ମହଙ୍ଗା ପଡିଲା ପିଟିସନରେ ଆପତ୍ତିଜନକ ଭାଷା : ଆଇନଜୀବୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ହାଇକୋର୍ଟରେ ଆବେଦନ ଖାରଜ

କଟକ : ହାଇକୋର୍ଟରେ ଦାଖଲ ଆବେଦନରେ ଆପତ୍ତିଜନକ ଭାଷା ବ୍ୟବହାର ପାଇଁ ଜଣେ ଆଇନଜୀବୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏକ ଆବେଦନର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଆବେଦନକାରୀ ଦାଖଲ କରିଥିବା ପିଟିସନରେ କେତେକ ଅପରିଣାମଦର୍ଶୀ ଅଭିଯୋଗ ରହିଛି। ଏଥିସହିତ ଆବେଦନରେ ଭାଷା ବ୍ୟବହାର ଶୈଳୀ ମଧ୍ୟ ଆପତ୍ତିଜନକ ରହିଥିଲା। ଏଭଳି କଥା ସ୍ପଷ୍ଟ ହେବା ପରେ ମଧ୍ୟ ଆବେଦନକାରୀଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଏଥିପାଇଁ ମନସ୍ତାପ ବା ଅନୁଶୋଚନା ପ୍ରକ‌ାଶ କରି ନଥିଲେ। ଅନ୍ୟପକ୍ଷରେ ଆଇନଜୀବୀ ଜଣକ ଦର୍ଶାଇଥିଲେ ଯେ ଆବେଦନକାରୀ କହିବା ଅନୁସାରେ ସେ ଆବେଦନ ପ୍ରସ୍ତୁତ କରିଛନ୍ତି। ଆବେଦନରେ ଥିବା ଅପରିଣାମଦର୍ଶୀ ଅଭିଯୋଗକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଚେଷ୍ଟା କରିଥିଲେ। ଏଭଳି ପ୍ରସଂଗରେ ଆଡଭୋକେଟ ଜେନେରାଲ ତଥା ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କୁ ପକ୍ଷ ରଖିବାକୁ ଖଣ୍ଡପୀଠ କହିଥିଲେ। ଆବେଦନରେ ଭାଷା ବ୍ୟବହାର ଶୈଳୀ ଓ ଉଲ୍ଲେଖ କରାଯାଇଥିବା ଅପରିଣାମଦର୍ଶୀ ଅଭିଯୋଗ ପ୍ରସଂଗରେ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କ ବିରୋଧରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଡଭୋକେଟ ଜେନେରାଲ ଦର୍ଶାଇଥିଲେ। ଏହାପରେ ଖଣ୍ଡପୀଠ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇ ଏ ସଂପର୍କିତ ଆବେଦନକୁ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର