ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ବିଭାଗୀୟ ତଦନ୍ତ ହେବା ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରୀକ୍ଷାର୍ଥୀମାନେ ନିରାଶ ହୁଅନ୍ତୁ ନାହିଁ। ପୁଣି ଥରେ ଓଟିଇଟି ପରୀକ୍ଷା ହେବ ବୋଲି ପାତ୍ର କହିଛନ୍ତି। ପରୀକ୍ଷାର୍ଥୀମାନେ ମନୋବଳଙ୍କୁ କମ ନକରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Advertisment

ଆଜି ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଘଟଣାର ତଦନ୍ତ ଲାଗି ମାଧ୍ୟମିକ ଶିକ୍ଷା ବୋର୍ଡ କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖିଥିବା ଜଣାପଡ଼ିଛି। ପ୍ରଥମ ସିଟିଂ ପ୍ରଶ୍ନପତ୍ର ଲିକ୍‌ ପରେ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା। ମାଧ୍ୟମିକ ଶିକ୍ଷା ବୋର୍ଡର ସଂପାଦକ ରାମାଶିଷ ହାଜରାଙ୍କ ସୂଚନା ଅନୁସାରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି।

ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସରକାରୀ ବାସଭବନ ଆଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭିଡ ଓ ହିଂସାକୁ ଦୃଷ୍ଟିରେ ପୁଲିସ ହସ୍ତକ୍ଷେପ କରିବା ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ ଏବିଭିପିର ୨୦ ଜଣ କର୍ମୀଙ୍କୁ ଅଟକ ରଖିଛି।