ଏଣିକି ରେଳରୋକ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରେଳବାଇ ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଏଣିକି କୌଣସି ରାଜନୈତିକ ଦଳ, ସଂଗଠନ କିମ୍ବା ଅନୁଷ୍ଠାନ ରେଳରୋକ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତଙ୍କ ବିରୋଧରେ ସରକାରୀ ସମ୍ପତ୍ତି ନଷ୍ଟ ଭଳି ଗୁରୁତର ଅଭିଯୋଗରେ ମାମଲା ରୁଜୁ କରାଯିବ। ଆଜି ରେଳବାଇ ସୁରକ୍ଷା ନେଇ ଡିଜି କ୍ୟାମ୍ପ ଅଫିସରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି କଡ଼ା ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଛଡ଼ା ଅନେକ ଦ୍ରୁତଗାମୀ ଟ୍ରେନ୍‌, ଷ୍ଟେସନ୍‌, ଷ୍ଟେସନ୍‌ର ଭିତ୍ତିଭୂମି, ଲୋକବଳ, ଦୁର୍ଘଟଣା, ଅପରାଧ, ବ୍ୟାଗେଜ୍‌ ସ୍କାନର୍‌ ଆଦି ଉପରେ ଆଲୋଚନା କରାଯାଇଥିଲା। ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା ମୁତାବକ, ରେଳରୋକବେଳେ ଅନେକ ଯାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ରେଳବାଇର ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି। ଏହାକୁ ଲକ୍ଷ୍ୟ ରଖି ରେଳବାଇ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସ ବିଭାଗକୁ ଅନୁରୋଧ କରାଯାଇଥିଲା। ତେଣୁ ପୁଲିସ ବିଭାଗ ଏଭଳି ଏକ ଦୃଢ଼ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି।
ସେହିପରି ବିଭିନ୍ନ ଷ୍ଟେସନ ଓ ଦ୍ରୁତଗାମୀ ଟ୍ରେନ୍‌ରେ ଘଟୁଥିବା ଅପରାଧକୁ ରୋକିବା ଲାଗି ଟ୍ରେନ୍‌ରେ କଡ଼ା ପାଟ୍ରୋଲିଂ କରିବା ସହିତ ସିସି କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି। ରେଲେଓ୍ଵ ଟେଣ୍ଡର ମାଫିଆ, ଚୋରା ସ୍କ୍ରାପ ବେପାରି, କୋଇଲା ଚୋରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ହୋଇଛି। ଟ୍ରେନ୍‌ରେ ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏହାଛଡ଼ା କୌଣସି ଷ୍ଟେସନ୍‌ କିମ୍ବା ରେଳଧାରଣାରେ ଦୁର୍ଘଟଣା ଘଟିଲେ କିଭଳି ରେଳବାଇ, ଆର୍‌ପିଏଫ୍‌, ଡାକ୍ତରୀ ଦଳ, ଆମ୍ବୁଲାନ୍ସ ପହଞ୍ଚି ଆଶୁ ଚିକିତ୍ସା ଯୋଗାଇ ପାରିବେ ତାହା ଉପରେ ତର୍ଜମା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରେଳାବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଗୁଇନ୍ଦା ନିର୍ଦେଶକ ସୁନୀଲ କୁମାର ରଏ, ଆଇନୃଶଙ୍ଖଳା ଆଇଜି ଅମିତାଭ ଠାକୁର, କଟକ ଓ ରାଉରକେଲାର ରେଳବାଇ ଏସ୍‌ପି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର