ପୁରୀ: ଶ୍ରୀମନ୍ଦିରରେ ଗତକାଲି ନୀତି ବିଶୃଙ୍ଖଳା ଚରମସୀମାରେ ପହଞ୍ଚିଲା। ମହାପ୍ରଭୁ ଅନିଦ୍ରା ରହିଲେ। ନୀତି ବିଳମ୍ବ କାରଣରୁ ବିନା ପହୁଡ଼ରେ ଆଜିର ନୀତିକାନ୍ତି ଆରମ୍ଭ ହେଲା। ଶହଶହ ଭକ୍ତ ମହାପ୍ରସାଦ ନପାଇ ଫେରିଲେ। ମହାପ୍ରଭୁଙ୍କୁ ଲାଗି ହୋଇ ସାରିଥିବା ପ୍ରାୟ ୧୨ହଜାର ଲୋକଙ୍କ ମହାପ୍ରସାଦ ଫିଙ୍ଗାଗଲା। ତଥାପି କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି ଶ୍ରୀମନ୍ଦିର ପ୍ରଶାସନ। ନୀତି ବିଶୃଙ୍ଖଳା ପାଇଁ ୨୦୧୯ ମସିହାରୁ ପାଳିଆ ପୁରସ୍କାର କାଟିବାର ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଥିଲେ ବି ଏହା ଶୀତଳଭଣ୍ଡାରରେ ପଡ଼ିରହିଛି।

Advertisment

ଶ୍ରୀମନ୍ଦିର ନୀତିକାନ୍ତି ନୀତି ସବ୍‌କମିଟି, ଛତିଶାନିଯୋଗ ଓ ପରିଚାଳନା କମିଟିର ଅନୁମୋଦନକ୍ରମେ ଚୂଡ଼ାନ୍ତ ହେଉଛି। ଏହାର ମୁଖ୍ୟ ଆଭିମୁଖ୍ୟ ମହାପ୍ରଭୁଙ୍କ ନୀତିରେ ଶୃଙ୍ଖଳା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ। ଗତମାସରେ ପହିଲିଭୋଗ ନୀତି ଶେଷ ହୋଇଥିଲା। ଗତବର୍ଷ ଡିସେମ୍ବର ୧୬ ତାରିଖ ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପହିଲିଭୋଗ ନୀତି ଆରମ୍ଭ ହୋଇ ଗତମାସ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ଜାନୁଆରି ୧୪ରେ ଶେଷ ହୋଇଥିଲା। ନୀତି ଚୂଡ଼ାନ୍ତ ହୋଇଥିଲା ଯେ ରାତି ୨ଟାରେ ଦ୍ବାରଫିଟା ହେବ ଓ ରାତି ୧୧ଟାରେ ପହୁଡ଼ ହେବ। କିନ୍ତୁ କେବଳ ନୂଆବର୍ଷକୁ ଛାଡ଼ିଦେଲେ, ବାକି ସବୁଦିନ ନୀତି ବିଳମ୍ବ ହୋଇଥିଲା। ପହିଲିଭୋଗରେ ପ୍ରାୟ ଭୋର୍‌ ୪ଟାରେ ଦ୍ବାରଫିଟା ନୀତି ହୋଇଥିଲା। ଦୈନନ୍ଦିନ ନୀତିକାନ୍ତି କଥା ଦେଖିଲେ, ପ୍ରତିଦିନ ଭୋର୍‌ ୪ଟାରୁ ଦ୍ବାରଫିଟା ଓ ରାତି ୧୨ରେ ପହୁଡ଼ ପାଇଁ ଚୂଡ଼ାନ୍ତ ହୋଇଛି। କିନ୍ତୁ ପ୍ରତିଦିନ ସକାଳ ୫ଟା ୫୦ରୁ ୬ଟା ଭିତରେ ଦ୍ବାରଫିଟା ନୀତି ହେଉଛି। ସେହି ଅନୁସାରେ ଅନ୍ୟାନ୍ୟ ନୀତି ବି ବିଳମ୍ବ ହେଉଛି ଓ ନୀତି ବିଶୃଙ୍ଖଳିତ ହେଉଛି। ଗତକାଲିର ଘଟଣା, ସବୁ ସୀମା ଉଲ୍ଲଂଘନ କରିଛି। ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ମହାପ୍ରଭୁଙ୍କ ନୀତି ବିଳମ୍ବ ସହ ଅନିଦ୍ରା ରଖିବାକୁ ପଛାଇନାହାନ୍ତି ସେବକ। ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

୨୦୧୯ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ସଭାପତି, ସମ୍ପାଦକମାନଙ୍କୁ ନୀତି ସମ୍ପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ଏକ ଚିଠି କରାଯାଇଥିଲା। ଚିଠି ଅନୁଯାୟୀ, ନୀତିସମ୍ପୃକ୍ତ ସେବାୟତ ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ ବୋଲି କୁହାଯାଇଥିଲା। ସେହିଭଳି ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ। କିନ୍ତୁ ଏହି ଆଦେଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି କି କାହାରି ପାଳିଆ ପୁରସ୍କାର କଟାଯାଇନି।