ଭୁବନେଶ୍ବର/ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ରତ୍ନ ଅଳଙ୍କାରଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସ୍ଥାନାନ୍ତରିତ ହୋଇସାରିଛି। ହେଲେ କେବେ ଏହାର ମରାମତି ହେବ ସେନେଇ ଚର୍ଚ୍ଚା ଜାରିରହିଛି। ଏହାକୁ ନଜରରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଯାଉଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ହେବାକୁ ଥିବା ଏହି ବୈଠକରେ ରତ୍ନଭଣ୍ଡାରର କିପରି ମରାମତି ହେବ, ମରାମତି ପରେ କିପରି ଗଣତିମଣତି ହେବେ, ଏଥିରେ କେଉଁ ସଂସ୍ଥାର ପ୍ରତିନିଧି ସାମିଲ୍ ହେବେ ସେନେଇ ନିଷ୍ପତ୍ତି ନିଆଯାଇପାରେ।
ଆଜି ରତ୍ନଭଣ୍ଡାର ତଦାରଖ କମିଟିର ବୈଠକ
ଖୁବ୍ ଶୀଘ୍ର ଏଏସ୍ଆଇ ମରାମତି କାମ ଆରମ୍ଭ କରିବ
ଏପଟେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ କାର୍ଯ୍ୟ ସରିଛି। ଖୁବ୍ଶୀଘ୍ର ଏଏସ୍ଆଇ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବ। ଏହି ସମୟରେ ମହାପ୍ରଭୁଙ୍କ ରୀତିନୀତିରେ ଯେଭଳି କୌଣସି ଅସୁବିଧା ନହୁଏ ତାକୁ ପ୍ରାଥମିକତା ଦିଆଯାଉଛି। ରତ୍ନଭଣ୍ଡାର ମରାମତି ପାଇଁ ପ୍ରସ୍ତୁତ ହୋଇଥିବା ଏସ୍ଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି। ଏନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି। ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏହା ଉପରେ ସବିଶେଷ ଆଲୋଚନା ହେବ। ପ୍ରଥମେ ବାହାର ରତ୍ନଭଣ୍ଡାର ମରାମତି କରାଯିବ। ଭିତର ରତ୍ନଭଣ୍ଡାର ମରାମତି ପାଇଁ ଲେଜର ସ୍କାନିଂ ହେବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ। ଏହା ସହ ଆଇନ ମନ୍ତ୍ରୀ କହିଛନ୍ତି ଯେ ରତ୍ନଭଣ୍ଡାର ଚାବି ହଜିବାର ତଦନ୍ତ ରିପୋର୍ଟ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବଶୀଘ୍ର ସରକାର ପଦକ୍ଷେପ ନେବେ। ଚାବି ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଯେଉଁମାନେ ଷଡ଼୍ଯନ୍ତ୍ର କରିଥିଲେ ତା’ର ଖୁଲାସା ହେବ। ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ହେବ।