ବିଭାଗୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସକ୍ରିୟ କର

ଭୁବନେଶ୍ବର : ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଏହାକୁ ନଜରରେ ରଖି ବିଭାଗୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସକ୍ରିୟ କରିବା ଲାଗି ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର, ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲା/ବ୍ଲକ୍ ସ୍ତରରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ଏସ୍‌ଆରସି ଓ ରାଜ୍ୟସ୍ତରୀୟ ନିର୍ଦେଶାଳୟ ସହିତ ସମନ୍ବୟ ରକ୍ଷା କରିବା ଜରୁରୀ। ଏହାସହ ନୋଡାଲ ଅଧିକାରୀଙ୍କୁ ଚିହ୍ନଟ, ହସ୍ପିଟାଲ, ଲାବ୍, ଟିକା ଷ୍ଟୋର ଓ ଅନ୍ୟ ମେଡିକାଲ ବ୍ୟବସ୍ଥାକୁ ନିୟମିତ ବିଦ୍ୟୁତ ସରବରାହ ଜାରି ରହିବା ଉଚିତ୍‌। ତଳିଆ ବା ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳଗୁଡ଼ିକରେ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲିବା, ଟ୍ରମା ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ନେଇ ପ୍ଲାନ୍ ପ୍ରସ୍ତୁତ, ଆସନ୍ନ ପ୍ରସବାମାନଙ୍କୁ ମା’ଗୃହ ଓ ପ୍ରସବ ଗୃହକୁ ସ୍ଥାନାନ୍ତରିତ କରାଯିବାର ଆବଶ୍ୟକତା ରହିଛି।

ସ୍ବାସ୍ଥ୍ୟ ବିଭାଗ ଆହୁରି କହିଛି ଯେ ଯେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ସେମାନଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯିବ। ଯେଉଁ ବରିଷ୍ଠ ନାଗରିକମାନେ ମଧୁମେହ, ଉଚ୍ଚ ରକ୍ତଚାପ, ଯକୃତ/କିଡ୍‌ନି, ଶ୍ବାସଜନିତ ରୋଗ ଥିବ ସେମାନଙ୍କୁ ସମ୍ବେଦନଶୀଳ ଗ୍ରୁପ୍‌ରେ ସାମିଲ କରି ନିରୀକ୍ଷଣ କରାଯିବା ଦରକାର। ଯେଉଁ ହସ୍ପିଟାଲଗୁଡ଼ିକ ବନ୍ୟା ଯୋଗୁଁ ବିଚ୍ଛିନ୍ନ ହୋଇଛି ସେସବୁ ହସ୍ପିଟାଲକୁ ସାଟେଲାଇଟ୍‌ ଫୋନ୍/ହାମ୍ ରେଡିଓ ପ୍ରଦାନ କରାଯିବାକୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର