ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କଲା ପୂର୍ତ୍ତ ବିଭାଗ

ଭୁବନେଶ୍ବର : ଚଳିତବର୍ଷ ଯଦି ଅଧିକ ବର୍ଷା, ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି କିଛି ବି ପ୍ରାକୃତିକ ବିପର୍ଯ୍ୟୟ ହୁଏ ତେବେ ଏହାର ମୁକାବିଲା କରିବା ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି। ଏଥିରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ଡିଭିଜନ୍ ପର୍ଯ୍ୟନ୍ତ ସବୁଠି ଜରୁରୀକାଳୀନ ସେଲ୍‌ ଖୋଲା ଯାଇଛି। ବନ୍ୟା, ବାତ୍ୟା କି ପ୍ରବଳ ବର୍ଷା ହେଲେ ଯେପରି ତୁରନ୍ତ ଫୋନ୍‌ରେ, ଇ-ମେଲ୍‌ରେ ଏବଂ ହ୍ବାଟ୍ସଆପ୍ ଗ୍ରୁପ୍‌ରେ ତଥ୍ୟ ସଂଗ୍ରହ କରିହେବ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ସେନେଇ ଗାଇଡଲାଇନ୍ ପ୍ରସ୍ତୁତ ହୋଇଛି।

ଜରୁରୀକାଳୀନ ପରିସ୍ଥିତିରେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ଆବଶ୍ୟକୀୟ ମେସିନ୍ ଏବଂ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଡିଭିଜନ୍ ସ୍ତରରେ ଏକ୍ସାଭେଟର, ଜଳନିଷ୍କାସନ ପମ୍ପ, ଜେନେରେଟର, କରତ, ସିଡ଼ି, ରଶି, ଫ୍ଲଡ ଲାଇଟ୍, ସୋଭେଲ୍‌ସ, ହାମର୍‌ ଏବଂ ମାନବସମ୍ବଳ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିଭିନ୍ନ ସମ୍ବେଦନଶୀଳସ୍ଥାନଗୁଡ଼ିକର ଲାଟିଚ୍ୟୁଡ୍ ଏବଂ ଲଙ୍ଗିଚୁଡ୍‌ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି। ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନେ କୁଇକ୍ ରେସ୍ପନ୍ସ ଟିମ୍ (କ୍ୟୁଆର୍‌ଟି) ପ୍ରସ୍ତୁତ କରି ଜେସିବି, ଟ୍ରାକ୍ଟର, ଗଛ କଟା ମେସିନ୍, ଶ୍ରମିକ, କିରୋସିନ୍, ଲଣ୍ଠନ, ଦିଆସିଲି, ବାଇସାଇକେଲ୍, ରେନ୍‌କୋର୍ଟ, ଶୁଖିଲା ଖାଦ୍ୟ ଆଦି ତିନିଦିନ ପାଇଁ ନିକଟସ୍ଥ ଆଇବି, ସ୍କୁଲ ବା ସରକାରୀ କାର୍ଯ୍ୟାଳୟରେ ମହଜୁଦ୍ ରଖିବାକୁ କୁହାଯାଇଛି।

ବାତ୍ୟା କି ଝଡ଼ ପବନ ହେଲେ କ୍ୟୁଆର୍‌ଟି ରାସ୍ତା ସଫା କରିବା ପାଇଁ ଜେସିବି, ଗଛ କଟା ମେସିନ୍ ଆଦି ନିୟୋଜିତ କରିବାକୁ କୁହାଯାଇଛି। ରାସ୍ତା ମରାମତି ପାଇଁ ବାଲି ବସ୍ତା, ବାଉଁଶ, ମୋରମ୍, ବୋଲଡର୍ ଆଦି ପକାଇବେ, କୌଣସି ସ୍ଥାନରେ ବ୍ରିଜ୍ ଭାଙ୍ଗି ଗଲେ ବା ରାସ୍ତା ଧୋଇଗଲେ ତୁରନ୍ତ ହ୍ୟୁମ୍ ପାଇପ୍ ପକାଇବେ, ଭୂସ୍ଖଳନ ହେଲେ ରାସ୍ତା ନିର୍ମାଣ କରିବେ। କୌଣସି ବିପର୍ଯ୍ୟୟ ହେଲେ ଯାତାୟତ ଏବଂ ରିଲିଫ୍ କାର୍ଯ୍ୟ ପାଇଁ ୩ମିଟର ଓସାରର ରାସ୍ତା ସଫା କରିବେ, ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ଜିଲ୍ଲାପାଳ, ଓଡ୍ରାଫ୍, ଏନ୍‌ଡିଆରଏଫ୍‌ ଏବଂ ଅନ୍ୟ ଇଞ୍ଜିନିୟରିଂ ସଂସ୍ଥା ସହଯୋଗରେ କରିବେ। ଅଧିକ କ୍ଷୟକ୍ଷତି ହୋଇଥିଲେ ପୁନରୁଦ୍ଧାର କାର୍ଯ୍ୟର ଜିଓ ଟ୍ୟାଗିଂ ଫଟୋ ରଖିବେ। ଏହାପରେ ଏସ୍‌ଆର୍‌ସିଙ୍କ ନିୟମ ଅନୁଯାୟୀ କ୍ଷୟକ୍ଷତି‌ର ରିପୋର୍ଟ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର