ବିଭୂତି ପତି
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠି ଏଆଇସିସିରେ ଚର୍ଚ୍ଚାର ବିଷୟ ହୋଇଛି। ଏଆଇସିସିର ଅନେକ ବରିଷ୍ଠ ନେତା ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି। ଜୟରାମ ରମେଶ, କେ. ସି. ଭେଣୁଗୋପାଳ, ଅଜୟ ମାକେନ ଓ ଅଭିଷେକ ମନୁ ସିଂଘଭୀଙ୍କ ଭଳି ଏଆଇସିସିର ବରିଷ୍ଠ ନେତାମାନେ ଏହାକୁ ନେଇ କ୍ଷୁବ୍ଧ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜଣାପଡ଼ିଛି ଭକ୍ତ ଦାସ ଏହି ପ୍ରସଙ୍ଗରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଏ ସମସ୍ତ ପ୍ରସଙ୍ଗ ଉପରେ ଆଜି କଂଗ୍ରେସ ସଭାପତି ଓ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ଭାବେ ଅବଗତ କରାଯାଇଛି।

Advertisment

Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ

ଓଡ଼ିଶା କଂଗ୍ରେସର ଅନେକ ବରିଷ୍ଠ ନେତା ମୋକିମଙ୍କ ଚିଠି ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିବାକୁ ନେଇ ମଧ୍ୟ ଏଆଇସିସି ଅବଗତ ରହିଛି। ଏସବୁ ଉପରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟ ବିଶେଷ ଭାବେ ନଜର ରଖି ସମସ୍ତ ଘଟଣାକୁ ଅନୁଧ୍ୟାନ କରିଛନ୍ତି। ମହମ୍ମଦ ମୋକିମ୍ ଯେଉଁଭଳି ଭାବେ ଖଡ଼୍‌ଗେ ଓ ରାହୁଲଙ୍କୁ ଆକ୍ଷେପ କରି ତାହାକୁ ଗଣମାଧ୍ୟମରେ ପ୍ରଘଟ କରିଛନ୍ତି, ତାହାକୁ ଏଆଇସିସି ଆଦୌ ସହ୍ୟ କରିବା ଉଚିତ ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ସୋନିଆ ଗାନ୍ଧୀଙ୍କୁ ଜଣାଇ ଦେଇଛନ୍ତି। କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ‘ରାଷ୍ଟ୍ରପତି ନିର୍ବାଚନ ସମୟରୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବିଭିନ୍ନ ସଭାପତିଙ୍କ ବିରୋଧରେ ଏବଂ ଏଆଇସିସିର ଦଳୀୟ ନେତୃତ୍ବଙ୍କ ନିଷ୍ପତ୍ତି ଓ  ଶୃଙ୍ଖଳାକୁ ସବୁବେଳେ ମୋକିମ ବିରୋଧ କରିବା ପରିଲକ୍ଷିତ ହୋଇସାରିଲାଣି। ଶେଷରେ ବର୍ତ୍ତମାନ ରାହୁଲ ଓ ଖଡ଼୍‌ଗେଙ୍କୁ ସର୍ବସାଧାରଣରେ ଟାର୍ଗେଟ କରି ମୋକିମ୍ ଏକାଧିକବାର ବିଶୃଙ୍ଖଳିତ ଆଚରଣ ଦୀର୍ଘ କାଳ ଧରି ପ୍ରଦର୍ଶନ କରୁଛନ୍ତି ବୋଲି ଏଆଇସିସି ବୁଝି ସାରିଛି। ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ତାହାକୁ ଗଣମାଧ୍ୟମରେ ପ୍ରକାଶ କରିବା ଦ୍ବାରା ସମଗ୍ର ଦେଶରେ କଂଗ୍ରେସକୁ ବଦନାମ କରିବାର ଉଦ୍ୟମ କରାଯାଉଛି। ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ବୋଲି ଏଆଇସିସି ନେତୃମଣ୍ଡଳୀ ବୁଝିପାରିଛନ୍ତି। ତାଙ୍କର ଏଭଳି ଅଭିପ୍ରାୟ କେବଳ କଂଗ୍ରେସକୁ ସର୍ବସାଧାରଣରେ ଅପଦସ୍ଥ କରି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ସୁରକ୍ଷିତ ରଖିବା। ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଗଣମାଧ୍ୟମ ଜରିଆରେ ଦଳକୁ ନିନ୍ଦିତ କରିବାର ପ୍ରୟାସ ଜାରି ରଖିଛନ୍ତି ବୋଲି ଅଭିଯୋଗ ହୋଇଛି।’

ଭକ୍ତଙ୍କ ସହିତ ରାହୁଲ ଓ ଖଡ଼୍‌ଗେଙ୍କ ଆଲୋଚନା
କଂଗ୍ରେସରେ କମ୍ପନ, ସୋନିଆଙ୍କ ଉପରେ ନଜର

ବର୍ତ୍ତମାନ କଂଗ୍ରେସ ଦଳ ଯେତେବେଳେ ବିହାର ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ଦଳୀୟ ସଂଗଠନକୁ ସୁଦୃଢ଼ ଓ ଶୃଙ୍ଖଳିତ କରି ପରିଚାଳିତ ହେବାକୁ ଉଦ୍ୟମ କରୁଛି ଏବଂ ବିଜେପି ସରକାରର ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଜନସାଧାରଣଙ୍କ ନିକଟକୁ ଯାଉଛି, ଏଭଳି ସମୟରେ ମୋକିମ୍‌ଙ୍କ ଆଚରଣ ଓ ଉଚ୍ଚାରଣ କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଅନ୍ୟ ପଟରେ ଓଡ଼ିଶା କଂଗ୍ରେସରେ ଦୀର୍ଘ କାଳ ଧରି ଲାଗି ରହିଥିବା ଏଭଳି ଗୋଷ୍ଠୀ ବିବାଦକୁ ମଧ୍ୟ ସୋନିଆ ଭଲ ଭାବରେ ଜାଣିସାରିଛନ୍ତି। ଏଭଳି ବିଶୃଙ୍ଖଳାକୁ ସେ ମଧ୍ୟ ଅଧିକ ଦିନ ସହ୍ୟ କରିବା ପରିସ୍ଥିତିରେ ନାହାନ୍ତି। ତେଣୁ ମୋକିମ୍‌ଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏକପ୍ରକାର ନିଶ୍ଚିତ ହେବ ବୋଲି ଏଆଇସିସି କାର୍ଯ୍ୟକାରିଣୀର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି।

missing students: ନିଖୋଜ ୩ ଛାତ୍ର ଛତିଆରୁ ଠାବ: ଶିକ୍ଷକଙ୍କୁ ଦାୟୀ କଲେ ଅଭିଭାବକ

ଏଆଇସିସିରେ ମହମ୍ମଦ ମୋକିମଙ୍କ ଚିଠି ପ୍ରସଙ୍ଗରେ ଚର୍ଚ୍ଚା ହେବାପରେ ସେ ସମ୍ବାଦକୁ କହିଛନ୍ତି, ମୁଁ ଜଣେ ସଚ୍ଚୋଟ କଂଗ୍ରେସ କର୍ମୀ ଭାବେ ଦଳକୁ ଶକ୍ତିଶାଳୀ କରିବାକୁ ଓ ସୁଧାରିବାକୁ ସୋନିଆ ଗାନ୍ଧୀଙ୍କୁ ଏ ଚିଠି ଲେଖିଛି। ମୁଁ ଭାବୁଛି ଏ ଦିଗରେ ସୋନିଆ ଗାନ୍ଧୀ ଆଲୋଚନା କରିବେ। ମୁଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସମ୍ମାନ କରେ। କଂଗ୍ରେସ ବିରୋଧୀ ଦଳରେ ରହିଛି। ତୃଣମୂଳ ସ୍ତରରେ କଂଗ୍ରେସକୁ ଦୃଢ଼ କରିବାକୁ ହେଲେ ୮୩ ବର୍ଷ ବୟସରେ ବୟସାଧିକ କାରଣରୁ ସେ ଏଭଳି ଗୁରୁଦାୟିତ୍ୱ ତୁଲାଇବା ସମ୍ଭବ ନୁହେଁ ବୋଲି ମୁଁ ଲେଖିଛି। ରାହୁଲ ଗାନ୍ଧୀ ଏଆଇସିସି ସଭାପତି ଥିବା ସମୟରେ କଂଗ୍ରେସ ବିଭିନ୍ନ ନିର୍ବାଚନ ହାରିବା ପରେ ସେ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ। ଗତ ତିନି ବର୍ଷ ଧରି ମୁଁ ରାହୁଲ ଗାନ୍ଧୀଙ୍କୁ ସ୍ୱତନ୍ତ୍ର ଭାବେ ଭେଟିବାକୁ ସମୟ ମାଗୁଛି, ମାତ୍ର ମୋତେ ସମୟ ମିଳୁନି। ଏହାକୁ ନେଇ କ’ଣ ମୁଁ ଦଳର ଶୃଙ୍ଖଳା ଭଙ୍ଗ କରିଛି ବୋଲି ମୋକିମ ପାଲଟା ପ୍ରଶ୍ନ କରିଛନ୍ତି।