ସୁନ୍ଦରଗଡ଼ର ସୀମାନ୍ତ ଗାଁରେ ପୁଣି ସକ୍ରିୟ ନକ୍ସଲ ଗତିବିଧି

ପଶ୍ଚିମବଙ୍ଗରୁ ନକ୍ସଲ ପଳାଇ ଆସିଛନ୍ତି ସରଣ୍ଡା, ସୀମାନ୍ତ ଗାଁରେ ଭୟର ବାତାବରଣ

ରାଉରକେଲା: ବେଶ୍ କିଛି କାଳ ଥମିବା ପରେ ଝାଡ଼ଖଣ୍ଡ ସୀମାକୁ ଲାଗି ଥିବା ସୁନ୍ଦରଗଡ଼ ଜିଲ୍ଲାର ଗାଁଗୁଡ଼ିକରେ ଏବେ ନକ୍ସଲଙ୍କ ଗତିବିଧି ଦେଖା ଗଲାଣି। ଏହି କାରଣରୁ ଉକ୍ତ ଗାଁଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହେଲାଣି। ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ପରେ ଓଡ଼ିଶା-ଝାଡ଼ଖଣ୍ଡ ମୁହାଁ ହୋଇଛନ୍ତି ନକ୍ସଲ ସଙ୍ଗଠନ। ଓଡ଼ିଶାର ସୁନ୍ଦରଗଡ ଓ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଳା ସୀମାବର୍ତ୍ତୀ ଅଞ୍ଚଳକୁ ଗତ ଏକ ମାସ ଧରି ନକ୍ସଲମାନଙ୍କ ଅନୁପ୍ରବେଶ ଚାଲିଛି। ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଏପରି ସତର୍କ ସୂଚନା ଦେଇଛି ଗୁଇନ୍ଦା ବିଭାଗ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲଙ୍କ ସକ୍ରିୟ ହେବା ପରେ ଉଭୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି।

ଗୁଇନ୍ଦା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମେଦିନିପୁର ଜିଲ୍ଲାର ଝାଡ଼ଗ୍ରାମ ଓ ପୁରୁଲିଆ ଜଙ୍ଗଲରେ ସିଆର୍‌ପିଏଫ୍‌ ଓ ଜିଲ୍ଲା ପୁଲିସ ଦ୍ବାରା ସର୍ଚ୍ଚ ଅପରେସନ୍‌କୁ‌ ଜୋରଦାର କରାଯାଇଛି। ଧରାପଡ଼ିବା ଭୟରେ ନକ୍ସଲମାନେ ଏହି ଦୁଇଟି ଜଙ୍ଗଲ ଛାଡ଼ି ଏବେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଅନୁପ୍ରବେଶ କରିଛନ୍ତି। ସରଣ୍ଡା ଜଙ୍ଗଲ ଏମାନଙ୍କ ପାଇଁ ଏବେ ପାଲଟିଯାଇଛି ସେଫ୍‌ ଜୋନ୍‌। କାରଣ ସରଣ୍ଡା ଜଙ୍ଗଲରେ ଏକଦା ରାଜୁତି କରୁଥିବା ନକ୍ସଲ ନେତା ସମରଜୀ ୨୦୧୯ରେ ମୃତ୍ୟୁ ପରେ ନକ୍ସଲ ଗତିବିଧି ସମ୍ପୂର୍ଣ୍ଣ ଥମି ଯାଇଛି। ସରଣ୍ଡାରୁ ଛୋଟନାଗପୁର ନକ୍ସଲ ଜୋନାଲ୍‌ କମିଟିର ପ୍ରାୟ ଅଧିକାଂଶ ନକ୍ସଲ ନେତା ଛତିଶଗଡ଼ ଚାଲିଯାଇଛନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗର ନକ୍ସଲମାନେ ଏବେ ସରଣ୍ଡାରେ ଆଡ୍ଡା ଜମାଇଛନ୍ତି।

