କ୍ବାଟର୍ସରୁ କାଠ ପଟା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ, କାଶୀପୁର ଥାନାରୁ ଏସଆଇଙ୍କ ବଦଳି

କାଶୀପୁର: କାଶୀପୁର ଥାନାରେ କାର୍ଯ୍ୟରତ ପୁଲିସ୍ ଏସଆଇଙ୍କ କ୍ବାଟର୍ସରୁ କାଠ ପଟା ଜବତ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ ଏସଆଇ ସ୍ମୃତିପ୍ରଜ୍ଞା ବେହେରାଙ୍କୁ କାଶୀପୁର ଥାନାରୁ ହେଡ୍ କ୍ବାଟର୍ସକୁ ବଦଳି କରିଛନ୍ତି। ତୁରନ୍ତ ହେଡକ୍ବାଟର୍ସରେ ଯୋଗଦେଇ ରିପୋର୍ଟ କରିବାକୁ ହୋଇଛି ନିର୍ଦେଶ।

ଗୁରୁବାର ବିଳମ୍ବିତ ରାତିରେ ଏକ ମ୍ୟାକ୍ସ ପିକଅପ୍ ଭ୍ୟାନରେ କାଠ ଅଣାଯାଇ ପୁଲିସ୍ ଅଧିକାରୀଙ୍କ କ୍ବାଟର୍ସରେ ଅନଲୋଡ୍ କରାଯାଇଥିଲା। ଅନଲୋଡ୍ ସମୟର ଫଟୋ ଓ ଭିଡ଼ିଓ କିଛି ଲୋକ ଉଠାଇବା ସହ ଏ ସଂପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଭୋର ୪ଟାରେ ପୁଲିସ୍ ଅଧିକାରୀଙ୍କ କ୍ବାଟର୍ସରେ ପହଞ୍ଚି ଯାଞ୍ଚ କରିବା ସହ କାଠ ଜବତ କରିଥିଲା। କିନ୍ତୁ ଯାଞ୍ଚ ସମୟରେ ୬ଟି ଆମ୍ବ ପଟା ଜବତ ହୋଇଥିବା କାଶୀପୁର ରେଞ୍ଜର ସନ୍ଦୀପ ପୃଷ୍ଟି ସୂଚନା ଦେଇଥିଲେ। ତେବେ ଏହି କାଠ କେଉଁଠୁ ଆସିଲା, କିଏ ଆଣିଥିଲା ସେ ସଂପର୍କରେ ବନ ବିଭାଗ ଆଜି ପର୍ଯ୍ୟନ୍ତ ସୂଚନା ଦେଉନଥିବାରୁ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଘଟଣା ଲୋକ ଲୋଚନକୁ ଆସିବା ପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସଆଇ ସ୍ମୃତିପ୍ରଜ୍ଞା ବେହେରାକୁ ବଦଳି କରାଯିବା ସହ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଏସପି କହିଛନ୍ତି।

ସମ୍ବନ୍ଧିତ ଖବର