକେଶ ମଲ୍ଲିକ, ଗଙ୍ଗାଧର ସାମଲ, ଜଗନ୍ନାଥ ମହାନ୍ତି, ଗଗନ ବାରିକ, ପ୍ରଶାନ୍ତ ମାହାଳିକ, ଅଜିତ ପଣ୍ଡା, ଅଶ୍ବିନୀ ସାହୁ, ଉଦିତ ଜେନା, ବାସୁଦେବ ଦାସଙ୍କ ସମେତ ବହୁ ଆଇନଜୀବୀ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର