ଭଞ୍ଜନଗର : ଭଞ୍ଜନଗର ସହର ଓ ଉପକଣ୍ଠ ଅଞ୍ଚଳରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେଲା ତାପମାତ୍ରା ୪୧ରୁ ୪୨ ଡିଗ୍ରି ରେକର୍ଡ଼ କରାଯାଉଥିବା ବେଳେ ଏଭଳି ପରିସ୍ଥିତିରେ ଝାଞ୍ଜି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆଗକୁ ଗ୍ରୀଷ୍ମପ୍ରବାହ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଥିବା ବେଳେ ପିଇବା ପାଣି ଓ ଜଳଛତ୍ରକୁ ନେଇ ଏବେ ଚିନ୍ତା ଘାରିଲାଣି। କାରଣ ଅଧିକାଂଶ ସହର ଏବଂ ଗ୍ରାମାଞ୍ଚଳରେ ଏଯାଏ ଜଳଛତ୍ର ବ୍ୟବସ୍ଥିତ ଢଙ୍ଗରେ ଖୋଲିପାରିନି। ଫଳରେ ଲୋକଙ୍କ ସରଳତାର ସୁଯୋଗ ନେଇ ବଜାରରେ ବର୍ତ୍ତମାନ ନକଲି ପାଣି ବୋତଲ ଓ ପାଣିପାଉଚ୍ ବେପାର ରାକେଟ୍ କାୟା ବିସ୍ତାର କରିଚାଲିଛନ୍ତି। ପାଣି ଜାର୍, ବୋତଲ ଓ ପାଉଚ୍ର ଚାହିଦା ଢେର୍ ବୃଦ୍ଧି ପାଇବାରେ ଲାଗିଛି। ଏହାର ଫାଇଦା ନେଇ ବିଭିନ୍ନ ନାମୀଦାମୀ କମ୍ପାନି ନାଁରେ ଏବଂ ଅନାମଧେୟ ଲେବୁଲ୍ ଓ ଏଥିରେ ଆଇଏସ୍ଆଇ ମାର୍କା ଛପେଇ ପାଣି ବିକି ଲୁଟ୍ ଚାଲିଛି। ଏଥିରେ ସିଧାସାଦା ପାଣି ଫିଲିଂ କରି ଠିପି ସିଲ୍ କରିଦିଆଯାଉଛି। ଯାହା ଆଦୌ ବିଶୁଦ୍ଧ ନୁହେଁ। ଏହାର ଗୁଣବତ୍ତା ଯାଞ୍ଚ କରିବାକୁ ଓ ବେଆଇନ ପାଣି ବିକ୍ରେତା ଓ ଫ୍ୟାକ୍ଟ୍ରି ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନର ନିଘା ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା, କେଉଁ କେଉଁ କମ୍ପାନିର ପାଣି ବୋତଲ ବଜାରକୁ ଆସୁଛି ଏ ନେଇ କୌଣସି ଠିକ୍ ତଥ୍ୟ କାହା ପାଖରେ ନାହିଁ।
ବର୍ତ୍ତମାନ ସହର ଏବଂ ଉପକଣ୍ଠ ଅଞ୍ଚଳରେ ପାଣି ବୋତଲ ପିଛା ୫ଟଙ୍କାରୁ ଆରମ୍ଭ ହୋଇ ୨୦ଟଙ୍କା ପର୍ଯ୍ୟନ୍ତ ମିଳୁଛି। ବଜାରରେ ବିକ୍ରି ହେଉଥିବା ପାଣି ବୋତଲ ଖାଦ୍ୟସାମଗ୍ରୀ ଶ୍ରେଣୀରେ ଆସୁଛି। କିନ୍ତୁ ପାଣି ବୋତଲ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଥିବା କିଛି ବ୍ୟକ୍ତିବିଶେଷଙ୍କ ପାଖରେ ଆବଶ୍ୟକ ଫୁଡ୍ ଲାଇସେନ୍ସ୍ ନାହିଁ। ବହୁ ସ୍ଥାନରେ ପାଣି ପରୀକ୍ଷଣ ରିପୋର୍ଟ ନଥିବା ବେଳେ ଖାଦ୍ୟ ନିରୀକ୍ଷକ ଯାଞ୍ଚ କରିଥିବାର କୌଣସି ନଜିର୍ ନାହିଁ।
ସରକାରୀ ଗାଇଡଲାଇନ୍ ଅନୁସାରେ, ଲାଇସେନ୍ସ୍ ମିଳିବା ସହ ଆଇଏସ୍ଆଇ ସ୍ବୀକୃତି ମିଳିବା ପରେ ହିଁ ପାଣି ଫ୍ୟାକ୍ଟ୍ରି ଖୋଲାଯାଇପାରିବ। ପାଣି ବିଶୋଧନ, ବୋତଲରେ ଭରି କରିବା ଓ ଏହାକୁ ସିଲ୍ କରି ବଜାରକୁ ଛାଡ଼ିବା ପର୍ଯ୍ୟନ୍ତ ବିଭିନ୍ନ ନିୟମ ରହିଛି। କିନ୍ତୁ ପ୍ରଶାସନର ଲଗାମ ନଥିବାରୁ ଅନେକ ଅସାଧୁ ବ୍ୟବସାୟୀ ସେମାନଙ୍କ କାରବାର ବଢ଼ାଇବାରେ ଲାଗିଛନ୍ତି। ବହୁମାତ୍ରାରେ ନକଲି କମ୍ପାନିର ପାଣି ବୋତଲ ବଜାରକୁ ଆସୁଛି। ସେହିପରି କିଛି ସ୍ଥାନରେ ନାମୀଦାମୀ କମ୍ପାନି ନାଁରେ ନକଲି ଲେବୁଲ୍ ଲଗାଇ ପାଣି ବୋତଲ ମଧ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଛି।
ସବୁଠୁ ଉଦ୍ବେଗର ବିଷୟ, ପାଉଚ୍ ପାଣି ବିକ୍ରି ସଂପୂର୍ଣ୍ଣ ନିଷେଧ ହୋଇଥିଲେ ବି କୌଣସି ସୁଫଳ ମିଳୁନି। ବିଶେଷକରି ଗ୍ରାମାଞ୍ଚଳ ଗୁଡ଼ିକରେ ଖୋଲାଖୋଲି ପାଉଚ୍ ବିକ୍ରି ହେଉଛି। ଆଇନଜୀବୀ ତଥା ଘୁମୁସର ସଂଗ୍ରାମ ସମିତିର ଆବାହକ ଖରାଂଶୁଶେଖର ଦାସ କହିଛନ୍ତି, ଗ୍ରୀଷ୍ମର ପ୍ରକୋପ ବଢ଼ୁଥିବାରୁ ନକଲି ପାଣି ବୋତଲ ବିକ୍ରି ବିକ୍ରି ବୃଦ୍ଧି ପାଉଛି। ଅନେକ ସ୍ଥାନରେ ବିନା ଆଇଏସ୍ଆଇ ମାର୍କା ତଥା ସରକାରୀ ସ୍ବୀକୃତି ନଥାଇ ପାଣି ମଧ୍ୟ ବିକ୍ରି ଚାଲିଛି। ଏହି ପାଣି ସ୍ବାସ୍ଥ୍ୟ ଉପଯୋଗୀ କି ନୁହେଁ, ପ୍ରଶାସନ ପକ୍ଷରୁ ଯାଞ୍ଚ ଓ ଚଢ଼ଉ ହେବା ଆବଶ୍ୟକ।
ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ କହିଛନ୍ତି, ଖୁବ୍ଶୀଘ୍ର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ପାଣିର ମାନ ଯାଞ୍ଚ ହେବ। କେଉଁ ପରିସ୍ଥିତରେ ତାହା ବଟଲିଂ ଓ ପ୍ୟାକେଜିଂ ହେଉଛି, ସରକାରୀ ନିୟମ ଅନୁଯାୟୀ ପାଣି ବିକ୍ରି ହେଉଛି କି ନାହିଁ ଏ ଦିଗରେ ଯୋଗାଣ ବିଭାଗ ସହ ଆଲୋଚନା କରାଯିବ। ଏହାସହ ଯାଞ୍ଚ ପାଇଁ ସମସ୍ତ ଏନ୍ଏସିକୁ ନିର୍ଦ୍ଦେଶ ଦିଆଯିବା ସହ ବେଆଇନ କାରବାର ଉପରେ ଚଢ଼ଉ କରାଯିବ।