ଭୁବନେଶ୍ୱର: ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକର ଭିତ୍ତିଭୂମିର ବିକାଶ ସହିତ ରୋଗୀ ସେବାରେ ଉନ୍ନତି ପାଇଁ ଗୁରୁତ୍ୱାରୋପ କରାଯାଇଛି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ, ବୁର୍ଲାର ଭିମସାର ଓ କ୍ୟାପିଟାଲ ହସ୍ପିଟାଲରେ ରୋଗୀସେବା ଓ ଭିତ୍ତିଭୂମି ନେଇ ସମୀକ୍ଷା କରିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଏଥିପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଜଣାଇବାକୁ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କ ନିର୍ଦେଶ ଦେଇଛନ୍ତି। ଏସବୁ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ସମସ୍ୟା, କ’ଣ ସବୁ ଆବଶ୍ୟକତା ରହିଛି, ଖାଲିଥିବା ପଦବି ପୂରଣ, ଆବଶ୍ୟକସ୍ଥଳେ ନୂତନ ପଦବି ସୃଷ୍ଟି କରିବା, ଭିତ୍ତିଭୂମିର ବିକାଶ, ଆବଶ୍ୟକ ଅର୍ଥ ଓ ଆର୍ଥିକ ପରିଚାଳନା ନେଇ ବିଶେଷ ଭାବେ ଆଲୋଚନା ହୋଇଥିଲା। ସମସ୍ତ ଅସ୍ତ୍ରୋପଚାର ଗୃହ, ଆଇସିୟୁଗୁଡ଼ିକୁ ମଡ୍ୟୁଲାର କରିବା, ନିର୍ମାଣ କରାଯାଇଥିବା ନୂତନ ଭିତ୍ତିଭୂମିଗୁଡ଼ିକର ବ୍ୟବହାର ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ବିଭାଗରେ ଉନ୍ନତ ରୋଗୀ ସେବା ପାଇଁ ଯନ୍ତ୍ରପାତିଠାରୁ ଆରମ୍ଭ କରି ଯାହାସବୁ ଆବଶ୍ୟକ ରହିଛି ତାହାର ବ୍ୟବସ୍ଥା କରାଯିବା ନେଇ ବିଧିବଦ୍ଧ ପ୍ରସ୍ତାବ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତାବ ଦେବାକୁ କୁହାଯାଇଛି। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର, ଶରତ ଚନ୍ଦ୍ର ମିଶ୍ର, ଅର୍ଥ ପରାମର୍ଶଦାତା ନରେନ୍ଦ୍ର କୁମାର ସ୍ୱାଇଁ, ଭିମସାର ଓ ଏମ୍କେସିଜିର ଅଧ୍ୟକ୍ଷ ଓ ଅଧୀକ୍ଷକ ଓ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ଷମ ହୋଇପାରୁନି ଏସ୍ସିବିର ୧୮ ଆଇସିୟୁ ବେଡ୍
ଉଦ୍ଘାଟନକୁ ବର୍ଷେ
କଟକ: ଏସ୍ସିବି ସେଣ୍ଟ୍ରାଲ ଆଇସିୟୁକୁ ଅପ୍୍ ଗ୍ରେଡ କରି ୧୦ ବଦଳରେ ୩୦ଟି ବେଡ୍ ବ୍ୟବସ୍ଥା କରାଯାଇଛି। ଏହାକୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିବାକୁ ମଧ୍ୟ ବର୍ଷେ ବିତିଯାଇଛି। କିନ୍ତୁ ମନିଟର ଲାଗି ପାରି ନଥିବାରୁ ଏହି ନୂଆ ବେଡ୍ ଗୁଡିକ କାର୍ଯ୍ୟକ୍ଷମ ନ ହୋଇ ପଡ଼ି ରହିଛି। ଏସ୍ସିବି କର୍ତ୍ତୃପକ୍ଷ ଏ ସଂସପର୍କରେ ବାରମ୍ବାର ଚିଠି ଲେଖୁଥିଲେ ସୁଦ୍ଧା ଏହାର ସମାଧାନ ହୋଇପାରୁନି।
କଟକ ବଡ଼ ମେଡିକାଲରେ ରୋଗୀ ସଂଖ୍ୟା ବଢି ଚାଲିଛି। ଏସ୍ସିବିର ବିଭିନ୍ନ ବିଭାଗରେ ପାଖାପାଖି ଶହେ ଆଇସିୟୁ ଥିଲେ ମଧ୍ୟ ଏହା ରୋଗୀଙ୍କ ଆବଶ୍ୟକତାକୁ ନିଅଣ୍ଟ ହେଉଛି। ଯାହା ଫଳରେ ଏସ୍ସିବିକୁ ଆସୁଥିବା ଅନେକ ଗୁରୁତର ରୋଗୀ ଆଇସିୟୁ ନପାଇ ଦଲାଲଙ୍କ ହାବୁଡରେ ପଡି ଘରୋଇ ନର୍ସିଂହୋମକୁ ଯିବାକୁ ବାଧ୍ୟ ହେଉଛନ୍ତି। କିଛି ଦିନ ତଳେ ବିଷପାନ କରି ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀଙ୍କୁ ଡାକ୍ତର ସକାଳ ୧୦ଟାରୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ ରେଫର କରିଥିଲେ ସୁଦ୍ଧା ରାତି ୯ଟା ପର୍ଯ୍ୟନ୍ତ ଆଇସିୟୁ ନମିଳିବାରୁ ଶେଷରେ ଉକ୍ତ ରୋଗୀଙ୍କ ସଂପର୍କୀୟ ବାଧ୍ୟ ହୋଇ ଏକ ଘରୋଇ ନର୍ସିଂହୋମକୁ ନେଇଥିଲେ। ଏଭଳି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି ଏସ୍ସିବିରେ। ଆଇସିୟୁ ଆବଶ୍ୟକତା ପୂରଣ ପାଇଁ ପ୍ରାୟ ବର୍ଷେ ତଳେ ୧୦ରୁ ୩୦ ବେଡ୍ ବିଶିଷ୍ଟ ସେଣ୍ଟ୍ରାଲ ଆଇସିୟୁକୁ ଅପ୍ଗ୍ରେଡ୍ କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦ୍ଘାଟନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ୧୨ଟି ଆଇସିୟୁ ଚାଲିଥିବାବେଳେ ବାକି ୧୮ଟି ଆଇସିୟୁ ବେଡ୍ କାର୍ଯ୍ୟକ୍ଷମ ହୋଇପାରୁନି। ଏସ୍ସିବି କର୍ତ୍ତୃପକ୍ଷ ବାରମ୍ବାର ମନିଟର ଯୋଗାଣ ପାଇଁ ମେଡିକାଲ କର୍ପୋରେସନ୍କୁ ଚିଠି ଲେଖିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମନିଟର ଲାଗିପାରୁନି। ଏ ସଂପର୍କରେ ଏସ୍ସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହିଛନ୍ତି ଯେ ମେଡିକାଲ କର୍ପୋରେସନକୁ ମନିଟର ଯୋଗାଣ ପାଇଁ ଚିଠି ଲେଖାଯାଇଛି। ମନିଟର ଆସିବା ପରେ ଖୁବ୍ଶୀଘ୍ର ଆଇସିୟୁ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନିଆଯିବ।