ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ କହିସାରିଛନ୍ତି ଯେ ପ୍ରତି ମଣିଷର ଜୀବନ ମୂଲ୍ୟବାନ। ଏଣୁ କଚ୍ଚା ଓ ଅସୁରକ୍ଷିତ ଘର ଆଦିରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘରକୁ ନେବା କ୍ଷେତ୍ରରେ କୋହଳ ଆଭିମୁଖ୍ୟ ବା ଦାୟିତ୍ବହୀନତା ପ୍ରଦର୍ଶନ କଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏପରିକି ବିପର୍ଯ୍ୟୟ ଆଇନ ଅନୁସାରେ ମକଦ୍ଦମା ରୁଜୁ କରାଯିବ।

Advertisment

ବାତ୍ୟା ପ୍ରସ୍ତୁତି ଓ ମୁକାବିଲା ସମୀକ୍ଷା ବେଳେ ସ୍ବତନ୍ତ୍ର ରିଲିଫ୍ କମିସନର ଆଜି କଡ଼ା ଶବ୍ଦରେ ସରକାରୀ ଅଧିକାରୀମାନଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। କେବଳ ସେତିକି ନୁହେଁ, ଏକଥା ବି କୁହାଯାଇଛି ଯେ ବାତ୍ୟା ପରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି। ଏହି ସମୟରେ କିଛି ଲୋକ ନିଜ ଘରେ ଜେନେରେଟର୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଏହି ଜେନେରେଟର୍‌ରୁ ବ୍ୟାକ୍ କରେଣ୍ଟ୍‌ ଆସି ବିଦ୍ୟୁତ ଭିତ୍ତିଭୂମି ସଜାଡ଼ୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଅତୀତରେ ମଧ୍ୟ ଏମିତି ଅଘଟଣ ଘଟିଛି। ତେଣୁ ବାତ୍ୟା ପରେ ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ଚାଲିବାକୁ ଥିବାରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜେନେରେଟର୍‌ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ବ୍ୟକ୍ତି ଏହା ଅମାନ୍ୟ କଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ବିପର୍ଯ୍ୟୟ ଆଇନରେ ମକଦ୍ଦମା ରୁଜୁ କରାଯିବ ବୋଲି ଏସ୍‌ଆର୍‌ସି ଚେତାଇ ଦେଇଛନ୍ତି।

ସତର୍କ କରାଇ ଆଜି ଏସ୍‌ଆର୍‌ସି କହିଛନ୍ତି ଯେ ବାତ୍ୟା ସମୟରେ ଲୋକମାନେ ଆମ୍ବ, ନଡିଆ, ପଣସ ଆଦି ଗୋଟାଇବା ପାଇଁ ବାହାରକୁ ନଯିବା ଦରକାର। ବାତ୍ୟା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ରଖିବା ଦ୍ୱାରା ବାତ୍ୟା ବେଳେ ନଳକୂପ ବା କୂଅମୂଳକୁ ଯିବାକୁ ପଡିବ ନାହିଁ। ସେହିଭଳି ପବନ ସମୟରେ ଏଣେତେଣେ ବୁଲିଲେ ହୋଡିଂ, ଗଛ, ଟାୱାର, ଗୃହ ଭଗ୍ନାଂଶ ଆଦି ଦ୍ୱାରା ଆଘାତ ହେବାର ସମ୍ଭାବନା ଥିବାରୁ କେହି ଘରୁ ନ ବାହାରିବା ପାଇଁ କୁହାଯାଇଛି। ଦୋକାନୀମାନେ ସେମାନଙ୍କର ହୋଡିଂ ବା ନେମପ୍ଲେଟ୍ ଖୋଲି ରଖିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି ଏବଂ ବିଭିନ୍ନ ଷ୍ଟ୍ରିଟ୍ ଲାଇଟ୍‌ର ଫିଟିଂ ଓ ହାଇମାକ୍ସ ଲାଇଟର ଫିଟିଂକୁ ଖୋଲି ରଖିବାକୁ କହିଛନ୍ତି। ଏହାଦ୍ବାରା ସେଗୁଡିକ ସୁରକ୍ଷିତ ରହିବା ସହ ଅନ୍ୟମାନେ ମଧ୍ୟ ବାତ୍ୟା ସମୟରେ ଆଘାତପ୍ରାପ୍ତ ହେବେ ନାହିଁ ବୋଲି କୁହାଯାଇଛି।

ଏବେ ସୁଦ୍ଧା ୩୨ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଏବଂ ୫୦ରୁ ଅଧିକ ଓଡ୍ରାଫ୍ ଟିମ୍ ଓ ୧୭୫ଟି ଅଗ୍ନିଶମ ବାହିନୀ, ବନ ବିଭାଗ ପକ୍ଷରୁ ୩୫ଟି ଗଛ କଟାଳୀ ଟିମ୍ ଜିଲ୍ଲାଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି। ଆଉ ଅଧିକ ୩୦ ଏନ୍‌ଡିଆର୍‌ଏଫ୍ ଟିମ୍ ପଠାଇବା ପାଇଁ ଅନୁରୋଧ କରାଯାଇଛି। ପୂର୍ତ୍ତ ବିଭାଗ ତରଫରୁ ୧୬୫ ଟି ସ୍ୱତନ୍ତ୍ର ଟିମ୍‌, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୧୩ଟି, ଜଳ ସଂପଦ ବିଭାଗ ତରଫରୁ ଇଂଜିନିୟର ଟିମ୍ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ଜେସିବି, ଟ୍ରାକ୍ଟର, ଏକ୍ସାଭେଟର, ଗ୍ୟାସ କଟର ଇତ୍ୟାଦି ଯନ୍ତ୍ରପାତି ଏବଂ ଆବଶ୍ୟକୀୟ ଶ୍ରମିକ ପ୍ରସ୍ତୁତ କରି ରଖାଯାଇଛି। ଏମାନେ ଜିଲ୍ଲାପ୍ରଶାସନକୁ ରାସ୍ତାରେ ପଡିଥିବା ଗଛକାଟି ସଫା କରିବା ପାଇଁ, ବିଦ୍ୟୁତ ମରାମତି, ଟେଲିକମ୍ ପୁନରୁଦ୍ଧାର ଆଦି କାର୍ଯ୍ୟରେ ସାହାଯ୍ୟ କରିବେ।

ଏସ୍‌ଆର୍‌ସି କହିଛନ୍ତି ଯେ କଚ୍ଚା, ଖପର, ଆଜବେଷ୍ଟସ୍‍ ଓ ତଳୁଆ ଅଞ୍ଚଳର ଲୋକମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବା ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଜୁଆର ଆସିବାର ସମ୍ଭାବନା ଥିବାରୁ ତଳୁଆ ଅଞ୍ଚଳରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀ ପରିଚାଳନା କାର୍ଯ୍ୟରେ ସ୍ଥାନୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଆଶା, ଅଙ୍ଗନୱାଡି କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି ଏବଂ ଜନସାଧାରଣ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବା ପାଇଁ କୁହାଯାଇଛି। ଯେତେଶୀଘ୍ର ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀକୁ ଯିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଆଶ୍ରୟସ୍ଥଳୀରେ ରହିବା ସମୟରେ ସମସ୍ତଙ୍କୁ ମାସ୍କ ବଂଟନ, ସାବୁନ, ସାନିଟାଇଜରର ବ୍ୟବସ୍ଥା ରହିବ। ସେଠାରେ ମାଗଣା ରନ୍ଧାଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ, ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦିଆଯିବ। ଶିଶୁମାନଙ୍କ ପାଇଁ ଛତୁଆ, ବିସ୍କୁଟ ଆଦି ଯୋଗାଇ ଦିଆଯିବ।

ବାଲେଶ୍ବରରେ ଗୁରୁତର କୋଭିଡ୍ ରୋଗୀଙ୍କ କଥା କିଏ ବୁଝିବ?
ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଟି ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି, ସରକାର ତାହା ଉପରେ ନିରବ ରହିଛନ୍ତି। ବାତ୍ୟା ବାଲେଶ୍ବର ସହରରେ ତାଣ୍ଡବ ରଚାଇବ। ଭୀଷଣ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିସାରିଲେଣି। ଏପରିକି ଆଇଏମ୍‌ଡି ମଧ୍ୟ ଏହାର ଭୟାବହତା ସଂପର୍କରେ ସୂଚାଇ ଦେଇଛି। ଏହାସତ୍ତ୍ବେ ରାଜ୍ୟ ସରକାର ବାଲେଶ୍ବର ସହର ଉପରେ ଥିବା କୋଭିଡ୍ ହସ୍ପିଟାଲରୁ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର ନେଇ କୌଣସି ଠୋସ୍ ନିଷ୍ପତ୍ତି ନେଇନାହାନ୍ତି। ଦିନ ଦିନ ଧରି ବିଦ୍ୟୁତ ସଂଯୋଗ, ଯୋଗାଯୋଗ ବ୍ୟବସ୍ଥା ବ୍ୟାହତ ହେଲେ ସେଠାରେ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ମେଡ଼ିକାଲକୁ ଯାଇପାରିବେ କି ନାହିଁ, ତାର କିଛି ଗ୍ୟାରେଣ୍ଟି ନାହିଁ। ସରକାର ଗୋଟିଏ ପଟେ ଜୀବନ ମୂଲ୍ୟବାନ କଥା କହୁଥିବା ବେଳେ କେଉଁ ସାହସରେ ବାଲେଶ୍ବରରେ ଚିକିତ୍ସିତ ହେଉଥିବା ଗୁରୁତର କୋଭିଡ୍ ରୋଗୀଙ୍କୁ ସେହିଠାରେ ବିପର୍ଯ୍ୟୟ ମୁହଁରେ ରଖିବା ଲାଗି ଚିନ୍ତା କରୁଛନ୍ତି, ତାହା ସମସ୍ତଙ୍କୁ ବିସ୍ମିତ କରୁଛି।