ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଆମେ ଅସୁସ୍ଥ, ଆମକୁ ସମୟ ଦିଅ

ଲଟକାର ଉତ୍ତର ରଖିଲେ ଶାଶୂ-ଶ୍ବଶୁର

କଟକ: ନିକିତା ମୃତ୍ୟୁ ମାମଲାରେ ଲଟ୍‌କା ଜାରି କରିଥିବା କମିସନରେଟ୍‌ ପୁଲିସକୁ ଅଧିକ ୧୫ରୁ ୨୦ ଦିନ ସମୟ ମାଗିଛନ୍ତି ମୃତ ନିକିତାଙ୍କ ଶାଶୂ-ଶ୍ବଶୁର। ଦେହ ଅସୁସ୍ଥ ଥିବା ଦର୍ଶାଇ ପୁଲିସକୁ ସେମାନେ ସମୟ ମାଗିଛନ୍ତି। ସୁସ୍ଥ ହେବା ପରେ ସେମାନେ ପୁଲିସ ନିକଟରେ ହାଜର ହୋଇ ବୟାନ ଦେବେ‌ ବୋଲି ଲଟ୍‌କାର ଜବାବରେ ଉତ୍ତର ରଖିଛନ୍ତି। ଓଲିଉଡ୍‌ ଅଭିନେତ୍ରୀ ଲକ୍ଷ୍ମିପ୍ରୀୟା ବେହେରା (ନିକିତା) ଙ୍କର ଗତ ୫ ତାରିଖରେ ମୃତ୍ୟୁ ହୋଇଥିଲା। ମୃତ୍ୟୁକୁ ୧୧ ଦିନ ବିତିସାରିଲାଣି। ଚାଉଳିଆଗଞ୍ଜ ଥାନା ପୁଲିସ ଗତ ୮ ତାରିଖରେ ନିକିତାଙ୍କ ସ୍ବାମୀ ଲିପନ୍‌ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗତ ୮ ଓ ୯ ତାରିଖରେ କମିସନରେଟ୍‌ ପୁଲିସ ପକ୍ଷରୁ ଶାଶୂ କୁନ୍ତଳା ସାହୁ ଏବ˚ ଶ୍ବଶୁର ଲିଙ୍ଗରାଜ ସାହୁଙ୍କୁ ଥାନାରେ ହାଜର ପାଇଁ ନୋଟିସ୍‌ ଜାରି କରାଯାଇଥିଲା। ଦୁଇ ଥର ସେମାନେ ନୋଟିସ୍‌ର ଜବାବ ଦେଇନଥିଲେ। ସେମାନଙ୍କ ବିରୋଧରେ ଦଫା ୪୯୮(ଏ) ଏବ˚ ୧୨୦(ବି)ରେ ମାମଲା ରୁଜୁ ହୋଇଥିବାରୁ ପୁଲିସ କୌଣସି ମୁହୂର୍ତ୍ତରେ ସେମାନଙ୍କୁ ଗିରଫ କରିବା ଆଶଙ୍କା ଥିଲା। ତେଣୁ ଉଭୟ ୯ ତାରିଖରେ ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ। ଏଭଳି ସ୍ଥିତିରେ ପୁଲିସ ତଦନ୍ତ ପ୍ରକ୍ରିୟାରେ ଆଗେଇବା ପାଇଁ ଶାଶୂ-ଶ୍ବଶୁରଙ୍କ ନାଁରେ ସିଆର‌୍‌ପିସିର ଧାରା ୧୯ରେ ଗତ ୧୨ ତାରିଖରେ ଲଟ୍‌କା ଜାରି କରିଥିଲା। ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଉଭୟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ଆଜି ସେମାନଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ଦର୍ଶାଇ ସ୍ପିଡ୍‌ ପୋଷ୍ଟ ଯୋଗେ ହାଜର ପାଇଁ ୧୫ରୁ ୨୦ ଦିନ ସମୟ ଦେବା ପାଇଁ ପୁଲିସକୁ ନିବେଦନ କରିଛନ୍ତି। ଉଭୟ ତାଙ୍କ ଦରଖାସ୍ତରେ ଦର୍ଶାଇଛନ୍ତି ଯେ, ୧୨ ତାରିଖରେ ପ୍ରଥମ ଥର ଲଟ୍‌କା ହସ୍ତଗତ କରିଛୁ। ସୁସ୍ଥ ପରେ ଥାନାରେ ହାଜର ହୋଇ ବୟାନ ଦେବେ। ଅନ୍ୟପଟେ ନିକିତାଙ୍କ ମୃତ୍ୟୁକୁ ନେଇ ସେମାନେ ଦୁଃଖିତ ଥିବା ବେଳେ ପୁଅ ଗିରଫ ହେଇ ଜେଲ୍‌ ଯାଇଥିବାରୁ ସେମାନେ ମର୍ମାହତ ବୋଲି ଶାଶୂ ଶ୍ବଶୁର ଦର୍ଶାଇବା ସହ ମୃତ୍ୟୁରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ବେଳେ ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ଦରଖାସ୍ତରେ ଉଲ୍ଲେଖ କରିଛନ୍ତି। ଗତ ୮ ତାରିଖରେ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଲିପନ୍‌ ସାହୁଙ୍କ ଜାମିନ୍‌ ଖାରଜ ହୋଇଥିଲା। ପରେ ତାଙ୍କ ଓକିଲ ବିଦ୍ୟାଧର ପ୍ରଧାନଙ୍କ ପକ୍ଷରୁ କଟକ ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ଲିପନ୍‌ଙ୍କ ଜାମିନ ଆବେଦନ ରୁୁଜୁ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର