ପୁରୀ: ସ୍ନାନ ପୂର୍ଣ୍ଣିମାରେ ତିନି ରଥର ଚକ, ଅଖ ଓ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରିନାହାକା ଉଠିବାର ପରମ୍ପରା ରହିଛି। ଏଣୁ ପରମ୍ପରାକୁ ଦୃଷ୍ଟିରେ ରଖି ରଥ ସେବକମାନେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ତିନିରଥର ତିନିଭୂଇଁ ନିର୍ମାଣ ପାଇଁ ୧୨ଟି ଲେଖାଏଁ ଭୂଇଁ ଚଉତା କାଠର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ପାଞ୍ଚଦଣ୍ଡାରୁ ୪ଟି ଦଣ୍ଡାର ଚଉପଟ ଶେଷ ହୋଇ ପଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ତିନିରଥର ପାର୍ଶ୍ୱ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ତିନିରଥର ୨୦ ଫୁଟିଆ ଦୁଇଟି ଗରଗରାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚାରିନାହାକା ନିର୍ମାଣ ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟରେ ରଥଚାଳିକୁ ରଥ ଅମିନ ଦୁଇଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ।

Advertisment

ଆଜି ତିନି ରଥଚାଳିକୁ ରଥ ଅମିନ ଓ ଭୋଇ ସେବକଙ୍କ ସହାୟତାରେ ଆଉ ଦୁଇଟି ଲେଖାଏଁ ନାହାକା କାଠ ଯୋଗାଇଛନ୍ତି। ରୂପକାର ସେବକ ତିନିରଥର କୋଣ ଗୁଜରେ ସିଂହବିରାଳ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। କରତି ସେବକମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଚାଲୁ ରଖିଛନ୍ତି। ଶ୍ରୀମନ୍ଦିର କର୍ମଚାରୀ ବସନ୍ତ ମହାରଣାଙ୍କ ତତ୍ତ୍ୱାବଧାନରେ ଏହି ସରଞ୍ଜାମ ପ୍ରସ୍ତୁତି ଚାଲିଛି। ଅଣସର ନୀତି ପାଇଁ ୪ ଟି ବଡ ପିଢ଼ା ଓ ୪ଟି କୁରୁମ ପିଢ଼ା ନିର୍ମାଣ କରି ଫୁଲଚାଙ୍ଗୁଡ଼ା ଫ୍ରେମ ପ୍ରସ୍ତୁତ କରିଛନ୍ତି। କମାରଶାଳରେ ଓଝା ସେବକ ତିନିରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କଲାପରେ ପୋଟଳ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।