୧୫ ସୁଦ୍ଧା ମୁକ୍ତା ପାଇଁ ଆକ୍ସନ ପ୍ଲାନ୍‌

ପ୍ରତି ୱାର୍ଡରେ ମୁକ୍ତାକାଶ ବ୍ୟାୟାମଶାଳା, ଚାଇଳ୍ଡ ପ୍ଲେ ଷ୍ଟେସନ

ଭୁବନେଶ୍ବର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୁକ୍ତା ଅଧୀନରେ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବା ପାଇଁ ସମସ୍ତ ପୌରସଂସ୍ଥା ଓ ନଗର ନିଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ୧୧୫ ପୌରସଂସ୍ଥାର ସମସ୍ତ ୨୦୫୫ ୱାର୍ଡରେ ଏହି ମୁକ୍ତା ଅଧୀନରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ। ଡିସେମ୍ବର ୧୫ ସୁଦ୍ଧା ଏହି ଆକ୍ସନ ପ୍ଲାନ୍‌ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବେ। ଏଣୁ ଏହି ତାରିଖ ପୂର୍ବରୁ ସଂସ୍ଥାମାନେ ଆକ୍ସନ ପ୍ଲାନ୍‌ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନାନ୍‌ଙ୍କ ଅଧ୍ୟକ୍ଷତାରେ ମୁକ୍ତା ଅଧୀନରେ ଆଜି ବିଭିନ୍ନ ପ୍ରକଳ୍ପର ସମୀକ୍ଷା‌ କରାଯିବା ବେଳେ ଏହା ଉପରେ ଗୁରୂତ୍ବ ଦେବାକୁ ସମସ୍ତ କମିସନର ଓ ପୌରାଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ହୋଇଛି।

ପ୍ରକଳ୍ପଗୁଡ଼ିକାର ତାଲିକା ପ୍ରସ୍ତୁତ କଲା ବେଳେ ସାଧାରଣ ଲୋକଙ୍କର ମୌଳିକ ଆବଶ୍ୟକତା ଉପରେ ନଜର ରଖିବାକୁ ହେବ। ସମ୍ପୃକ୍ତ ଜମି ଉପରେ ଆବଶ୍ୟକ ମଞ୍ଜୁରୀ ନେବାକୁ ହେବ। କୌଣସି ୱାର୍ଡ ଯେଭଳି ବାଦ୍‌ ପଡ଼ିବେ ନାହିଁ ତାହାକୁ ଗୁରୁତ୍ବ ଦିଆଯିବ। ପ୍ରତି ୱାର୍ଡରେ ମୁକ୍ତାକାଶ ବ୍ୟାୟାମଶାଳା ଓ ଚାଇଲ୍ଡ ପ୍ଲେ ଷ୍ଟେସନ୍ ପ୍ରତିଷ୍ଠା ହେବ। ୟୁଏଲ୍‌ବିସ୍ତରର କମିଟିଗୁଡିକ ଉପଯୁକ୍ତ ପ୍ରକଳ୍ପ ବାଛିବା ଓ କାମ କରିବା ପାଇଁ ମିସନ ଶକ୍ତି ଗୋଷ୍ଠୀ ବା ଏସ୍‌ଡିଏ ଚିହ୍ନଟ କରିବେ। ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି‌ବେ।

ସଂଶୋଧିତ ମୁକ୍ତା ଗାଇଡ୍‌ଲାଇନ୍‌ ମୁତାବକ ସମସ୍ତ କାମ ହେବ। ୱାର୍କ ଅର୍ଡର ଆଧାରରେ ୫ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପାଇବା ପାଇଁ ବ୍ୟାଙ୍କ ଲିଙ୍କେଜ୍‌ର ବ୍ୟବସ୍ଥା କରାଯିବ। ଗତ ବର୍ଷ ‘ଅର୍ବାନ୍‌ ଇନଫ୍ରା’ ଅଧୀନରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସମସ୍ତ ପ୍ରକଳ୍ପ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଶେଷ ହେବାକୁ କୁହାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ପୌରପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ସ୍ବତନ୍ତ୍ର ସଚିବଙ୍କ ଓଏସ୍‌ଡି ସଞ୍ଜୟ ପରମାଣିକ, ଅତିରିକ୍ତ ସଚିବ ପ୍ରଭାତ ମହାପାତ୍ର, ସୁଡା ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଉପସ୍ଥିତ ଥିବା ବେଳେ ସମସ୍ତ କମିସନର, କାର୍ଯ୍ୟନିର୍ବାହୀ ଅଧିକାରୀ, ଇଞ୍ଜିନିୟରମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର