ନାସିର ଖାନ୍‌ଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର : ବାଲେଶ୍ବରର ଚିଟ୍‌ଫଣ୍ଡ ସଂସ୍ଥା ଫାଇନ୍‌ ଇଣ୍ଡିଆର ନିର୍ଦ୍ଦେଶକ ତଥା ଦିବ୍ୟାଙ୍ଗ ଅଭିନେତା ଓ ‘ସ୍ୟାଡୋ’ ଫିଲ୍ମର ସହ ପ୍ରଯୋଜକ ନାସିର ଖାନ୍‌ଙ୍କ ଆଗୁଆ ଜାମିନ୍‌ ଆବେଦନ ଖାରଜ ହୋଇଛି। ଆଜି ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଏହି ଆବେଦନ ଖାରଜ ହେବା ପରେ ତାଙ୍କୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଛି। ପୂର୍ବରୁ ସେ ଏହି ଆବେଦନ ହାଇକୋର୍ଟରେ କରିଥିଲେ। ମାମଲାର ତଦନ୍ତ ସିବିଆଇ କରୁଥିବାରୁ ସିବିଆଇ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ। ଆଜି ସେ ଏଠାରେ ହାଜର ହୋଇ ଜାମିନ ଆବେଦନ କରିଥିଲେ। ସିବିଆଇ ସ୍ବତନ୍ତ୍ର କୋର୍ଟ ଆବେଦନ ନାମଞ୍ଜୁର କରିବା ପରେ ତାଙ୍କୁ ଗିରଫ କରାଯାଇଛି। ମାମଲାକୁ ପୁଲିସ ଠାରୁ ପ୍ରଥମେ କ୍ରାଇମ୍‌ ବ୍ରାଞ୍ଚ ନେଇଥିଲା। କ୍ରାଇମ୍‌ ବ୍ରାଞ୍ଚ ଗତ ୨୦୦୯ରେ ତାଙ୍କୁ କଟକରୁ ଗିରଫ କରିଥିଲା। ଏହା ପରେ ୨୦୧୬ରେ ମାମଲାର ତଦନ୍ତ ଭାର ସିବିଆଇ ନେଇଥିଲା। ସିବିଆଇ ତଦନ୍ତ କରିବା ବେଳେ ବିଭିନ୍ନ ସମୟରେ ନାସିରଙ୍କୁ ଜେରା ପାଇଁ ସମନ କରିଥିଲା। ହେଲେ ନାସିର ହାଜର ହୋଇ ନଥିଲେ। କାଳେ ସିବିଆଇ ପୁଣି ଥରେ ଗିରଫ କରିବ ସେଥିପାଇଁ ସେ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା।

ସୂଚନା ମୁତାବକ, ବାଲେଶ୍ବରର କେତେକ ନିବେଶକଙ୍କ ଠାରୁ ୨୦୦୦ରୁ ୨୦୦୯ ଭିତରେ ଫାଇନ୍‌ ଇଣ୍ଡିଆ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲା। ଏଥିରୁ ଅର୍ଥ କାନ୍‌ପୁରରେ ଥିବା କମ୍ପାନିର ମୁଖ୍ୟାଳୟ ଦେଇ ମୁମ୍ବାଇ ଯାଉଥିଲା। ଚିଟ୍‌ଫଣ୍ଡ ବୋଲି ଜଣାପଡ଼ିବା ପରେ ସଂସ୍ଥା ବାଲେଶ୍ବର ଶାଖା ବନ୍ଦ କରିଦେବା ସହ ନିର୍ଦ୍ଦେଶକ ପଦରୁ ନାସିର ଇସ୍ତଫା ଦେଇ ଦେଇଥିଲା। ଅନ୍ୟପଟେ ଖାନ୍‌ ଏଥିରୁ ଇସ୍ତଫା ଦେଇ ଅନ୍ୟ ଏକ ମନୋରଞ୍ଜନ କମ୍ପାନିରେ ସାମିଲ ହୋଇଥିଲେ। ବେଆଇନ ଭାବରେ ସଂଗୃହୀତ ଏହି ସବୁ ଅର୍ଥରୁ ‘ସ୍ୟାଡୋ’ ନାମକ ଏକ ଫିଲ୍ମ ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ନାସିର ସହ ପ୍ରଯୋଜକ ଥିଲା। ସିବିଆଇ ତଦନ୍ତ କରିବା ପରେ ଏହି ସବୁ ତଥ୍ୟ ସଂଗ୍ରହ କରିଥିଲା। ଏଣୁ ନାସିରକୁ ଜେରା କରିବା ପାଇଁ ସମନ କରିଥିଲା। କିନ୍ତୁ ନାସିର ୩ଟି ସମନ୍‌କୁ ଖାତିର କରି ନଥିଲା। ସିବିଆଇ କୋର୍ଟରେ ହାଜର ହେବା ପରିବର୍ତ୍ତେ ସେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରି ଫସି ଯାଇଥିଲା।

ସମ୍ବନ୍ଧିତ ଖବର