ଓଡ଼ିଶା ଓ ଝାଡ଼ଖଣ୍ଡ ଦୁଇଟି ରାଜ୍ୟର ଏହି ସର୍ବବୃହତ ସଂରକ୍ଷିତ ଜଙ୍ଗଲ ନକ୍ସଲଙ୍କୁ ଠାବ କରିବା ସିଆର୍‌ପିଏଫ୍‌ ଓ ଡିଭିଏଫ୍‌ ଯବାନଙ୍କ ସହ ସ୍ଥାନୀୟ ପୁଲିସ ପାଇଁ ବଡ ଚାଲେଞ୍ଜ ହୋଇଛି। ରାତିରେ ହେଲେ ଘଞ୍ଚ ଜଙ୍ଗଲରେ ଚାଲୁଛି ନକ୍ସଲ କ୍ୟାମ୍ପ। ହିଂସାକାଣ୍ଡ ପାଇଁ ପ୍ରସ୍ତୁତି ହେଉଛି ବ୍ଲୁପ୍ରିଣ୍ଟ। ନିକଟରେ ହୋଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଏହାର ଏକ ଉଦାହରଣ। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ସରଣ୍ଡାରେ ନକ୍ସଲମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି। ବିସ୍ଫୋରଣରେ ୩ ଯବାନ ନିହତ, ଦୁଇ ଯବାନ ଗୁରୁତର ହୋଇଥିଲେ। ଗୋଟିଏ ପଟେ ପଶ୍ଚିମବଙ୍ଗ ନକ୍ସଲଙ୍କ ମେଳି, ଅନ୍ୟ ପଟେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ କିଛି ମାସ ହେବ ଆଡ୍ଡା ଜମାଇଥିବା ନକ୍ସଲ ନେତା ମୋଚ୍ଛୁ ଓରଫ ମହାରାଜା ପ୍ରମାଣିକ ଓ ତାଙ୍କ ଦଳର ଗତିବିଧି ପଶ୍ଚିମ ସିଂହଭୂମ ଓ ସୁନ୍ଦରଗଡ ଜିଲ୍ଲା ପୁଲିସର ଚିନ୍ତା ବଢ଼ାଇଛି। ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଓ ନୂଆଗାଁ ବ୍ଲକ ସୀମାନ୍ତ ଅଜୟକେଳା, ଠେଠେଇପୋଷ, ସୁକୁଡା, ଜରାଇକେଲା, ପିତଲ, ଚିତାପେଡି, ଉର୍ମେଇ ତଥା ପଶ୍ଚିମସିଂହଭୂମର ଧନାପଲ୍ଲୀ, ହୁର୍ଦା, ଗିର୍ଦା ଆଦି ଅନେକ ଗାଁ ସରଣ୍ଡା ଜଙ୍ଗଲ ପାର୍ଶ୍ବରେ ରହିଛି। ସଞ୍ଜ ନଇଁଲେ ନକ୍ସଲମାନେ ଏସବୁ ଗାଁରେ ଚଳପ୍ରଚଳ କରୁଛନ୍ତି। କିଛି ନକ୍ସଲ ନେତା ରାତିରେ ଏସବୁ ଗାଁରେ ପଶି ଲୋକଙ୍କୁ ଧମକ ଚମକ ଦେବାର ଖବର ମଧ୍ୟ ରହିଛି। ରାତି ଭୋଜନ ମଧ୍ୟ କରି ସେମାନେ ପୁଣି ସୀମାନ୍ତ ଜଙ୍ଗଲକୁ ଫେରି ଯାଉଛନ୍ତି।

ଗତ ପ୍ରାୟ ଦୁଇ ମାସ ଧରି ନକ୍ସଲଙ୍କ ଗତିବଧି ଯୋଗୁଁ ଅସୁରକ୍ଷିତ ହୋଇପଡିଛି ଏସବୁ ସୀମାନ୍ତ ଗାଁ। ସଞ୍ଜ ନଇଁଲେ ପରିବାର ଲୋକ ଘରକୁ ବାହାରୁ ନାହାନ୍ତି। ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇ ପଡୁଛି। ଲ୍ୟାଣ୍ଡମାଇନ ବିସ୍ପୋରଣ ଭୟ ଥିବାରୁ ନକ୍ସଲଙ୍କ ଗତିବିଧି ଉପରେ ନଜର କରିଥିବା ସୁରକ୍ଷା ବାହିନୀ ମଧ୍ୟ ରାତିରେ ଏସବୁ ଗାଁରେ ପାଟ୍ରୋଲିଂ କରିବାକୁ ଭୟ କରୁଛନ୍ତି। ଅନୁରୂପ ଭାବେ ଜୀବନ ପ୍ରତି ଭୟ ଥିବାରୁ ଗାଁ ଲୋକେ ପୁଲିସ ଆଗରେ ଏମାନଙ୍କ ସଂକ୍ରାନ୍ତରେ କିଛି କହିବାକୁ ମୁହଁ ଖୋଲୁ ନାହାନ୍ତି। ଅବଶ୍ୟ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ କାର୍ଯ୍ୟକଳାପ ବଢ଼ୁଥିବା ସୂଚନା ମିଳିବାପରେ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପୁଲିସ, ସିଆର୍‌ପିଏଫ୍‌, ଡିଏଭିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ପୁଲିସ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି।

ସମ୍ବନ୍ଧିତ ଖବର