କଟକ: ଚୌଦ୍ବାର ସର୍କଲ ଜେଲ୍ରୁ ଫେରାର ଦୁଇ ବିହାରୀ ମୋଷ୍ଟ ଵାଣ୍ଟେଡ୍ ଅପରାଧୀ ହେଉଛନ୍ତି କୁଖ୍ୟାତ ପୁଲୁ ସିଂହର ଖାସ୍ ସହଯୋଗୀ। ନବେ ଦଶକ ପରଠାରୁ ବିହାରରେ ଆତଙ୍କ ଖେଳାଇଥିବା ପୁଲୁ ସିଂ ଗ୍ୟାଙ୍ଗ୍ ଡକାୟତି ଓ ସୁପାରି କିଲିଂ ପାଇଁ କୁଖ୍ୟାତି ଅର୍ଜିଛି। ଗ୍ୟାଙ୍ଗ୍ର ଏହି ଦୁଇ ଅପରାଧୀଙ୍କୁ ନେଇ ଉଭୟ କଟକ କମିସନରେଟ୍ ପୁଲିସ ଓ ବିହାର କ୍ରାଇମବ୍ରାଞ୍ଚ ସମେତ ଏସଟିଏଫ୍ ଚିନ୍ତାରେ ପଡ଼ିଯାଇଛି। ଏମାନେ ଖୋଲାରେ ରହିଲେ ଦୁଇ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ପାଇଁ ବିପଦ ରହିଛି। ସେମାନଙ୍କୁ ପୁଣି ଥରେ ବାନ୍ଧିବାକୁ ବିହାର ଓ ଓଡ଼ିଶା ପୁଲିସ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି। ଦୁଇ ଫେରାର ଅପରାଧୀ ଏବେ ପଶ୍ଚିମବଙ୍ଗରେ ଲୁଚିଥିବା କୁହାଯାଉଛି।
ନବେ ଦଶକରୁ ବିହାରରେ ଖେଳାଇଛନ୍ତି ଆତଙ୍କ
୨ ଅପରାଧୀଙ୍କୁ ଖୋଜୁଛି ବିହାର ଏସ୍ଟିଏଫ୍, କ୍ରାଇମବ୍ରାଞ୍ଚ
ରାଜ୍ୟ ବାହାରେ କଟକ କମିସନରେଟ୍ ପୁଲିସର ଚଢ଼ଉ
ଚୌଦ୍ବାର ସର୍କଲ୍ ଜେଲରୁ ଗଲା ୩ ତାରିଖ ରାତିରେ ଫେରାର ହୋଇଥିବା କୁଖ୍ୟାତ ଅପରାଧୀ ବିହାର ବେଗୁସରାୟ ଜିଲ୍ଲା ମୁଫସିଲ୍ ଥାନା ଲୋହିଆନଗର ଅଞ୍ଚଳର ରାଜା ସାହାଣୀ ଓ ସାରଣ ଜିଲ୍ଲା ଗୌର ଥାନା ରାମପୁର ଅଞ୍ଚଳର ମଧୁକାନ୍ତ କୁମାରର ଏଯାଏଁ ପତ୍ତା ମିଳୁନାହିଁ। ସେମାନଙ୍କୁ କମିସନରେଟ୍ ପୁଲିସ ମୋଷ୍ଟ ଵାଣ୍ଟେଡ୍ ଦର୍ଶାଇଥିବା ବେଳେ ଆଶ୍ରୟ ନେଇଥିବା ଠିକଣା ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାରରାଶି ଘୋଷଣା କରାଯାଇଛି। କୁଖ୍ୟାତ ଅପରାଧୀ ପୁଲୁ ସିଂହ ଗ୍ୟାଙ୍ଗର ଖାସ୍ ସହଯୋଗୀ କୁହାଯାଉଥିବା .ରାଜା ଓ ମଧୁକାନ୍ତ ମୁଖ୍ୟତଃ ବଡ଼ ଗହଣା ଦୋକାନ, ବ୍ୟାଙ୍କ ଡକାୟତି କରି ଗ୍ୟାଙ୍ଗର ଆର୍ଥିକ କାରବାରକୁ ସୁଦୃଢ଼ କରୁଥିଲେ। ଆଉ ଗୋଟିଏ ଗ୍ୟାଙ୍ଗ ସୁପାରି କିଲିଂ ଦାୟିତ୍ବ ନେଇଥିଲେ। ତେବେ ଆର୍ଥିକ ଲୁଟ୍ କରୁଥିବା ଗୋଷ୍ଠୀରେ ଥିଲେ ରାଜା ଓ ମଧୁକାନ୍ତ। ୧୯୯୯ ମସିହା ଶେଷ ଆଡ଼କୁ ଗ୍ୟାଙ୍ଗ୍ ଗଢ଼ିଥିବା ପୁଲୁ ଏବେ ସିଧାସଳଖ ଅପରାଧରୁ ନିଜକୁ ଦୂରେଇ ରଖିଛି। ତା ବିରୋଧରେ ଥିବା ସମସ୍ତ ହତ୍ୟା ଓ ଡକାୟତି ମାମଲାରେ କୋର୍ଟରୁ ଜାମିନ ମିଳିଯାଇଛି। ତେବେ ଏହି ଗ୍ୟାଙ୍ଗର ପରଦା ପଛରେ ପୁଲୁ ରହି ବିହାର ସମେତ ସାରା ଦେଶରେ ଅପରାଧ ଘଟାଉଛି। ସାରା ଭାରତରେ ଏହି ଗ୍ୟାଙ୍ଗ ବେଶ ସକ୍ରିୟ ରହିଛି। ଏହି ଗ୍ୟାଙ୍ଗ ଯାଜପୁର ଜିଲ୍ଲା ପାଣିକୋଇଲି ଗହଣା ଦୋକାନ ସମେତ ସମ୍ବଲପୁର, ସୁନ୍ଦରଗଡ଼ରେ ଡକାୟତି କରିଛନ୍ତି। ଏମାନଙ୍କ ଅପରାଧ ଶୈଳୀ ସମ୍ପୂର୍ଣ୍ଣ ବୃତ୍ତିଗତ। ବିହାରରୁ ଗୋଟିଏ ଦିନ ଆସି ସମ୍ପୃକ୍ତ ବ୍ୟାଙ୍କ ଓ ଗହଣା ଦୋକାନକୁ ରେକି କରିଥାନ୍ତି। କେଉଁ ସମୟରେ ଲୋକ ଗହଳି କମ୍ ରହୁଛି ସେହି ସମୟକୁ ଗ୍ୟାଙ୍ଗର ସଦସ୍ୟ ଅନୁଧ୍ୟାନ କରି ଫେରି ଯାଇଥାନ୍ତି। ଧାର୍ଯ୍ୟ ସମୟରେ ପୁଣି ଥରେ ବିହାରରୁ ଆସି ଡକାୟତି କରିଥାନ୍ତି।
ଅନ୍ୟପଟେ ଚୌଦ୍ବାର ସର୍କଲ ଜେଲ୍ର ହାଇ ସିକ୍ୟୁରିଟି ଵାର୍ଡର ୪ ନମ୍ବର ଓ ୭ ନମ୍ବର ସେଲ୍ରେ ଥିବା ରାଜା ଓ ମଧୁକାନ୍ତ କ୍ୟାମେରାକୁ ଅଚଳ କରି ଦେଇଥିଲେ। ୭ ନମ୍ବର ସେଲ୍ରେ ଥିବା କ୍ୟାମେରାର ମୁହଁକୁ ଭିନ୍ନ ଦିଗକୁ ବୁଲାଇ ଦିଆଯାଇଥିବା ବେଳେ ୪ ନମ୍ବର ସେଲ୍ରେ ଥିବା କ୍ୟାମେରା ଉପରେ ଆସାମୀ କପଡ଼ା ପକାଇ ଘୋଡ଼ାଇ ଦେଇଥିଲା। ସାଧାରଣତଃ ସେଲ୍ରେ ରହୁଥିବା କଏଦୀମାନେ ସପ୍ତାହକୁ ଥରେ ଅନ୍ୟତ୍ର ସ୍ଥାନାନ୍ତର ହେବାର ନିୟମ ଥିବା ବେଳେ ଚୌଦ୍ବାର ଜେଲ୍ରେ ସେଭଳି କରାଯାଇନଥିଲା। ସେମାନେ ଏକ ମାସ କାଳ ଉକ୍ତ ସେଲ୍ରେ ଥିଲେ। ଦୁହେଁ ଏକ ଆରିରେ ସେଲ୍ର ରଡ୍କୁ କାଟିଥିଲେ। ଯେଉଁ ସ୍ଥାନକୁ କାଟିଥିଲେ ଉକ୍ତ ସ୍ଥାନକୁ ମାର୍ଗୋ ସାବୁନ୍ ଦେଇ ପ୍ୟାଚ୍ ପକାଇଥିଲେ। ଯାହାଫଳରେ କଟା ଅଂଶ ସହଜରେ ଜଣାପଡ଼ିବ ନାହିଁ। ଜେଲ୍ ପାଚେରି ଡେଇଁ ଯିବା ପରେ ସେମାନଙ୍କୁ କେହି ନେବାକୁ ଆସିନାହାନ୍ତି। ବିହାରରୁ ତାଙ୍କୁ ନେବାକୁ ଆସିଥିବା ଯେଉଁ ଚର୍ଚ୍ଚା ହେଉଛି, ପ୍ରାଥମିକ ଭାବେ ସେଭଳି କୌଣସି ପ୍ରମାଣ ପୁଲିସର ହସ୍ତଗତ ହୋଇନାହିଁ। ପାଖାପାଖି ୫ କିମି ଦୂର ଚାଲିଚାଲି ଯିବା ପରେ ଦୁହେଁ ଗାଡ଼ିରେ ଓଡ଼ିଶା ସୀମା ପାର୍ ହୋଇଛନ୍ତି। ସେମାନେ ଏବେ ପଶ୍ଚିମବଙ୍ଗରେ ଥିବା ଚର୍ଚ୍ଚା ହେଉଛି। କଟକ କମିସନରେଟ୍ ପୁଲିସର ଏକ ଟିମ୍ ସେମାନଙ୍କ ପିଛା କରି ରାଜ୍ୟ ବାହାରକୁ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/dgdadgdgzcv-2025-10-29-03-00-27.jpg)