୬ ପ୍ରଦୂଷିତ ସହର ପାଇଁ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍‌ : ରାସ୍ତାରୁ ହଟିବ ଭଙ୍ଗା ଦଦରା ଟ୍ରକ୍‌ ଓ ବସ୍‌, ହୋଟେଲରେ ବନ୍ଦ ହେବ କୋଇଲା ବ୍ୟବହାର

ଭୁବନେଶ୍ବର : ଓଡ଼ିଶାର ୬ଟି ସହରରେ ପ୍ରଦୂଷଣର ମାତ୍ରା ଶୀର୍ଷରେ ପହଞ୍ଚିଛି। ଭୁବନେଶ୍ବର ସମେତ ତାଳଚେର, ଅନୁଗୁଳ, ବାଲେଶ୍ବର, କଟକ, ରାଉରକେଲା ସହର ଅଧିକ ପ୍ରଦୂଷିତ ହୋଇଥିବାରୁ ନ୍ୟାସନାଲ ଗ୍ରିନ୍‌ ଟ୍ରିବୁନାଲ(ଏନ୍‌ଜିଟି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ଦିଗରେ ପଦକ୍ଷେପ ନେବା ସହ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଏବେ ରାଜ୍ୟ ସରକାରଙ୍କୁ ପକ୍ଷରୁ ପ୍ରଦୂଷଣ ମାତ୍ରା ହ୍ରାସ ଦିଗରେ କିଭଳି ପଦକ୍ଷେପ ନିଆଯାଇପାରିବ ସେନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ସହରରେ ଟ୍ରାଫିକ୍‌ ସମସ୍ୟା ନିୟନ୍ତ୍ରଣ, ଦିନ ସମୟରେ ସହର ଭିତରେ ଟ୍ରକ୍‌ ଚଳାଚଳ ଉପରେ କଟକଣା, ପୁରୁଣା ବସ୍‌ ଓ ଟ୍ରକ୍‌ ହଟାଇବା, ପ୍ରତି ସହର ବାହାରେ ଟ୍ରକ୍‌ ପାର୍କିଂ ବ୍ୟବସ୍ଥା, ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ଏଥିରେ ସରକାରଙ୍କ କେଉଁ ବିଭାଗର କାର୍ଯ୍ୟ କ’ଣ ରହିବ ତାହାର ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

ବଡ଼ ପଦକ୍ଷେପ ସ୍ବରୂପ ଉକ୍ତ ୬ଟି ସହରରେ ଚାଲୁଥିବା ଭଙ୍ଗା ଦଦରା ବସ୍‌ ଓ ଟ୍ରକ୍‌ଗୁଡ଼ିକୁ ହଟାଇବା ଦିଗରେ ପଦକ୍ଷେପ ନେବାକୁ ସ୍ଥିର ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏଭଳି ବସ୍‌ ଓ ଟ୍ରକ୍‌ଗୁଡ଼ିକୁ ଚିହ୍ନଟ କରିବା, ସହରରେ ଟ୍ରାଫିକ୍‌ ପରିଚାଳନା ପାଇଁ ଯୋଜନା ପ୍ରସ୍ତୁତ କରିବା, ଟ୍ରାଫିକ୍‌ ଭିଡ଼ ଏଡ଼ାଇବା ପାଇଁ ରାସ୍ତା ପରିବର୍ତନ, ଲେନ୍‌ ଡ୍ରାଇଭିଂ କରୁ ନଥିବା ଗାଡ଼ିଗୁଡ଼ିକଠାରୁ ଅଧିକ ଜରିମାନା ଆଦାୟ, ଟ୍ରାଫିକ୍‌ ସିଗନାଲ୍‌ ଲଗାଇବା, ଟ୍ରାଫିକ୍‌ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକଙ୍କୁ କ୍ୟାମେରାରେ ଟ୍ରାପ୍‌ କରି ଚିହ୍ନଟ, ଓଭରଲୋଡିଂ ଗାଡ଼ିଗୁଡ଼ିକୁ ଯାଞ୍ଚ କରିବା ଆଦି ବିଷୟରେ ପୁଲିସ ବିଭାଗ ଗୁରୁତ୍ବ ଦେବ। ଭିଡ଼ ସମୟରେ ସହର ମଧ୍ୟକୁ ଟ୍ରକ୍‌ ପ୍ରବେଶ ଉପରେ କଟକଣା ଲାଗୁ ହେବ। ସହର ନିକଟ ଜାତୀୟ ଓ ରାଜ୍ୟ ରାଜପଥ ନିକଟରେ ଟ୍ରକ୍‌ ପାର୍କିଂ ସ୍ଥାନ ଚିହ୍ନଟ କରାଯିବ। ସହରରେ ଭିଡ଼ ଥିବା ସମୟରେ ଟ୍ରକଗୁଡ଼ିକ ସେଠାରେ ପାର୍କିଂ କରିବେ। ଏଦିଗରେ ପୂର୍ତ୍ତ ବିଭାଗ ପଦକ୍ଷେପ ନେବକୁ ନିଷ୍ପତ୍ତି ହୋଇଛି।

ଏହି ସହରଗୁଡ଼ିକରେ ପ୍ରଦୂଷଣ ରୋକିବା ଦିଗରେ ଜଙ୍ଗଲ ଓ ପରିବେଶ ବିଭାଗର ବି ପ୍ରମୁଖ ଭୂମିକା ରହିଛି। ସହରରେ ଥିବା ପାର୍କ, ନିକଟରେ ଥିବା ଜଙ୍ଗଲ, ରାସ୍ତାପାର୍ଶ୍ବ ବନୀକରଣ ଆଦି ଉପରେ ଗୁରୁତ୍ବ ଦିଆଯିବ। ସହର ପାଇଁ ମାଷ୍ଟର ପ୍ଲାନ୍‌, ଭିତ୍ତିଭୂମିର ବିକାଶ, ପ୍ରକଳ୍ପ ପ୍ରତିଷ୍ଠା, ଖାଲି ସ୍ଥାନରେ ବୃକ୍ଷରୋପଣ, ପାର୍କ, ସ୍କୁଲ, ସୋସାଇଟି, କମ୍ୟୁନିଟିକୁ ବୃକ୍ଷରୋପଣରେ ସାମିଲ କରିବାକୁ କୁହାଯାଇଛି। ସହରରେ ଥିବା ହୋଟେଲ, ରେଷ୍ଟୁରାଣ୍ଟଗୁଡ଼ିକରେ କୋଇଲାର ବ୍ୟବହାର ବନ୍ଦ କରିବା ଉପରେ ବି ଗୁରୁତ୍ବ ଦେବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର