ଖୋର୍ଦ୍ଧା ପୁଲିସର ଜଣେ ଏଏସ୍ଆଇଙ୍କ ସମେତ ୩ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା : ଖୋର୍ଦ୍ଧା ପୁଲିସର ଜଣେ ଏଏସ୍ଆଇଙ୍କ ସମେତ ୩ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିଭଳି ୨ଜଣକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଛି । ଏଏସ୍ଆଇଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବାଲୁଗାଁ ଥାନାକୁ ବଦଳି କରାଯାଇଛି ।

ଗତ ୨୩ ତାରିଖ ରାତିରେ ତୋଟାପଡ଼ା ଠାରେ ଜଣେ ପୁଲିସ କନେଷ୍ଟବଳ ନିଶାଗ୍ରସ୍ତ ଅବସ୍ଥାରେ ଟ୍ରକ୍ ଓ ଗାଡ଼ିଠାରୁ ଚାନ୍ଦା ଆଦାୟ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏହି ଘଟଣାରେ ସମ୍ପୃକ୍ତ କନେଷ୍ଟବଳ ନିରଂଜନ ଦଳବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ ତାଙ୍କୁ ଏସ୍‌ପି କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସେହିଭଳି ଚଳିତ ମାସ ୧୪ ତାରିଖରେ ସଦର ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ବାଳକୃଷ୍ଣ ମହାନ୍ତି ବାଜପୁରରେ ଏକ ଭୋଜିରେ ଗଣ୍ଡଗୋଳ କରି ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ବାଳକୃଷ୍ଣଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେହିଭଳି ଟାଉନ୍ ଥାନାର ଏଏସ୍ଆଇ କୈଳାସ ଚନ୍ଦ୍ର ମଲ୍ଲିକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବାଲୁଗାଁ ଥାନାକୁ ବଦଳି କରାଯାଇଛି । ନିକଟରେ ଶ୍ରୀ ମଲ୍ଲିକ ଏକ ପଥର ବୋଝେଇ ଟ୍ରକ୍ ଜବତ ପରେ ମାମଲା ରୁଜୁ କରିବା ପରିବର୍ତେ ଛାଡ଼ିଦେଇଥିଲେ ।

ଆଜି ଏ ନେଇ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ୩ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପୃକ୍ତ ଏଏସ୍ଆଇଙ୍କ ବିରୋଧରେ ବିଭାଗୀୟ ପ୍ରସିଡିଂ ଆରମ୍ଭ ହୋଇଛି । ଜିିଲ୍ଲାରେ ପୁଲିସ ବିଭାଗରେ କୌଣସି ପ୍ରକାର ଦୁର୍ନୀତି ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଅଭିଯୋଗ ପ୍ରମାଣିତ ହେବା କ୍ଷଣି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ଓ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର