ମାସ୍କ-ଗ୍ଲୋଭ-ସାନିଟାଇଜର ଅଧିକ ମୂଲ୍ୟରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ: ସୂଚନା ଓ ଲୋକ ସଂପର୍କ ବିଭାଗ

ଭୁବନେଶ୍ୱର: ବିଶ୍ୱରେ କରୋନା ଭାଇରସ ଉଗ୍ର ରୂପ ନେଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ ୧୪୧ ଜଣ ଲୋକ ନିରୀକ୍ଷଣରେ ଅଛନ୍ତି। କରୋନା ନେଇ ରାଜ୍ୟ ସରକାର ଅଧିକ ସଚେତନ ଅଛନ୍ତି। ଦୋକାନୀମାନେ ମାସ୍କ, ଗ୍ଲୋଭ ଏବଂ ସାନିଟାଇଜର ଅଧିକ ମୂଲ୍ୟରେ ବିକିଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ପଞ୍ଚାୟତ ସ୍ତରରେ ମଧ୍ୟ ନଜର ରଖାଯିବ। କିଏ ବିଦେଶରୁ ଫେରିଛି, ଅନୁଧ୍ୟାନ କରି ବିଡିଓଙ୍କୁ ସରପଞ୍ଚ ଜଣାଇବେ।

ଖୁବ୍‌ ଶୀଘ୍ର ଟେକନିକାଲ ଆଡଭାଇଜରି କମିଟି ଗଠନ କରାଯିବ। କମିଟିରେ ଏମ୍ସ ନିର୍ଦ୍ଦେଶକଙ୍କ ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ। ଡାକ୍ତରଖାନାରେ ସଫାସୁତରା କରାଯିବ। ସେହିଭଳି ରୋଗୀଙ୍କୁ ବିଶୁଦ୍ଧ ପାଣି ଯୋଗାଯିବ।

ରାଜ୍ୟରେ ମାର୍ଚ୍ଚ ୩୧ ତାରିଖ ଯାଏଁ ସ୍କୁଲ-କଲେଜଗୁଡ଼ିକୁ ବନ୍ଦ ରଖାଯାଇଛି। ଏହାରି ମଧ୍ୟରେ ଅଙ୍ଗନବାଡ଼ିକୁ ମଧ୍ୟ ବନ୍ଦ ରଖିବା ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ କୁହାଯାଇଛି। କିନ୍ତୁ ସପିଂ ମଲ ବନ୍ଦ ହେବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏନେଇ ପୁଲିସ ଓ ଜିଲ୍ଲାପାଳ ଅନୁଧ୍ୟାନ କରୁଛନ୍ତି। ରିପୋର୍ଟ ଆସିବା ପରେ ଏହାରି ଉପରେ ନିଷ୍ପତ୍ତି ନିଆଯିବ।

ଆଜି ଚିକେନ୍‌ ଖାଇବା ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚିକେନ୍‌କୁ ଭଲ ଭାବେ ରୋଷେଇ କରି ଖାଆନ୍ତୁ। ଚିକେନ୍‌ କିମ୍ବା ଅଣ୍ଡା ଖାଇଲେ କରୋନା ହୁଏନି। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି କୃଷିମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର