ଅଧିକ ସାର ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି
ଭୁବନେଶ୍ୱର : ଚଳିତ ଖରିଫ ଚାଷ ନିମନ୍ତେ ବିଭିନ୍ନ ସ୍ଥାନରେ ଚାଷୀମାନେ ଠିକ୍ ସମୟରେ ସାର ପାଉ ନ ଥିବାର ଅଭିଯୋଗ ହେଉଛି। ପୁଣି କିଛି ଜାଗାରେ ଚଢ଼ା ଦରରେ ବି ସାର ବିକ୍ରି ହେଉଛି। ବିଭିନ୍ନ ସ୍ଥାନରୁ ଏପରି ଅଭିଯୋଗ ଆସିଲା ପରେ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସାର ଯୋଗାଣର ସମୀକ୍ଷା କରିଥିଲେ। ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ, ସେଥି ପାଇଁ ପ୍ରତ୍ୟେକ ସ୍ତରରେ ଯାଞ୍ଚ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଅଧିକ ଦରରେ ସାର ବିକ୍ରୟର ଅଭିଯୋଗ ଆସିଲେ, ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାଇ ଦେଇଥିଲେ। ଏହା ସହ ରାଜ୍ୟକୁ ଅଧିକ ପରିମାଣରେ ସାର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ରାଜ୍ୟରେ ଖରିଫ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ କୋଭିଡ୍-୧୯ ପରି ଏକ ଜଟିଳ ସ୍ଥିତିରେ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥି ପ୍ରତି କ୍ଷେତ୍ର ଅଧିକାରୀମାନେ ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ଚାଷ କାର୍ଯ୍ୟ ନିମନ୍ତେ ସାରର ଯେପରି କୌଣସି ଅଭାବ ନ ରୁହେ, ସେଥି ପ୍ରତି ସମବାୟ ବିଭାଗ ସହିତ ସମନ୍ବୟ ରକ୍ଷା କରି ସାରର ସୁଷମ ବଣ୍ଟନ କରିବା ଆବଶ୍ୟକ। ଏହା ସହ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ଗୁଣାତ୍ମକ ମାନ ଓ ପରିମାଣରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ଶ୍ରୀ ସାହୁ କହିଥିଲେ। ଅଧିକାରୀମାନେ ସଦର ମହକୁମାରେ ଉପସ୍ଥିତ ରହି ଚାଷ କାର୍ଯ୍ୟକୁ ଆଗେଇ ନେବା ପାଇଁ କୁହାଯାଇଥିଲା।
ବିଭାଗ ପକ୍ଷରୁ ବୃଷ୍ଟିପାତର ପରିମାଣ ସମ୍ପର୍କରେ ନିୟମିତ ତର୍ଜମା କରାଯାଉଛି। ଏହା ସହ ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ପକ୍ଷରୁ ‘ମୋ ପୋଖରୀ’ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଭିଡ୍-୧୯ ସ୍ଥିତିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନରେ ବୃକ୍ଷେରାପଣ ଓ ‘ମୋ ପୋଖରୀ’ ଯୋଜନା କାର୍ଯ୍ୟକାରୀ କରି ଅଧିକ ଶ୍ରମ ଦିବସ ଓ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବୃକ୍ଷରୋପଣ କରାଯାଉଥିବା ସ୍ଥାନଗୁଡ଼ିକର ଫଟୋଚିତ୍ର ଉତ୍ତୋଳନ ସହିତ ଭିଡିଓଗ୍ରାଫ୍ କରିବା ପାଇଁ କୁହାଯାଇଥିଲା। କୋଭିଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବତନ୍ତ୍ର ପ୍ୟାକେଜ୍ ନିମନ୍ତେ ହିତାଧିକାରୀ ଚୟନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ‘ଆତ୍ମା’ ଆଦି ବିଷୟରେ ଆଲୋଚନା ହୋଇଥିଲା।
ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ନୋଡାଲ୍ ଅଧିକାରୀ ଯୋଗ ଦେଇଥିଲେ।