୬ ସହରକୁ ବାୟୁ ପ୍ରଦୂଷଣ ବିପଦ, ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍‌

ପ୍ରଦୂଷଣରେ ଦିଲ୍ଲୀ ସହ ଓଡ଼ିଶାର ସ୍ଥିତି ସମାନ, ଲକ୍ଷେ ଲୋକରେ ମରୁଛନ୍ତି ୬୫

ଭୁବନେଶ୍ବର: ରାଜ୍ୟର ୬ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ରହିଛି। ଏହି ତାଲିକାରେ ରାଜଧାନୀ ସମେତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ବର ଓ ରାଉରକେଲା ରହିଛି। ତାଲିକାର ଶୀର୍ଷରେ ଅନୁଗୁଳ ରହିଥିବା ବ‌େଳେ ଭୁବନେଶ୍ବର ୩ ନମ୍ବର ସ୍ଥାନରେ ରହିଛି। ଏହାକୁ ମୁକାବିଲା କରିବା ପାଇଁ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି।

ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍‌ଇ) ରିପୋର୍ଟ ମୁତାବକ, ରାଜ୍ୟରେ ଲକ୍ଷେ ଲୋକରେ ୬୫ ଜଣ ବାୟୁ ପ୍ରଦୂଷଣରେ ମୃତ୍ୟୁ ବରଣ କରୁଥିବା ବେଳେ ଏହି ପରିସଂଖ୍ୟାନ ଦିଲ୍ଲୀ ସହ ସମାନ ରହିଛି। ୨୦୧୮ ମସିହାରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟରେ ୩୧ ହଜାର ୧୧୮ ରହିଛି। ଏହା କ୍ରମାଗତ ଭାବରେ ବଢ଼ି ବଢ଼ି ଚାଲିଛି। ଘରୋଇ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ଅନ୍ୟ ପ୍ରଦୂଷିତ ବାୟୁ ଜନିତ ମୃତ୍ୟୁ ସଂଖ୍ୟା ଠାରୁ ଅଧିକ ରହିଛି। ବାୟୁ ପ୍ରଦୂଷଣ ଜନିତ ହେଉଥିବା ହୃଦ୍‌ରୋଗ ଓ ନିଃଶ୍ବାସ ପ୍ରଶ୍ବାସ ନଳୀ ସଂକ୍ରମଣ ଆୟୂଷ କମାଇ ଦେଉଛି। ବିଭିନ୍ନ ଅକାଳ ମୃତ୍ୟୁ ପଛରେ ରହିଥିବା କାରଣ ତାଲିକାରେ ଓଡ଼ିଶାରେ ବାୟୁ ପ୍ରଦୂଷଣ ଦ୍ବିତୀୟ ନମ୍ବରରେ ରହିଛି। ଏଭଳି ଏକ ଉଦ୍‌ବେଗଜନକ ସର୍ବେ‌କ୍ଷଣ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ କମାଇବା ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସହ ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍‌ଇ) ଏକାଠି ହୋଇ ଏହି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଜାତୀୟ ବାୟୁ ଗୁଣବତ୍ତା ମାନଦଣ୍ଡକୁ ଭରଣା କରିବା ପାଇଁ ପ୍ରଦୂଷଣ ମାତ୍ରା ଅନୁଗୁଳରେ ୩୯ ପ୍ରତିଶତ, ବାଲେଶ୍ବରରେ ୨୮ ପ୍ରତିଶତ, ଭୁବନେଶ୍ବରରେ ୩୬ ପ୍ରତିଶତ, କଟକରେ ୨୭ ପ୍ରତିଶତ, ରାଉରକେଲାରେ ୪୧ ପ୍ରତିଶତ ଓ ତାଳଚେରରେ ୪୫ ପ୍ରତିଶତ କମାଇବା ଜରୁରୀ ହୋଇପଡ଼ିଛି।

ହୋଟେଲ କ୍ରାଉନ୍‌ ପରିସରରେ ଆଜି ଆୟୋଜିତ ଏକ କର୍ମଶାଳାରେ ଏହି ଆକ୍ସନ ପ୍ଲାନ୍‌ ଉପରେ ତର୍ଜମା କରାଯାଇଛି। କର୍ମଶାଳାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦ୍‌ଘାଟନ କରି କହିଛନ୍ତି, ବାୟୁ ପ୍ରଦୂଷଣର ଭୟାବହତାକୁ ନେଇ ସମସ୍ତେ ଅବଗତ ଅଛନ୍ତି। ଏହାକୁ ନେଇ ପୂର୍ବରୁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଏହି ପ୍ଲାନ୍‌ ଭିତରେ ଶିଳ୍ପମାନଙ୍କର ଦୂଷିତ ବାୟୁ ନିର୍ଗମନ ବ୍ୟବସ୍ଥାରେ ଉନ୍ନତି, ଅଧିକ ପ୍ରଦୂଷଣ କରୁଥିବା ଶିଳ୍ପର ସ୍ଥାନାନ୍ତରଣ, ସମ୍ପ୍ରସାରିତ ସାଧାରଣ ପରିବହନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପ୍ରଭୃତି ରହିଛି। ତେବେ ଏବେ ପ୍ରବର୍ତ୍ତନ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି। ଯିଏ ପ୍ରଦୂଷଣ କରୁଛି ସେ ଏଥିପାଇଁ ମୂଲ୍ୟ ଦେବାକୁ ପଡ଼ିବ, ଯିଏ ଲଂଘନ କରୁଛି ସିଏ ଦଣ୍ଡିତ ହେବା ଜରୁରୀ ହୋଇଛି ବୋଲି କହିଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ଦୁଇମାସ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସହ ବିଜ୍ଞାନ ଓ ପରିବେଶ କେନ୍ଦ୍ର (ସିଏସ୍‌ଇ) ଏହି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଏହି ପ୍ଲାନ୍‌କୁ ଆଲୋଚନା କରିବା ପାଇଁ ଏହା ପ୍ରଥମ କର୍ମଶାଳା। ଏହାର ପ୍ରୟୋଗ ପାଇଁ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଏହି ଆକ୍ସନ ପ୍ଲାନ୍‌ ପ୍ରଦାନ କରାଯିବ ବୋଲି କହିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସଦସ୍ୟ ଦେବୀଦତ୍ତ ବିଶ୍ବାଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଅତୁଲ ବାଗାଇ, ଗୃହ ଓ ନଗର ଉନ୍ନୟନ ସଚିବ ଜି. ମାଥିଭାତନାନ୍‌, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସ୍ବତନ୍ତ୍ର ସଚିବ ଡ. କେ ମୁର୍ଗେସାନ୍‌, ସିଏସ୍‌ଇ ନିର୍ବାହୀ ନିର୍ଦ୍ଦେଶିକା ଅନୁମିତା ରାୟ ଚୌଧୁରୀ, ମୁଖ୍ୟ ପରିବେଶ ଇଞ୍ଜିନିୟର ଏନ୍‌.ଆର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ୬ଟି ଅଧିବେଶନରେ ହୋଇଥିବା ଏହି କର୍ମଶାଳାରେ ଏନ୍‌ଜିଓଙ୍କ ସହ ଶିଳ୍ପପତି, ଖଣି ନିଗମ ଅଧିକାରୀ ଓ ପରିବେଶ ବିଶେଷଜ୍ଞ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର