ହୀରାକୁଦ ଜଳଭଣ୍ଡାର ପଟୁମାଟି ନେଇ ହେବ ଆକ୍ସନ ପ୍ଲାନ୍‌

ଓଡ଼ିଶା-ଛତିଶଗଡ଼ ବନ୍ଧ ପରିଚାଳନା ସମନ୍ବୟ ବୈଠକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ପଟୁମାଟି କାଢ଼ିବା ପାଇଁ ଆକ୍ସନ ପ୍ଲାନ ନିମନ୍ତେ ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ବନ୍ଧ ସୁରକ୍ଷା ଓ ଜଳ ପରିଚାଳନା ନେଇ ରାୟପୁରରେ ଅନୁଷ୍ଠିତ ଜାତୀୟ ବନ୍ଧ ସୁରକ୍ଷା କମିଟି (ଏନସିଡିଏସ)ର ଅନ୍ତଃରାଜ୍ୟ ଉପସମିତି ବୈଠକ ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଉଚ୍ଚପଦସ୍ଥ ଯନ୍ତ୍ରୀ ଓ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହୀରାକୁଦ ନଦୀବନ୍ଧର ଅତିରିକ୍ତ ସ୍ପିଲୱେ ନେଇ ଆଲୋଚନା ସହ ଜଳଭଣ୍ଡାରରେ ପଟୁ ଜମା ହେବା କାରଣରୁ ହୀରାକୁଦର ଜଳ ଧାରଣ କ୍ଷମତା ହ୍ରାସ ପାଉଥିବା ପ୍ରସଙ୍ଗ ଉଠିଥିବା‌ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ଦ୍ୱାରା ୨୦୦୭ ମସିହାରେ ଇଂଜିନିୟର ଜୟସେଲନଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ କମିଟିର ଆକଳନ ଅନୁସାରେ, ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ପ୍ରାୟ ଏକ ଚତୁର୍ଥାଂଶ ହ୍ରାସପାଇ ୩.୭୭ ନିୟୁତ ଏକର ଫୁଟକୁ ଖସି ଆସିଥିବା ଜଣା ପଡ଼ିଥିଲା। ସେହି ହାରରେ ପଟୁ ଜମା ହେଉଥିବା ହିସାବକୁ ନେଲେ ବର୍ତ୍ତମାନ ହୀରାକୁଦର ଜଳଧାରଣ କ୍ଷମତା ଚିନ୍ତ‌ାଜନକ ସ୍ତରରେ ପହଞ୍ଚି ସାରିଥିବା ଆଶଂକା କରାଯାଉଛି। ହୀରାକୁଦ ନଦୀବନ୍ଧର ସୁରକ୍ଷା ଦୃଷ୍ଟିରୁ ପଟୁମାଟି ଜମା ହ୍ରାସ କରିବା ନେଇ ଛତିଶଗଡ଼ ଏବଂ ସିଡବ୍ଲୁସି ପକ୍ଷରୁ କଣ ପଦକ୍ଷେପ ନିଆଯାଇ ପାରିବ ସେ ସଂପର୍କରେ ଓଡ଼ିଶା ଅଧିକାରୀମାନେ କଥାବାର୍ତ୍ତା କରିଥିଲେ। ବୈଠକରେ ଚଳିତ ବର୍ଷା ଋତୁର ସମସ୍ତ ତଥ୍ୟ ଆଦାନ ପ୍ରଦାନ ସଂପର୍କରେ ଆଲୋଚନା ହୋଇଥିଲା। ଉଭୟ ରାଜ୍ୟରେ ଥିବା ବିଭିନ୍ନ ଜଳଭଣ୍ଡାରର ଜଳସ୍ତର, ଜଳଭଣ୍ଡାରକୁ ପାଣି ପ୍ରବେଶ ଓ ନିଷ୍କାସନ ସଂପର୍କରେ କଥାବାର୍ତ୍ତା କରା ଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରତି ବର୍ଷ ବର୍ଷା ଋତୁ ଆରମ୍ଭରୁ ଉଭୟ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏହି ବୈଠକ ବସିଥାଏ। ଏହା ଗୋଟିଏ ବର୍ଷ ଓଡ଼ିଶାରେ ଓ ପର ବର୍ଷ ଛତିଶଗଡ଼ରେ ଅନୁଷ୍ଠିତ ହୁଏ। ଗତ ବର୍ଷ ବୈଠକ ବୁର୍ଲାରେ ହୋଇଥିଲା ବେଳେ ଚଳିତ ବର୍ଷ ଏହା ରାୟପୁରରେ ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡର ବର୍ଷା ତଥା ବଙ୍ଗୋ, ରବିଶଙ୍କର ସମେତ ମହାନଦୀ ଉପର ମୁଣ୍ଡ ଛତିଶଗଡ଼ରେ ଥିବା ସମସ୍ତ ଡ୍ୟାମ୍‌ ଓ ବ୍ୟାରେଜ୍‌ର ପରିଚାଳନା ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ପ୍ରଭାବିତ କରିଥାଏ। ତେଣୁ ଉପର ମୁଣ୍ଡର ବର୍ଷା ଓ ଉକ୍ତ ଜଳଭଣ୍ଡାରଗୁଡ଼ିକରେ ପାଣିର ପ୍ରବେଶ-ନିଷ୍କାସନ ସଂପର୍କରେ ଛତିଶଗଡ଼ କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଲେ, ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସେହି ଅନୁଯାୟୀ ହୀରାକୁଦ ବନ୍ଧର ପରିଚାଳନା, ଗେଟ୍‌ ଖୋଲିବା, ବନ୍ଦ କରିବା ଆଦି ନିଷ୍ପତ୍ତି ନେଇ ଥାଆନ୍ତି। ରାୟପୁରର ଶିବନାଥ ଭବନରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅକ୍ଷୟ ବାନାର୍ଜୀ, ହୀରାକୁଦ ମୁଖ୍ୟ ବନ୍ଧ ତଥା ଉପର ମହାନଦୀ ବେସିନ୍‌ର ମୁଖ୍ୟ ଯନ୍ତ୍ରୀ ସୁନୀଲ ନାଏକ, ବନ୍ଧ ସୁରକ୍ଷା ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଭୁବନେଶ୍ବରସ୍ଥିତ ବନ୍ଧ ସୁରକ୍ଷା ନିର୍ଦେଶକ ଇଂ ଅକ୍ଷୟ ଦାଶ, ଅଧୀକ୍ଷଣ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ନିରାକାର ବିଶି, ସିଡବ୍ସୁସି ନିର୍ଦେଶକ ଅମରୀଶ ପାଲ ସିଂ, ଛତିଶଗଡ଼ ପକ୍ଷରୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜୟନ୍ତ ପାୱାର, ଜଳସମ୍ପଦ ବିଭାଗ ମହାନଦୀ ପରିଯୋଜନାର ମୁଖ୍ୟ ଯନ୍ତ୍ରୀ କେ.ଏସ ଧ୍ରିୟୁ, ବଙ୍ଗୋ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ଏକେ ସନାଓ୍ବର, ମୁଖ୍ୟ ଯନ୍ତ୍ରୀ ମନିଟରିଂ ସେଲେଷ୍ଟିନା ଖାଖା, ବିଳାସପୁର ଜଳସେଚନ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ଆରଏସ୍‌ ନାଇଡୁ, ମହାନଦୀ-ଗୋଦାବରୀ ବେସିନ ରାୟପୁରର ମୁଖ୍ୟ ଯନ୍ତ୍ରୀ ଡିସି ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର