ଭୁବନେଶ୍ବର: ରାଜ୍ୟରେ ଧାନକିଣା ଦାୟିତ୍ବ ସମବାୟ ବିଭାଗ ଉପରେ ନ୍ୟସ୍ତ। ଚଳିତ ବର୍ଷ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ୍) ଓ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତିଗୁଡ଼ିକ (ଲାମ୍ପସ୍) ରାଜ୍ୟରେ ୪,୦୦୦ରୁ ଊର୍ଦ୍ଧ୍ବ ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରିବେ। ଚାଷୀମାନେ ଯେପରି ସ୍ବଚ୍ଛ ପ୍ରକ୍ରିୟାରେ ଓ ବିନା କଟନି-ଛଟ୍‌ନିରେ ଧାନ ବିକ୍ରି କରିପାରିବେ ଏବଂ ପ୍ରାପ୍ୟ ୪୮ ଘଣ୍ଟା ମଧ୍ୟରେ ପାଇବେ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଧାନ ସଂଗ୍ରହରେ କୌଣସି ଅନିୟମିତତା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ବି ଦେଇଛନ୍ତି। 

Advertisment

୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ଆଜି ସ୍ଥାନୀୟ ସମବାୟ ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ଫସଲ ୠଣ, ଫସଲ ବୀମା, ସାର, ବିହନ, କୀଟନାଶକ ଇତ୍ୟାଦି ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ପାଖକୁ ଯାଇଥାଏ। ତେଣୁ ଏହି ସଂସ୍ଥାଗୁଡ଼ିକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ, ସମବାୟ ଆନ୍ଦୋଳନ ଦ୍ବାରା ସମାଜର ଦରିଦ୍ରତମ ଲୋକଙ୍କ ନିକଟରେ ବିକାଶର ସୁଫଳ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଭାଗୀୟ ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ରାଜ୍ୟରେ ଚାଷୀ ଓ ଚାଷର ଉନ୍ନତି କ୍ଷେତ୍ରରେ ସମବାୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ସଭାପତି ପ୍ରବାସିନୀ ଷଡଙ୍ଗୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସମବାୟ ସମିତି ସମୂହ ନିବନ୍ଧକ ପ୍ରଭୁ କଲ୍ୟାଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କ୍ବାଲିଟି ଧାନ ନେବୁ, କ୍ବାଲିଟି ଟଙ୍କା ଦେବୁ: ମନ୍ତ୍ରୀ
ଧାନ କିଣା ନଭେମ୍ବର ୨୧ରୁ ଆରମ୍ଭ ହେଉଛି। ଏଥର ରାଜ୍ୟ ସରକାର ଏମ୍‌ଏସ୍‌ପି ସହ ଅତିରିକ୍ତ ୮୦୦ ଟଙ୍କା ବୋନସ୍ ପ୍ରଦାନ କରିବେ। କିନ୍ତୁ ଆଜି ସମବାୟ ମନ୍ତ୍ରୀଙ୍କ ଏକ ମନ୍ତବ୍ୟକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି। ମନ୍ତ୍ରୀ କହିଛନ୍ତି, କ୍ବାଲିଟି ଧାନ ନେବୁ କ୍ବାଲିଟି ଟଙ୍କା ଦେବୁ। କ୍ବାଲିଟି ଧାନ ଥିଲେ ବୋନସ୍ ୮୦୦ ଟଙ୍କା ମିଳିବ। ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଚାଷୀମାନେ ସନ୍ଦେହରେ ପଡ଼ିଯାଇଛନ୍ତି। କାରଣ ଧାନର ମାନ ଯାଞ୍ଚ୍‌ କରିବା ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ମାନ ଯାଞ୍ଚ୍‌ ପାଇଁ ଯେଉଁ ମେସିନ୍ ଦରକାର ତାହା ସବୁ ମଣ୍ଡିରେ ନାହିଁ। ପୁଣି ମାନ ଯାଞ୍ଚ୍‌ ସମୟସାପେକ୍ଷ ହୋଇଥିବାରୁ ମଣ୍ଡିରେ ଧାନ ସଂଗ୍ରହ ବିଳମ୍ବିତ ହୋଇପାରେ।