ଭୁବନେଶ୍ବର : ଓଡ଼ିଆ ଦର୍ଶକଙ୍କୁ ଦୀର୍ଘ ପାଞ୍ଚ ଦଶକ ଧରି ନିଜ ଅଭିନୟର ମାୟାରେ ବାନ୍ଧି ରଖିଥିବା ଅପ୍ରତିନ୍ଦ୍ବନ୍ଦ୍ବୀ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଅଭିନୟର ଅପରାଜେୟ ସମ୍ରାଟ ବିଜୟ ହାରି ଯାଇଛନ୍ତି ମୃତ୍ୟୁ ନିକଟରେ। ଗତ କିଛି ମାସ ଧରି ଅସୁସ୍ଥ ଥିବା ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କର ଆଜି ସଂଧ୍ୟାରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।
କେବେ ନାୟକ, କେବେ ଖଳନାୟକ ପୁଣି କେବେ ହାସ୍ୟାଭିନେତା, ସବୁ ଚରିତ୍ରରେ ନିଖୁଣ ଅଭିନୟ ଥିଲା ବିଜୟଙ୍କ ସ୍ବକୀୟତା। ଅଭିନୟ ବେଳେ ଚରିତ୍ର ତାଙ୍କ ଭିତରେ ହଜି ଯାଉଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନ ଅଭିନେତା ବିଜୟ ମହାନ୍ତିଙ୍କର ଆଜି ପରଲୋକ ହୋଇଛି ଏବଂ ଗୋଟିଏ ଯୁଗର ଅବସାନ ଘଟିଛି। ସେ ଥିଲେ ଏକାଧାରରେ ଅଭିନେତା, ନିର୍ଦ୍ଦେଶକ, ଅଧ୍ୟାପକ ଏବଂ ରାଜନେତା। ଯେଭଳି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଠିକ ସେମିତି ସେ ଜୀବନରେ ଭିନ୍ନ ଭିନ୍ନ କ୍ଷେତ୍ରରେ ପାଦ ରଖି ନିଜକୁ ପରଖିଛନ୍ତି। ସିନେ-ଅଭିନୟ ବ୍ୟତୀତ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି ଏବଂ ଶେଷରେ ରାଜନୀତି ଯୋଗ ଦେଇ ନିର୍ବାଚନ ଲଢ଼ିଛନ୍ତି। ବିଜୟଙ୍କୁ ଆଜି ଓଡ଼ିଶାର କଳା ଜଗତ ଯେତିକି ଝୁରୁଛି ତା’ଠାରୁ ଅଧିକ ଝୁରୁଛନ୍ତି ତାଙ୍କର ଲକ୍ଷଲକ୍ଷ ପ୍ରଶଂସକ ଓ ଦର୍ଶକ। ମନଛୁଆଁ ଅଭିନୟ ମାଧ୍ୟମରେ ଗାଁଠୁ ସହର ସବୁଠି ଲୋକଙ୍କ ମନ ଜିଣିଛନ୍ତି ବିଜୟ। ‘ଚିଲିକା ତୀରେ’ରୁ ନେଇ ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ନାୟକର ନାମ ଦେବଦାସ’ ଯାଏଁ ଶତାଧିକ ସିନେମାରେ ତାଙ୍କର ଅଭିନୟ ବିଜୟଙ୍କୁ ସଦା ଦର୍ଶକଙ୍କ ମନରେ ଜୀବନ୍ତ କରି ରଖିବ।
ଆଜି ସଂଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ସୋମବାର ସଂଧ୍ୟାରେ ଭୁବନେଶ୍ୱରସ୍ଥିତ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛିଦିନ ଧରି ସେ କେୟାର ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଘରକୁ ଯିବାକୁ ଇଚ୍ଛା କରିବାରୁ ତାଙ୍କୁ କିଛିଦିନ ତଳେ ସହିଦ ନଗରସ୍ଥିତ ଆପାର୍ଟମେଣ୍ଟକୁ ଅଣାଯାଇଥିଲା । ଆଜି ପୁଣି ସେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ପରେ ତାଙ୍କୁ କେୟାର ହସପିଟାଲରେ ରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ତାଙ୍କୁ ହାଇଦ୍ରାବାଦର ଏକ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତ ୪/୫ ବର୍ଷ ହେବ ସେ ହାଇଦ୍ରାବାଦରେ ଥିବା ତାଙ୍କ ଝିଅ ପାଖରେ ରହୁଥିଲେ ।
ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣପ୍ରାପ୍ତ ବିଜୟ ମହାନ୍ତି ୧୯୭୬ ମସିହାରେ ‘ନାଗଫାସ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଯଦିଓ ‘ଚିଲିକା ତୀରେ’ ତାଙ୍କ ଅଭିନୀତ ପ୍ରଥମ ଛବି ଥିଲା, କିନ୍ତୁ ‘ନାଗଫାସ’ ପ୍ରଥମେ ମୁକ୍ତିଲାଭ କରିଥିଲା। ଏଇ ଦୁଇ ଚଳଚ୍ଚିତ୍ରରେ ବିଜୟଙ୍କ ଅଭିନୟ ଥିଲା ଉଚ୍ଚକୋଟୀର। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସାମଗ୍ରୀକ ଅବଦାନ ଲାଗି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ବିଜୟଙ୍କୁ ପ୍ରଦାନ କରାଯାଇଥିଲା । ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ମଧ୍ୟ ଦେଇଛନ୍ତି। ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମାରେ ପଢିବା ବେଳେ ବିଶିଷ୍ଟ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା, ରାଜବବର ଓ ଓମ ପୁରୀ ତାଙ୍କର ସହପାଠୀ ଥିଲେ । ମନଜିଣା ଅଭିନୟ ଲାଗି ସେ ଏକାଧିକବାର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି।